ଜୟପୁର: ଗତ ୨୦୧୭ନଭେମ୍ବରରୁ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପାର୍ଶ୍ବରେ ୧୧କୋଟିରେ ନିର୍ମାଣ ଚାଳିଥିବା ନୂଆ ବସଷ୍ଟାଣ୍ଡର କାମ ସରିଯାଇଛି। ଠିକା ସଂସ୍ଥା ପୁଲିସ ହାଉସିଂ କରଫରେସନ୍ କାମ ବି ସାରି ଗତ ୨ମାସ ହେବ ଓଏସଆରଟିସିକୁ ହସ୍ତାନ୍ତର କରିଥିବା କହିଛନ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ମଙ୍ଗୁଳି ଚରଣ ବେହେରା। ଏହା ବାଦେ ବି ଲୋକାର୍ପଣ ହୋଇପାରୁନି। ଅପରପକ୍ଷରେ ଯଦିଓ ସରକାରୀ ବସଷ୍ଟାଣ୍ଡ ସହର ମଧ୍ୟରେ ପୁରୁଣା ସ୍ଥାନରେ ଚାଳୁଥିଲେ ହେଁ ଲୋକାର୍ପଣ ନ ହେଉଣୁ ଏହାରି ପରିସରରେ ଗ୍ୟାରେଜ, କାର୍ଯ୍ୟାଳୟ ସହ ନୂଆ ପୁରୁଣା ବସ ରଖାଯିବା ସ୍ଥାନ ପାଲଟିଛି। ଏପରିକି ଲକ୍ଷ୍ମୀ ବସ ବି ଏହାରି ମଧ୍ୟରେ ପାର୍କିଂ କରି ରଖାଯାଇଛି। ତେବେ କେଉଁ ପରିସ୍ଥିତିରେ ଏହାର ଲୋକାର୍ପଣ ହେଉନି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।

Advertisment

ସୂଚନା ଅନୁଯାୟୀ, ୨୦୧୭ମସିହାରେ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ୨ବର୍ଷ ମଧ୍ୟରେ କାମ ସାରି ହସ୍ତାନ୍ତର କରିବାକୁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ତେବେ ଅବଧି ସମୟ ୨୦୧୯ସରିବାର ୫ବର୍ଷ ପରେ ବି ଏହା ହସ୍ତାନ୍ତର ହୋଇ ପାରୁନି। ଏହାରି ମଧ୍ୟରେ ୩ଥର ପାଚେରୀ ନିର୍ମାଣ ସହ ୨ଥର ପେଭରବ୍ଲକ କାମ ଏବଂ ୮ଟି ଷ୍ଟଲ ଭାଙ୍ଗିବା କାମ ବି ସରିଛି। ଏହାରି ପରିସରରେ ଓଏସଆରଟିସି ଓ ଘରୋଇ ବସ ପାଇଁ ୨ଟି ଟିକେଟ କାଉଣ୍ଟର, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା, ଓଏସଆରଟିସିର ପ୍ରଶାସନିକ ଭବନ, କ୍ୟାଣ୍ଟିନ, କର୍ମଚାରୀଙ୍କ ବିଶ୍ରାମଘର, ଡରମଟରୀ, ଗ୍ୟାଷ୍ଠ ହାଉସ, ମେଣ୍ଟନାନସ୍ ୟାର୍ଡ,ଗାର୍ଡ ରୁମ, ଏଟିଏମ୍ , ଶୌଚାଳୟ ଆଦିର ନିର୍ମାଣ କାମ ସରିଛି। ନୂଆ ବସଷ୍ଟାଣ୍ଡ ପରିସରରେ ୫୧ଟି ଷ୍ଟଲ ନିର୍ମାଣ କରାଯାଇଥିଲା। ଗତ କିଛି ମାସ ତଳେ ତତ୍କାଳୀନ ଜିଲ୍ଲାପାଳ ତଦାରଖ କରିଥିଲେ।

publive-image

ଏହା ପରିସରରେ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ ବ୍ୟବସ୍ଥା ନଥିବା ଦେଖି ଜିଲ୍ଲାପାଳ ବିଗଡ଼ିବା ପରେ ୮ଟି ଷ୍ଟଲକୁ ଭାଙ୍ଗି ଦିଆଯାଇଥିଲା। ପ୍ରକୃତରେ ଏହି ବସଷ୍ଟାଣ୍ଡର ପରିଧି ୪ଏକର ୧୭ ସେଣ୍ଟ। ତେବେ ୨ଏକର ୧୭ସେଣ୍ଟ ପରିଧି ମଧ୍ୟରେ ଏହି ବସଷ୍ଟାଣ୍ଡ ରହିଛି। ଆଉ ୨ଏକର ଜମି ଜବରଦଖଲ ରହିବା ଏବଂ ଏହାରି ପରିସରରେ ଥିବା ଗଛ କଟାଯିବା ଆଦି ସମସ୍ୟା ଏବଂ କୋଭିଡ୍ ଯୋଗୁଁ ଧାର୍ଯ୍ୟ ସମୟ ଠାରୁ ବିଳମ୍ବ ହୋଇଥିବା ପୁଲିସ ହାଉସିଂ ବୋର୍ଡରୁ ସୂଚନା ମିଳିଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଏହାର ନିର୍ମାଣ ସରିଛି। ହସ୍ତାନ୍ତର ହେବାର ୨ମାସ ବିତିସାରିଛି। ଅପରପକ୍ଷରେ ଏହାର ନିର୍ମାଣଧୀନ ଥିବା ସମୟରୁ ହିଁ ଓଏସଆରଟିସି ଡିଟିଏମଙ୍କ କାର୍ଯ୍ୟାଳୟ ସହ ଗ୍ୟାରେଜ ବି ଏହା ପରିସରରେ କାର୍ଯ୍ୟକାରୀ ହୋଇସାରିଛି। ସରକାରୀ ବସ ଗ୍ୟାରେଜରେ ମରାମତି ପାଇଁ ଆସିବା ସହ ପାର୍କିଂ କରିବି ରଖାଯାଉଛି। ହସ୍ତାନ୍ତରର ଦୁଇ ମାସ ପରେ ଲୋକାର୍ପଣ କାହିଁକି କରାଯାଉନି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।