ବରଗଡ଼: ବରଗଡ଼ ସହରର ପ୍ରବେଶ ପଥ ଭଟଲି ଛକ ମରଣଯନ୍ତା ପାଲଟିଛି। ସବୁଠୁ ବେଶି ଭିଡ଼ ହେଉଥିବା ଏହି ଚାରିଛକିଆ ଇଲାକାରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସବୁଠୁ କାଠିକର ପାଠ। ବାରମ୍ବାର ଟ୍ରାଫିକ୍‌ ବିଭ୍ରାଟ୍‌, ଅନିୟନ୍ତ୍ରିତ ଭାରିଯାନ ଚଳାଚଳ ଯୋଗୁଁ ଛକରେ ଦୁର୍ଘଟଣା ଘଟି ମୁଣ୍ଡ ଗଡ଼ୁଥିବା ନଜିର ରହିଛି। ସବୁ ସମୟରେ ଏଠାରେ ମୃତ୍ୟୁଭୟ ଲାଗି ରହିଛି। ଛକର ସଂରଚନା ଏଭଳି ଯେ ଟ୍ରାଫିକ୍‌ ପୁଲିସ୍‌ ମଧ୍ୟ ସ୍ଥିତି ନିୟନ୍ତ୍ରଣ କରିବାକୁ ନାଚାର। ଭଟଲି ପଟୁ ଜାତୀୟ ରାଜପଥକୁ ଉଠିବାକୁ ହେଲେ ଭଟଲି ଛକ ଦେଇ ଜୀରା ବ୍ରିଜ୍‌ ଅତିକ୍ରମ କରି ପ୍ରଧାନପାଲି ଛକକୁ ଯିବାକୁ ହେବ। ପୂର୍ବରୁ ଭଟଲି ଛକ ପୂର୍ବରୁ ଜାତୀୟ ରାଜପଥକୁ ଯିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦୃଢ଼ ଦାବି ହୋଇଥିଲା। କିନ୍ତୁ ଏହା ଉପରେ କିଛି ପଦକ୍ଷେପ ହେଲା ନାହିଁ। ଭଟଲି ଛକ ପରେ ଥିବା ଓଭରବ୍ରିଜ୍‌ ଉପରକୁ ସଂଯୋଗ କରିବା ପାଇଁ ଦୁଇଟି ସବ୍‌-ୱେ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି।

Advertisment

ତେବେ ଏହାର କିଛି ଅଗ୍ରଭତି ଦେଖିବାକୁ ମିଳିନାହିଁ। ଛକରେ ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏଠାରେ ପାର୍କିଂ ମୁଖ୍ୟ ସମସ୍ୟା। ଗାଡ଼ିଗୁଡ଼ିକ ରାସ୍ତା ଉପରେ ପାର୍କିଂ ହେଉଛି। ତେଣୁ ଏସିସି ସିମେଣ୍ଟ, ଇଥାନଲ୍‌ ପ୍ଲାଣ୍ଟ ଏବଂ ଛତିଶଗଡ଼ରୁ ଆସୁଥିବା ଭାରିଯାନ ଭଟଲି ଛକ ଦେଇ ଅତିକ୍ରମ କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ଲାଗି ରହୁଛି। ବରଗଡ଼-ଭଟଲି ମଧ୍ୟ‌େର କ୍ରମଶଃ ଜନବସତି ବଢ଼ିବାକୁ ଲାଗିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୧୫ରୁ ଅଧିକ ଶିକ୍ଷାନୁଷ୍ଠାନ ଏହି ରାସ୍ତାରେ। ଆମ୍ବୁଲାନ୍ସ ଏବଂ ସ୍କୁଲ ବସ୍‌ ନିରନ୍ତର ଚଳାଚଳ କରୁଛି। କିନ୍ତୁ ଭାରି ଯାନ ଚଳାଚଳ ଯୋଗୁଁ ସର୍ବଦା ବିପଦ ରହୁଛି। ବର୍ତମାନ ସହରର ରାସ୍ତାଗୁଡ଼ିକ ସଂପ୍ରସାରଣ କାମ ଚାଲିଛି। ବରଗଡ଼-ଭଟଲି ରାଜ୍ୟ ରାଜପଥ ମଧ୍ୟ ଦୁଇଥାକିଆ ପ୍ରସ୍ତାବ ରହିଛି। ତେଣୁ ଭଟଲି ପଟୁ ଜାତୀୟ ରାଜପଥକୁ ଛୁଇଁବା ପାଇଁ ସହର ବାହାରୁ ବିକଳ୍ପ ରାସ୍ତା କରିବାକୁ ସାଧାରଣରେ ଦାବି ହେଉଛି।