ରାୟଗଡ଼ା: ବଂଶଧାରା ଜଳ ଆବଣ୍ଟନକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଚାଲିଛି ବିବାଦ। ୧୬ ବର୍ଷ ଧରି ଟ୍ରିବ୍ୟୁନାଲରେ ମାମଲାର ବିଚାର ଚାଲିଥିବା ବେଳେ ଏହା ଭିତରେ ଆନ୍ଧ୍ର ବଂଶଧାରା ଉପରେ ଦୁଇଟି ବ୍ୟାରେଜ୍ ନିର୍ମାଣ କରି ତୃତୀୟ ପ୍ରକଳ୍ପ ନିର୍ମାଣ ପାଇଁ ଟ୍ରିବ୍ୟୁନାଲରୁ ଅନୁମତି ପାଇ ସାରିଛି। ଓଡ଼ିଶା ସରକାର କେବଳ ମାମଲା ରୁଜୁ କରି ରାୟକୁ ଅପେକ୍ଷା କରି ଚାହିଁ ବସିଥିବାରୁ ଓଡ଼ିଶା ଅବବାହିକା ପ୍ରକଳ୍ପ ଶୂନ୍ୟ ହୋଇଛି।

Advertisment

ଓଡ଼ିଶାରେ ପ୍ରବାହିତ ବଂଶଧାରା ଉପର ମୁଣ୍ଡରେ କୌଣସି ପ୍ରକଳ୍ପ ନିର୍ମାଣ ହୋଇନଥିବାରୁ ସମସ୍ତ ପାଣି ଆନ୍ଧ୍ରକୁ ବହି ଯାଉଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁରର ଉତ୍ପତ୍ତି ୨୧୭ କିମି ଲମ୍ବା ବିଶିଷ୍ଟ ବଂଶଧାରାର ସିଂହଭାଗ ୧୨୫ କିମି ଓଡ଼ିଶାରେ ପ୍ରବାହିତ ହେଉଛି। ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡ଼ା, ଗୁଡାରି, ପଦ୍ମପୁର, ଗୁଣପୁର, ରାମନାଗୁଡ଼ା, ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅଞ୍ଚଳ ଦେଇ ପ୍ରବାହିତ ହେବା ପରେ ବଂଶଧାରା ଆନ୍ଧ୍ରକୁ ଛୁଇଁଛି। ୭ଟି ବ୍ଲକ୍ ଅଞ୍ଚଳରେ ବହୁମୂଖୀ ଡ୍ୟାମ୍, ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ, ନଦୀ ସଂଯୋଗୀକରଣର ଯଥେଷ୍ଟ ସମ୍ଭାବନା ରହିଛି। ଅଥଚ ଆଜି ସୁଦ୍ଧା ଓଡ଼ିଶା ସରକାର ଗୋଟିଏ ବି ପ୍ରକଳ୍ପ ନିର୍ମାଣରେ ସଫଳ ହୋଇନାହାନ୍ତି। ଯେଉଁଥି ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ଶ୍ରୀ ଉଲାକା ସଂସଦରେ ଦାବି କରିଛନ୍ତି, ବଂଶଧାରା ଉପରେ ପ୍ରକଳ୍ପ ନିର୍ମାଣ ହେଲେ ଚାଷ ଜମିକୁ ପାଣି ମାଡ଼ିବା ସହ ବନ୍ୟା ନିୟନ୍ତ୍ରଣ, ମରୁଡ଼ି ଆଶଙ୍କା ଦୂର ହେବ। ଏଥି ସହ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସାମାଜିକ ଅର୍ଥନୈତିକ ସ୍ଥିତିରେ ସୁଧାର ଆସିବ। ୫୦ ବର୍ଷ ଧରି ଆନ୍ଧ୍ର-ଓଡ଼ିଶା ଜଳ ବିବାଦ ଚାଲିଥିବାରୁ ଏହାର ଫାଇଦା ଉଠାଇ ଆନ୍ଧ୍ର ବଂଶଧାରା ଉପରେ ଗୋଟା, କାଟ୍ରାଗୁଡା ବ୍ୟାରେଜ୍ ନିର୍ମାଣ ପରେ ତୃତୀୟ ପ୍ରକଳ୍ପ ନେରେଡ଼ି ପାଇଁ ଅନୁମତି ହାତେଇ ସାରିଛି। ୨୦୨୨ ଜୁନରେ ଟ୍ରିବ୍ୟୁନାଲ୍ ନେରେଡ଼ି ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସପକ୍ଷରେ ମତ ଦେବା ପରେ ଓଡ଼ିଶା ସରକାର ପୁଣି ମାମଲା ଦାୟର କରିଛନ୍ତି।  ମାମଲା ରୁଜୁକୁ ଛାଡ଼ିଲେ ରାଜ୍ୟ ସରକାର କିଛି ପଦକ୍ଷେପ ନେଉନଥିବାରୁ କେନ୍ଦ୍ର ସରକାର ବଂଶଧାରାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ଉପରମୁଣ୍ଡରେ ଜଳ ବିଦ୍ୟୁତ୍ ପ୍ରକଳ୍ପ, ବହୁମୂଖୀ ଡ୍ୟାମ୍ ନିର୍ମାଣ କରିବାକୁ ସପ୍ତଗିରି ସଂସଦରେ ଦାବି କରିଛନ୍ତି।

୧୯୬୨ ମସିହାରେ ହୀରମଣ୍ଡଳମ ନିକଟରେ ଆନ୍ଧ୍ର ବଂଶଧାରା ଉପରେ ଗୋଟା ବ୍ୟାରେଜ୍ ନିର୍ମାଣ ଆରମ୍ଭ କରିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରକଳ୍ପକୁ ବିରୋଧ କରିବା ପରେ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଟିମ୍ ଗଠନ କରି ସର୍ଭେ ପାଇଁ ପଠାଇଥିଲେ। କେନ୍ଦ୍ର ଜଳସେଚନ ମନ୍ତ୍ରୀଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ଟିମ୍ ବଂଶଧାରା ପରିଦର୍ଶନ କରି ସର୍ଭେ ରିପୋର୍ଟ ଦେବା ପରେ ବଂଶଧାରା ନଦୀ ଜଳକୁ ଉଭୟ ରାଜ୍ୟ ୫୦-୫୦ ପ୍ରତିଶତ ଅନୁପାତରେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା। ଫଳରେ ଗୁଡାରୀ ନିକଟରେ ଓଡ଼ିଶା ପାଣିଡଙ୍ଗର ଓ ଆନ୍ଧ୍ର ହୀରମଣ୍ଡଳମ ନିକଟରେ ଗୋଟା ବ୍ୟାରେଜ୍ ନିର୍ମାଣ ଆରମ୍ଭ କରିଥିଲା। ଆନ୍ଧ୍ର ସରକାର ୧୯୭୨ ମସିହାରେ ଗୋଟା ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ସାରି ଉଦଘାଟନ କରିଥିଲେ। କିନ୍ତୁ ଓଡ଼ିଶା ସରକାର ପାଣିଡଙ୍ଗର ପ୍ରକଳ୍ପ ନିର୍ମାଣରେ ସଫଳ ହୋଇପାରିନଥିଲେ। ୨୦୦୫ ମସିହାରେ ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇଥିଲେ। ୨୦୦୬ରେ ଗୁଡାରୀରେ ବଂଶଧାରା-ଋଷିକୂଲ୍ୟା ସଂଯୋଗୀକରଣ ସର୍ଭେ ଅଫିସକୁ ତତ୍କାଳୀନ ଜଳସଂପଦ ମନ୍ତ୍ରୀ ରବି ନନ୍ଦ ଉଦଘାଟନ କରିଥିଲେ। ୯୦୦ କୋଟି ବ୍ୟୟରେ ୨୭୩୦ ବର୍ଗ କିମି ଅବବାହିକା କ୍ଷେତ୍ର ବିଶିଷ୍ଟ ଏହି ପ୍ରକଳ୍ପ ଦୀର୍ଘ ୫୪ କିମି କେନାଲ ୨ଟି ଟନେଲ୍ ‌ଦେଇ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ୍ ଗୋପାଳପୁର ନିକଟରେ ଋଷିକୂଲ୍ୟାରେ ମିଶିବା ପାଇଁ ଯୋଜନା ହୋଇଥିଲା। ୧୩.୮୫ ହଜାର ମିଲିୟନ୍ କ୍ୟୁବିକ୍ ଫୁଟ ଜଳ ବଂଶଧାରାରୁ ଋଷିକୂଲ୍ୟାକୁ ଛାଡିବା ପ୍ରକଳ୍ପର ଲକ୍ଷ୍ୟ ଥିବା ବେଳେ ଚନ୍ଦ୍ରପୁର ବ୍ଲକର ମୀନାଝୋଲା ନିକଟରେ ଡ୍ୟାମ୍ ନିର୍ମାଣ ପ୍ରସ୍ତାବ ଥିଲା। ଯାହା ସବୁ କିଛି ପ୍ରସ୍ତାବରେ ହିଁ ସୀମିତ ରହିଛି।