ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲାର ଅଗ୍ରଣୀ ଜିଲ୍ଲା ଭାବେ ରାୟଗଡ଼ା ପରିଚିତ। ଅଥଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ପ୍ରମୁଖ ଶିକାର ହୋଇ ଆସିଛି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରବେଶ ଦ୍ଵାର କୁହାଯାଉଥିବା ଏଇ ଜିଲ୍ଲା। କୋରାପୁଟ ଜିଲ୍ଲାର ଜୟପୁର ପରେ ମାଲକାନଗିରି ଜିଲ୍ଲାରେ ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇ ଯାଇଛି। କିନ୍ତୁ ଶିଳ୍ପ ସମୃଦ୍ଧ ଜିଲ୍ଲା ରାୟଗଡ଼ାକୁ ଅଣଦେଖା କରାଯାଇଥିବା ଜନସାଧାରଣରେ ଏବେ ଅଭିଯୋଗ ହେଉଛି। ଅନ୍ୟତମ ଆକାଂକ୍ଷା ଜିଲ୍ଲା ରାୟଗଡ଼ାକୁ ଉଭୟ ରେଳପଥ ଓ ସଡ଼କ ପଥର ସୁବିଧା ରହିଛି। ରାୟଗଡାରୁ ଦେଶର ବିଭିନ୍ନ ସହରକୁ ରେଳପଥ ସଂଯୋଗୀକରଣ ହୋଇପାରିଛି।

Advertisment

ରାୟଗଡ଼ାର ପ୍ରାକୃତିକ ବିଭବ ଏହାର ଅନ୍ୟତମ ପ୍ରଧାନ ସମ୍ବଳ। ମାଟି ତଳେ ରହିଛି ପ୍ରଚୁର ଖଣିଜ ସମ୍ପଦ ଏବଂ ମାଟି ଉପରେ ରହିଛି ବନ ପାହାଡ଼ ଝରଣାର ବିପୁଳ ଶୋଭା ରାଜି। ଏଥିସହ ଏଠାରେ ବସବାସ କରୁଥିବା ସଉରା, କନ୍ଧ, ଜାତାପୁ, ପେଙ୍ଗ ପରଜା ସହ ଲାଞ୍ଜିଆ ସୌରା ଓ ଡ଼ଙ୍ଗରିଆ କନ୍ଧ ଭଳି ବିରଳ ଜନଜାତି। ଏଠାକାର ଗଛିତ ଖଣିଜ ସମ୍ପଦ କର୍ପୋରେଟ ସେକ୍ଟରକୁ ଆକର୍ଷିତ କରୁଛି। ଜନଜାତି ସଂସ୍କୃତି ଓ ପ୍ରକୃତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଛି। ଏଠାରେ ଇମ୍ପା, ଜେକେ କାଗଜକଳ, ଉତ୍କଳ ଆଲୁମିନା ସମେତ ଅନେକ ଖଣି ଖଦାନ କାର୍ଯ୍ୟକ୍ଷମ ରହିଛି। ରାୟଗଡା ଜିଲ୍ଲା ସୀମାନ୍ତବର୍ତ୍ତୀ ଲାଞ୍ଜିଗଡ଼ରେ ରହିଛି ବେଦାନ୍ତ ଆଲୁମିନା। ନିକଟରେ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲାରେ ଆଦିତ୍ୟ ବିର୍ଲା ସହ ଏକ ପୋଷାକ ଶିଳ୍ପ ପ୍ରତିଷ୍ଠା ଲାଗି ଘୋଷଣା କରିଛନ୍ତି। ଏସବୁ ଶିଳ୍ପ ଅନୁଷ୍ଠାନର ସୁପରିଚାଳନା ଲାଗି ଜରୁରୀ କାଳୀନ ଯାତାୟତ ପାଇଁ ଆବଶ୍ୟକ ବିମାନସେବା।

ଜିଲ୍ଲାରେ ଏତେ ସବୁ ସମ୍ଭାବନା ଆଗାମୀ ଦିନରେ ଶିଳ୍ପାୟନର ବିକାଶ ସହ ପର୍ଯ୍ୟଟନ ଶିଳ୍ପର ବିକାଶରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିପାରିବ ଏବଂ ରାଜ୍ୟ ସରକାରଙ୍କ ରାଜସ୍ବ ବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ। କୃଷି ଓ ବୈଷୟିକ ଶିକ୍ଷାରେ ବି ରାୟଗଡା ଜିଲ୍ଲା ଅନ୍ୟ ତିନୋଟି ଜିଲ୍ଲା ଠାରୁ ବହୁ ଆଗରେ। ଏସବୁ ସତ୍ବେ ରାୟଗଡା ଜିଲ୍ଲାରେ ନୂତନ ବିମାନ ବନ୍ଦର ସ୍ଥାପନ ହୋଇ ନପାରିବା ଜିଲ୍ଲାବାସୀଙ୍କୁ ବ୍ୟଥିତ ଓ ଚକିତ କରିଛି। ମାଲକାନଗିରି ଜିଲ୍ଲାରେ ବିମାନସେବା ଚାଲୁ ହୋଇଥିବା ବେଳେ ଏଠାରେ ବିମାନବନ୍ଦର ସ୍ଥାପନ ନ ହୋଇପାରିବା ଜିଲ୍ଲାର ରାଜନୈତିକ ନେତାଙ୍କ ପରିବାପାଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୀର୍ଘ ବର୍ଷର ଲଢେଇ ପରେ ୨୦୨୩ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଏସ କୋ କବଜାରେ ଥିବା ରାୟଗଡ ନିକଟବର୍ତ୍ତୀ ଅଂଚଳର ଶହଶହ ଏକର ଜମି ରାଜ୍ୟ ସରକାରଙ୍କ ରାଜସ୍ବ ଖାତାକୁ ଫେରିଛି। ସେହିପରି ରାମନଗୁଡା ବ୍ଲକ ଅନ୍ତର୍ଗତ ଉକାମ୍ବା ନିକଟରେ ବହୁ ପୂର୍ବରୁ ରହିଛି ଏକ ପୁରୁଣା ବିମାନ ଘାଟି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରୁଙ୍କ ବିମାନ ଅବତରଣ ଲାଗି ସେଠାରେ କାଳେ ବିମାନଘାଟି ସ୍ଥାପିତ ହୋଇଥିବା ସେଇ ଅଂଚଳର ଜନସାଧାରଣ ପ୍ରକାଶ କରିଛନ୍ତି।ରାୟଗଡା ଜିଲ୍ଲା ସଦର ମହକୁମାଠାରୁ କିଛି ଦୂରବର୍ତ୍ତୀ ପରିସୀମା ମଧ୍ୟରେ ଅନେକ ସରକାରୀ ଜମି ରହିଥିବାବେଳେ ଏ ଦିଗରେ ସରକାରୀ ଉଦାସୀନତାକୁ ବି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଜିଲ୍ଲାବାସୀ। ସଦର ମହୁକୁମା ଠାରୁ ସାମାନ୍ୟ ଦୂରରେ ହେଉ ପଛେ ରାୟଗଡାରେ ଖୁବ ଶୀଘ୍ର ବିମାନବନ୍ଦର ସ୍ଥାପନ ଜରୁରୀ ବୋଲି ଦାବି କରୁଛନ୍ତି ଜିଲ୍ଲାବାସୀ।ବିଭିନ୍ନ ରାଜନୈତିକ ଦଳ ବଡ଼ ବଡ଼ ଘୋଷଣା କରି ଜନମନ କିଣିବାକୁ ଚେଷ୍ଟା କରୁଥିବା ବେଳେ ବିମାନ ବନ୍ଦର ପ୍ରତିଷ୍ଠା ଦିଗରେ ଚରମ ଉଦାସୀନତା ଓ ଅବହେଳା ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ଦଳମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ଏବଂ ଆଗାମୀ ୨୦୨୪ର ଏକ ରାଜନୈତିକ ଇସ୍ୟୁ ଭାବେ ଉଭା ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।