ସୁନ୍ଦରଗଡ଼: ହେମଗିର କୋଇଲା ଖଣି ଓ ଅନ୍ୟ ଖଣିଜ ଦ୍ରବ୍ୟ ସହ ବିଭିନ୍ନ ପଣ୍ୟଦ୍ରବ୍ୟକୁ ନେଇ ସୁନ୍ଦରଗଡ଼ରେ ଗତ ୨୦ ବର୍ଷ ମଧ୍ୟରେ ଟ୍ରକ ପରିବହନ ଆଶାତୀତ ଭାବେ ବଢ଼ିଯାଇଛି। କେବଳ କୋଇଲା ପରିବହନରେ ୫ ହଜାରରୁ ଅଧିକ ଟ୍ରକ ନିୟୋଜିତ ରହିଛି। ଅନ୍ୟ ପରିବହନ ମିଶି ଏ ସଂଖ୍ୟା ୮୨୮୪ରେ ପହଞ୍ଚି ଯାଇଥିବା ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଟ୍ରକ ଓ ଅନ୍ୟ ଗାଡ଼ି ପରିବହନ କାମ ସାରିବା ପରେ ବିଶ୍ରାମ ନେବାକୁ ସୁନ୍ଦରଗଡ଼ରେ କୌଣସି ସୁରକ୍ଷିତ ବା ସ୍ବତନ୍ତ୍ର ସ୍ଥାନ ନାହିଁ। ଟ୍ରକ ମାଲିକମାନଙ୍କ ବହୁ ଦାବି ସତ୍ତ୍ବେ ଏଠାରେ ଟ୍ରକ ଟର୍ମିନାଲ ନିର୍ମାଣ ହୋଇପାରି ନାହିଁ। ପ୍ରଶାସନର ପ୍ରସ୍ତାବ, ସ୍ଥାନ ନିରୂପଣ, ଅଟକଳ ମଧ୍ୟରେ ଟର୍ମିନାଲ ଅଟକି ଯାଇଛି। ଫଳରେ ରାଜ୍ୟ ରାଜପଥ ଓ ସହର ମଧ୍ୟସ୍ଥିତ ମୁଖ୍ୟ ରାସ୍ତା କଡ଼ ଟ୍ରକଗୁଡ଼ିକର ପାର୍କିଂସ୍ଥଳ ପାଲଟିଛି। ଯାହା ଅନେକ ସମୟରେ ଦୁର୍ଘଟଣା ଓ ଲୁଟତରାଜ, ଚୋରିର ବଡ଼ କାରଣ ହୋଇଛି। ହେମଗିର ଅଞ୍ଚଳରେ ଏସିଆର ଦ୍ବିତୀୟ ସର୍ବବୃହତ ଏମସିଏଲ ଖଣି ଖୋଳା ଆରମ୍ଭ ହେବା ପରେ କୋଇଲା ପରିବହନରେ ୫ ହଜାରରୁ ଅଧିକ ୬ ଚକିଆ ଟ୍ରକ ନିୟୋଜିତ ହୋଇଥିଲା।
ଏତେ ସଂଖ୍ୟକ ବୋଝେଇ ଓ ଖାଲି ଟ୍ରକ ଯାତାୟତ କରୁଥିଲେ ମଧ୍ୟ କୌଣସି ସ୍ଥାନରେ ପାର୍କିଂ ବ୍ୟବସ୍ଥା ନଥିଲା। ଏପରିକି ଏମସିଏଲ ମଧ୍ୟ କୌଣସି ପାର୍କିଂ ବ୍ୟବସ୍ଥା କରି ନଥିଲାଂ। ଫଳରେ ନୋ ଏଣ୍ଟ୍ରି ସମୟରେ ଗାଡ଼ିଗୁଡ଼ିକ ରାସ୍ତା କଡ଼ରେ ଛିଡ଼ା ହେଉଥିଲା। ସୁନ୍ଦରଗଡ଼ରୁ ହେମଗିର ଅଣ ଓସାରିଆ ରାସ୍ତା ଓ ସହର ଦେଇ ଯାଇଥିବା ରାଜ୍ୟ ରାଜପଥ-୧୦ କଡ଼, ରାଣୀବଗିଚା, ଶଙ୍କରା, କଲେଜ ରୋଡରେ ଶହ ଶହ ଟ୍ରକର ପାର୍କିଂ ସାଧାରଣ ଯାତାୟତରେ ବାଧା ସୃଷ୍ଟି କରୁଥିଲା। ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ହୋଇଥିଲା। ଅନ୍ୟପଟେ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଥିବାରୁ ଚାଳକମାନେ ଲୁଟର ସମ୍ମୁଖୀନ ହେଉଥିଲେ। ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଏକ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଦାବି କରିଥିଲେ।
/sambad/media/post_attachments/wp-content/uploads/2022/05/c9a4972a-1e3c-4235-a0a2-0a4da54666c2-1024x472.jpg)
ଏହା ପରେ ପ୍ରଶାସନ କିରେଇ ଠାରେ ଜମି ଚିହ୍ନଟ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୋଇଲା ପରିବହନରୁ ୬ ଚକିଆ ଟ୍ରକ ହଟିଯିବା ଓ ମଲ୍ଟି ଏକ୍ସଲ ଟ୍ରକ ପ୍ରବେଶ କରିବା ପରେ ଟ୍ରକ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଥିଲା। ତେଣୁ ଟ୍ରକ ଟର୍ମିନାଲ କଥା ଉଭୟ ସଂଘ ଓ ପ୍ରଶାସନ ଭୁଲିଗଲେ। ଏବେ ମଲ୍ଟି ଏକ୍ସଲ ଟ୍ରକ ସଂଖ୍ୟା ବଢ଼ିଯାଇଛି। ସଂଖ୍ୟା ୫ ହଜାର ଛୁଇଁଥିବାରୁ ପୂର୍ବ ପରି ପାର୍କିଂ ସମସ୍ୟା ଦେଖାଦେଲାଣି। ଟର୍ମିନାଲ ନଥିବାରୁ କୋଇଲା ଓ ଲୁହା ପଥର ପରିବହନରେ ନିୟୋଜିତ ଟ୍ରକଗୁଡ଼ିକ ରାଣୀବଗିଚା ବାଇପାସ, ପତ୍ରାପାଲି ରୋଡ୍, ଶଙ୍କରା, କିରେଇ ଓ କଲେଜ ବାଇପାସରେ ପାର୍କିଂ କରୁଥିବା ଦେଖାଯାଇଛି। ରାସ୍ତା କଡ଼ରେ ରାତିରେ ପାର୍କିଂ କରୁଥିବା ଟ୍ରକ ଚାଳକମାନେ ବହୁ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହୋଇଛି। ବାହାର ରାଜ୍ୟରୁ ପଣ୍ୟଦ୍ରବ୍ୟ ନେଇ ଆସୁଥିବା ଚାଳକମାନଙ୍କ ଠାରୁ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ୍ ଲୁଟି ନେବା ନିତିଦିନିଆ କଥା ହୋଇଯାଇଛି। ଏହା ଛଡ଼ା ଚାଳକଙ୍କ ଅନୁପସ୍ଥିତିରେ ଟ୍ରକର ଚକ, ବ୍ୟାଟେରି ଓ ଡିଜେଲ ଚୋରି ହୋଇ ଯାଉଥିବା ଅଭିଯୋଗ ରହିଛି। ଏ ନେଇ ଟ୍ରକ ମାଲିକ ଓ ପରିବହନ ସଂଘ ଜିଲ୍ଲା ପ୍ରଶାସନକୁ ଟର୍ମିନାଲ ପାଇଁ ଦାବି କରିଛନ୍ତି।
ଏଠାରେ ପ୍ରକାଶଯୋଗ୍ୟ, ପ୍ରତି ଜିଲ୍ଲାରେ ଟ୍ରକ ଟର୍ମିନାଲ ପାଇଁ ପରିବହନ ବିଭାଗ ଗତ ୨୦୨୧ ଡିସେମ୍ବର ୨୧ରେ ଜିଲ୍ଲାପାଳମାନଙ୍କୁ ଚିଠି କରିଥିଲେ। ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ନିକଟରେ ଟର୍ମିନାଲ ନିର୍ମାଣ ପାଇଁ ୧୦ରୁ ୨୦ ଏକର ଜମି ଚିହ୍ନଟ କରିବାକୁ କୁହାଯାଇଥିଲା। ୩୦ରୁ ୫୦ କୋଟି ବ୍ୟୟରେ ହେବାକୁ ଥିବା ଏହି ଟର୍ମିନାଲରେ ୫ ଶହରୁ ୧୫ ଶହ ଟ୍ରକ ପାର୍କିଂ ସହ ୱେ ବ୍ରିଜ୍, ତେଲ ଟାଙ୍କି, ଲୋଡିଂ ଓ ଅନଲୋଡିଂ ସୁବିଧା, ଗୋଦାମ, ଶୀତଳ ଭଣ୍ଡାର, ଗ୍ୟାରେଜ, ଫାଣ୍ଡି, ସ୍ବାସ୍ଥ୍ୟ କେନ୍ଦ୍ର. ଶୌଚାଳୟ, ଲନ୍, ବିଶ୍ରାମ ଅଞ୍ଚଳ, ପାନୀୟ ଜଳ, ହୋଟେଲ, ମାର୍କେଟ କମ୍ପ୍ଲେକ୍ସ ଆଦି ବ୍ୟବସ୍ଥା ରଖିବାକୁ ବିଭାଗ ଯୋଜନା କରିଛି। କିନ୍ତୁ ପ୍ରଶାସନ ଏଯାଏ ଟର୍ମିନାଲ ପାଇଁ ଜମି ଚିହ୍ନଟ କରି ନଥିବା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/c68bc4c6-bdcb-4f8a-9ba7-0493da096265.jpg)