ଜୟପୁର: ରାଜ୍ୟର ଚତୁର୍ଥ ଏନସିସି( ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ)ର ଚତୁର୍ଥ ଗ୍ରୁପ ମୁଖ୍ୟାଳୟ ଦୀର୍ଘ ୫୮ବର୍ଷ ପରେ ଗତ ମାର୍ଚ୍ଚ ୨୦ତାରିଖ  ଦିନ ଲୋକାର୍ପିତ ହୋଇଥିଲା। ଏନସିସି ପକ୍ଷରୁ ଏହି କାର୍ଯ୍ୟାଳୟର ସୁପରିଚାଳନା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆସରିଛି। ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ମୁଖ୍ୟାଳୟକୁ ପରିଚାଳନା ପାଇଁ ଅମଲା(କିରାଣୀ)ଙ୍କ ନିଯୁକ୍ତି କରି ନାହିଁ। ଯାହା ଫଳରେ ଏଠାରେ ଅଧିକାରୀ ଓ ଗୃପ ମୁଖ୍ୟାଳୟ ରହିଥିଲେ ହେଁ ଯେଉଁ ଉଦ୍ଦେଶ୍ୟରେ ଏହାକୁ ଏଠାରେ ସ୍ଥାପନ କରାଯାଇଥିଲା ତାହା କାର୍ଯ୍ୟକାରୀ ହୋଇ ପାରୁନି। ଏହି ଖୋଲିକି ନ ଖୋଲିବା ସମାନ ଅବସ୍ଥାରେ ରହିଛି। ପୂର୍ବ ପରି ବ୍ରହ୍ମପୁର ଗୃପ ମୁଖ୍ୟାଳୟ ଅଧିନରେ ହିଁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ‌କଳାହାଣ୍ଡି ଜିଲ୍ଲାରେ ଥିବା ଏନସିସି ବାଟଲିଅନ୍ ଗୁଡିକର କାର୍ଯ୍ୟକ୍ରମ ଚାଳିଛି। ଏଭଳିକି ଏହି କାର୍ଯ୍ୟାଳୟ ପରିସରରେ ଚାଳିଥିବା (୧) ଇନଫେଣ୍ଟରୀ ଓ ବାଟଲିଅନ ମଧ୍ୟ ବ୍ରହ୍ମପୁର ଗ୍ରୁପ ମୁଖ୍ୟାଳୟ ଅଧିନରେ ଚାଳିଛି।

Advertisment

ପ୍ରକାଶଯୋଗ୍ୟ, ରାଜ୍ୟରେ ୧୯୪୮ମସିହାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଏନସିସି ଆରମ୍ଭ ହୋଇଥିଲା। ୧୯୬୫ ମସିହାରେ କଟକ, ବ୍ରହ୍ମପୁର ଓ ସମ୍ବଲପୁର ଏଭଳି ତିନୋଟି ସ୍ଥାନରେ ଗ୍ରୁପ ମୁଖ୍ୟାଳୟ ରହିଥିଲା। ଦୀର୍ଘ ୫୮ବର୍ଷ ପରେ ରାଜ୍ୟର ଚତୁର୍ଥ ଓ ଦେଶର ୯୧ତମ ଗୃପ ମୁଖ୍ୟାଳୟ ଜୟପୁର ଠାରେ ଆରମ୍ଭ ହୋଇଥିଲା। ଏହା ଆରମ୍ଭ ହେବା ପରେ ଜୟପୁରରେ  ଏନସିସି ଏକାଡେମୀ ଖୋଲିବା ଆଶା ବି ଉଜ୍ଜିବିତ୍ ହୋଇଥିଲା। ଜୟପୁରରେ ଗ୍ରୁପ ମୁଖ୍ୟାଳୟ ସହ ଏନସିସି ଏକାଡେମୀ ଆରମ୍ଭ ହେବା ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଅଧିକାରୁ ଅଧିକା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏନସିସିରେ ସାମିଲ ହୋଇ ପାରିବେ। ଉତ୍ତମ ପ୍ରଶିକ୍ଷଣ ଓ ଅଧିକା ଛାତ୍ରଛାତ୍ରୀ କ୍ୟାଡେଟ୍ ହେବା ଦ୍ବାରା ଦେଶ ପ୍ରେମ ଅଧିକା ଜାଗ୍ରତ ହେବା ସହ  ସ୍ଥଳ, ବାୟୁ ଓ ନୈସେନାର ବିଭିନ୍ନ ପଦ ଓ ପଦବିରେ ନିଯୁକ୍ତି ପାଇବା ସହଜ ସାଧ୍ୟ ହୋଇ ପାରିବ ବୋଲି ଏନସିସି ଆଲୁମିନି, କ୍ୟାଡେଟ୍ ଓ ଅଭିଭାବକ, ଜିଲ୍ଲା ପ୍ରଶାସନ, ବୁଦ୍ଧିଜୀବୀମା‌ନେ ଆଶା ପ୍ରକଟ କରିଥିଲେ। ତେବେ ଗ୍ରୁପ ମୁଖ୍ୟାଳୟ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇ ପାରିନଥିବା ବେଳେ ଏକ‌ାଡେମୀ ଆଉ କେବେ ହେବ ତାହାକୁ ନେଇ ଯେଉଁ ଆଶା ଦେଖାଦେଇଥିଲା ତାହା ନିରାଶରେ ପାଲଟିଛି।