ଜୟପୁର: କଳାର ସହର ଜୟପୁର।  ଦୀର୍ଘଦିନ ହେବ କଳାକାର, ଅଭିନେତା, ଗାୟକଙ୍କ ସହ ବିଭିନ୍ନ କଳାଅନୁଷ୍ଠାନ ଗୁଡିକ ପକ୍ଷରୁ ସହରରେ ଗୋଟିଏ ସଂସ୍କୃତି ଭବନ ସ୍ଥାପନ କରିବା ପାଇଁ ଦାବି ହୋଇ ଆସୁଥିଲା। ରାଜ୍ୟସରକାର ଜୟପୁରରେ ସଂସ୍କୃତି ଭବନ ସ୍ଥାପନ ପାଇଁ ଘୋଷଣା କରିବା ସହ ସଂପୂର୍ଣ୍ଣପ୍ରକଳ୍ପ ବିବରଣୀ ଓ କେତେ ଟଙ୍କା ଏଥି ପାଇଁ ଖର୍ଚ୍ଚ ଆସିବ ତାହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ବର୍ଷକ ତଳେ ନି‌ର୍ଦ୍ଦେଶ ଦେବା ପରେ ଏଠାରେ ଖୁସିର ଲହର ଖେଳିଥିଲା। ଏଲଆଇସି ଶାଖା କାର୍ଯ୍ୟାଳୟ ପାର୍ଶ୍ବରେ ସିଟି ବସ ଡମ୍ପିଂ ହୋଇରହିଥିବା ସ୍ଥାନର ପଛଭାଗରେ  ସଂସ୍କୃତି ଭବନ ପାଇଁ ଜମି ଚିହ୍ନଟ କରାଯାଇଛି। ସଂପ୍ରତି ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ସଂସ୍କୃତି ଭବନର ପ୍ଲାନିଂ କରି ଏଥି ପାଇଁ ୧୨କୋଟି ୯୬ଲକ୍ଷର  ବ୍ୟବରାଦର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ ନିକଟକୁ  ଅନୁମ‌ୋଦନ ପାଇଁ ଯାଇଛି। ଗତ ୩ମାସ ହେବ ଏହା ଅନୁମୋଦନ ପାଇଁ ଯାଇଥିବା ବେଳେ ଜିଲ୍ଲାପ୍ରଶାସନ ନିକଟରେ ଲଟକି ରହିବା ଫଳରେ  କେ‌ବେ ନିର୍ମାଣ କାମ ଆରମ୍ଭ ହେବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

Advertisment

ସୂଚନା ଅନୁଯାୟୀ, ଜୟପୁରରେ ୫୦୦ସିଟ୍ ବିଶିଷ୍ଟ ସଂସ୍କୃତିଭବନ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ଘୋଷଣା କରିଥିଲେ। ଏହି କ୍ରମରେ  ଏଲଆଇସି ଶାଖା କାର୍ଯ୍ୟାଳୟ ପାର୍ଶ୍ବରେ ସିଟି ବସ ଡମ୍ପିଂ ହୋଇରହିଥିବା ସ୍ଥାନକୁ ସଂସ୍କୃତି ଭବନ ପାଇଁ  ତହସିଲ ଜମି ଚିହ୍ନଟ କରି ରାସ୍ତା ଓ କୋଠାବାଡ଼ି ବିଭାଗକୁ ଦେଇଛି। ଏକ ଏକର ୩୨ସେଣ୍ଟ ସ୍ଥାନ ପରିମିତରେ ଏହି ସଂସ୍କୃତିଭବନ ଓ ପାର୍କିଂସ୍ଥଳ ଆଦି କରାଯିବାକୁ ଯୋଜନା କରାଯାଇଥିଲା।  ଏହି ଜମିକୁ ପୂର୍ବରୁ ୨୦ଟି ସିଟି ବସ ଚଳାଚଳ କରିବା ପାଇଁ ଏକ ଘରୋଇ ସଂସ୍ଥାକୁ ଲିଜ୍ ଆକାରରେ ଦିଆଯାଇଥିଲା। ବସ ଚଳାଚଳ କରୁ ନଥିବାରୁ ଲିଜକୁ ବାତିଲ କରାଯିବା ସହ ଏହି ବସ ଗୁଡିକୁ ନିଜ ଅଧିନକୁ ପ୍ରଶାସନ ନେବାକୁ ବି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ବସ ଗୁଡିକୁ ସ୍କାର୍ଫ ଆକାରରେ ବିକ୍ରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବସ ଗୁଡିକ ଆଜି ବି ପରିତ୍ୟକ୍ତ ଅବସ୍ଥାରେ ପଡ଼ିବା ସହ ଏଥିରୁ ଦୁଇଟିରେ ନିଆଁବି ଲାଗି ଯାଇଥିଲା।

ଅପରପକ୍ଷରେ ସଂସ୍କୃତିଭବନ ପାଇଁ ଅନୁଦାନର ପ୍ରଥମ କିସ୍ତି ଟଙ୍କା ସରକାର ଦେବା ସହ ତୁରନ୍ତ ଏହାର ସଂପୁର୍ଣ୍ଣ କାର୍ଯ୍ୟଖସଡା ଆଦି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ସଂପ୍ରତି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ସିଟି ବସକୁ ଉଠାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ହେଁ ସଂସ୍ଥା କୋର୍ଟର ଆଶ୍ରୟ ନେଇଛି। ଏହିସିଟି ବସ ଥାଉଣୁ ହିଁ ପଛ ପଟ ସ୍ଥାନରେ ସଂସ୍କୃତି ଭନ ନିର୍ମାଣ କରାଯିବା‌ ଯୋଜନା ରହିଛି ବୋଲି କହିଛନ୍ତି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଭବନ ସମ୍ମୁଖରେ ପାର୍କିଂ ସ୍ଥାନ ନିହାତି ରୁପେ ରହିବ। ଏହି ବସ ଗୁଡିକୁ ନେଇ ରଖିବା ପାଇଁ ବି ସ୍ଥାନାଭାବ। ସଂସ୍କୃତି ଭବନନିର୍ମାଣ ଆରମ୍ଭ ହେବା ମଧ୍ୟରେ ହାଇକୋର୍ଟରୁ କିଛି ନିର୍ଦ୍ଦେଶ ଆସିଯିବ ଏବଂ ତାହାକୁ ନେଇ କାର୍ଯ୍ୟକାରୀ କରାଯିବ।  ତେବେ ସଂସ୍କୃତିଭବନ ଏହର ପଛ ପଟେ ଥିବା ଖାଲି ସ୍ଥାନ‌ରେ ନିର୍ମାଣ ଆରମ୍ଭ କରିବା ଯୋଜନା ରହିଛି ବୋଲି କହିଛନ୍ତି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ।