ସୁନ୍ଦରଗଡ଼: ଏନଟିପିସି ଭଳି ଓସିପିଏଲ ଖଣି ମନୋହରପୁର ଓ ସାନଘୁମୁଡ଼ା ଗାଁ ବିସ୍ଥାପିତ ପରିବାରର ବିବାହିତା ଝିଅମାନଙ୍କୁ ମଧ୍ୟ ନିୟମ ମୁତାବକ କ୍ଷତିପୂରଣ, ଥଇଥାନ, ପୁନର୍ବାସ ଦେବାରେ ପ୍ରଶାସନ ଓ କମ୍ପାନି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଝିଅମାନେ ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ନା ପ୍ରଶାସନ ଶୁଣୁଛି ନା କମ୍ପାନି। ସବୁଠାରୁ ବଡ଼ କଥା ହେଲା, ବର୍ଷେ ତଳେ ଝିଅମାନଙ୍କୁ କ୍ଷତିପୂରଣ, ଥଇଥାନ ସୁବିଧା ଦେବା ନେଇ ପ୍ରଶାସନ-କମ୍ପାନିର ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏଯାଏ ତାକୁ ଝୁଲାଇ ରଖାଯାଇଛି। ଯାହାକୁ ନେଇ ବିବାହିତା ଝିଅମାନେ ଅସନ୍ତୋଷ ପ୍ରକାଶ କରିବା ସୋମବାର ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ସହ ତୁରନ୍ତ ପଦକ୍ଷେପ ନିଆନଗଲେ ଖଣି ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ହେମଗିର ବ୍ଲକ୍ ମନୋହରପୁର ଖଣି ବିସ୍ଥାପିତ ସାନଘୁମୁଡ଼ାର ବିବାହିତା ଝିଅମାନଙ୍କୁ ସର୍ବେକ୍ଷଣ ତାଲିକାରେ ନାମ ନଥିବା ଦର୍ଶାଇ କ୍ଷତିପୂରଣ, ଥଇଥାନ, ପୁନର୍ବାସ ସୁବିଧା ଦେବାକୁ ପ୍ରଶାସନ ଓ କମ୍ପାନି ମନା କରି ଦେଇଥିଲା। ଏହା ବିରୋଧରେ ଝିଅମାନେ ଗତ ୨୦୨୧ ଡିସେମ୍ବର ୧୦ ତାରିଖରେ ଓସିପିଏଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ଯଦିଓ ସ୍ଥଗିତ ରଖାଯାଇଥିଲା, ବିଭିନ୍ନ ସମୟରେ ଝିଅମାନେ ପ୍ରତିବାଦ ଜାରି ରଖିଥିଲେ। ଏହିକ୍ରମରେ ଗତ ୨୦୨୨ ଏପ୍ରିଲ ୮ ତାରିଖରେ ପ୍ରଶାସନ, ଓସିପିଏଲ ଅଧିକାରୀ ଓ ବିସ୍ଥାପିତ ଝିଅମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
୨୦୨୧ ମଇରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦେଇଥିବା ସ୍ପଷ୍ଟୀକରଣ ଅନୁସାରେ, ମନୋହରପୁରରେ ୨୦୧୦ ମାର୍ଚ୍ଚ ଓ ସାନଘୁମୁଡ଼ାରେ ୨୦୧୦ ମେରେ ହୋଇଥିବା ସର୍ବେକ୍ଷଣ ସମୟରେ ଯେଉଁ ଝିଅମାନଙ୍କ ନାମ ବିସ୍ଥାପନ ତାଲିକାରେ ଅନ୍ତର୍ଭୁକ୍ତ ଥିଲା ଏବଂ ପ୍ରକୃତ ବିସ୍ଥାପନ ପୂର୍ବରୁ ଯେଉଁମାନେ ବିବାହ କରିଥିଲେ, ସେମାନଙ୍କୁ ଥଇଥାନ, ପୁନର୍ବାସ ସୁବିଧା ଦିଆଯିବ ବୋଲି ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲା। ଏହା ସହ ସେମାନଙ୍କ ପରିବାରର ସବିଶେଷ ପ୍ରମାଣପତ୍ର ୨୦୨୨ ଏପ୍ରିଲ ୩୦ ମଧ୍ୟରେ ଭୂଅର୍ଜନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହା ପରେ ମନୋହରପୁର ଓ ସାନଘୁମୁଡ଼ାର ୬୦ରୁ ଅଧିକ ଝିଅ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିଥିଲେ। କିନ୍ତୁ ପ୍ରତିଶ୍ରୁତିକୁ ବର୍ଷେ ବିତିଯିବା ଓ ଉପଜିଲ୍ଲାପାଳଙ୍କ ଯାଞ୍ଚ ଶେଷ ହେବା ପରେ ମଧ୍ୟ ଥଇଥାନ ଓ ପୁନର୍ବାସ ସୁବିଧା ଦିଆଯାଇ ନଥିବା ଝିଅମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ମାସେ ସମୟ ମାଗିଥିବା ସୂଚନା ମିଳିଛି। ତେବେ ମାସେ ପରେ ନ୍ୟାୟ ନମିଳିଲେ ଖଣି ବନ୍ଦ କରି ଦିଆଯିବ ବୋଲି ମନୋହରପୁର ଓ ସାନଘୁମୁଡ଼ା ଗାଁର ସୂର୍ଯ୍ୟକାନ୍ତି ଭଇଁସାଲ, ସନ୍ଧ୍ୟାରାଣୀ ଭଇଁସାଲ, ଫୁଲଣା ସିଂ, ଅଞ୍ଜଳି ଭଇଁସାଲ, ସନ୍ଧ୍ୟାରାଣୀ କୁମୁରା, ସୁଜାତା ବାଗ, ଝିଲି ଭୋଇ, ସରସ୍ବତୀ ଧୃଆ, ରୋଜାଲିନ ଭୋଇ, ବିଷ୍ଣୁପ୍ରିୟା ବାଗ, ଯଶୋବନ୍ତୀ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି।