ଭୂତାଇଦେଲେ କେନ୍ଦ୍ର ସରକାର! ରାଉରକେଲାରୁ ଉଡ଼ିବନି ବଡ଼ବିମାନ

ରାଉରକେଲା: ଇସ୍ପାତ ସହର ରାଉରକେଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ଲମ୍ବା ତାଲିକା ରହିଛି। କୋଏଲ ସେତୁଠାରୁ ଆରମ୍ଭକରି ଆଇଆଇଏମ୍‌ ସ୍ଥାପନ, ଇଏସ୍‌ଆଇ ହସପିଟାଲ ପ୍ରତିଷ୍ଠା ଆଦି ଏକାଧିକ ପ୍ରକଳ୍ପକୁ ହାତଛଡ଼ା କରିଛନ୍ତି ସହରବାସୀ। ଏବେ ଚଞ୍ଚକତା କରି ରାଉରକେଲାବାସୀଙ୍କୁ ଉତ୍କୃଷ୍ଟମାନର ବିମାନ ସେବା ଯୋଗାଇବାରୁ ବଞ୍ଚିତ କରାଯାଉଛି। ଏଠାରେ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ ଥିଲେ ସୁଦ୍ଧା ଯୋଜନାବଦ୍ଧଭାବେ ଭିତ୍ତିଭୂମିର ବିକାଶ କରାନଯାଉନି, ପରନ୍ତୁ କମ୍‌ ସୁବିଧା ଥିବା ସ୍ଥାନରେ ଅତ୍ୟାଧୁନିକ ଏୟାର୍‌ପୋର୍ଟ ପ୍ରତିଷ୍ଠାରେ କେନ୍ଦ୍ର ସରକାର ଲାଗିପଡ଼ିଛନ୍ତି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର କ୍ରମାଗତ ହତାଦର ଯୋଗୁଁ ଭବିଷ୍ୟତରେ ଯେ ରାଉରକେଲାରୁ ବଡ଼ ବିମାନ ଉଡ଼ିବନି, ତାହା ସ୍ପଷ୍ଟ ଜଣାପଡ଼େ।

ରାଉରକେଲା ଏୟାର୍‌ଷ୍ଟ୍ରିପ୍‌ରେ ଥିବା ରନ୍‌ୱେର ଦୈର୍ଘ୍ୟ ହେଉଛି ୬୦୬୬ (୧୮୪୮ ମିଟର)। ସଂପ୍ରତି ୧୯୦ ମିଟର୍‌ (୬୨୩ ଫୁଟ) ରନ୍‌ୱେ ସଂପ୍ରସାରଣ କାର୍ଯ୍ୟ ନିର୍ମାଣାଧୀନ। କାର୍ଯ୍ୟ ଶେଷ ହେଲେ ରାଉରକେଲା ଏୟାରପୋର୍ଟ୍‌ର ରନୱେ ୬୬୮୯ ଫୁଟ୍‌ ଦୈର୍ଘ୍ୟ ବିଶିଷ୍ଟ ହେବ। ଅର୍ଥାତ୍‌ ଏଠାରେ କେବଳ ୭୦ ସିଟ୍‌ ବିଶିଷ୍ଟ ଏଟିଆର୍‌ ୭୨ ଆଦି ଏୟାର୍‌କ୍ରାଫ୍ଟ ଉଡ଼ିପାରିବ। ତେବେ ଏତେ କମ୍‌ ଦୈର୍ଘ୍ୟ ବିଶିଷ୍ଟ ରନ୍‌ୱେରେ ବଡ଼ ବିମାନ ଚଳାଚଳା କରିବାପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ବିଭିନ୍ନ ବିମାନ, ଯଥା- ଏ୩୨୦, ଏ୩୨୦ ନିଓ, ଏ୩୨୧ ନିଓ ଚଳାଚଳ ପାଇଁ ରନ୍‌ୱେର ଦୈର୍ଘ୍ୟ ଅନ୍ୟୁନ ୬୮୨୬ ଫୁଟ୍‌ ବିଶିଷ୍ଟ ହେବା ଅନିବାର୍ଯ୍ୟ। ଏତଦ୍‌ବ୍ୟତୀତ ଏ୩୩୦ ବିମାନ ପାଇଁ ୯୦୯୦ ଫୁଟ୍‌ ଦୈର୍ଘ୍ୟ ବିଶିଷ୍ଟ ରନ୍‌ୱେର ଆବଶ୍ୟକତା ଥିବାବେଳେ ବୋଇଂ ୭୩୭-୮୦୦ ପାଇଁ ୭୫୯୮ ଫୁଟ୍‌, ୭୩୭-୯୦୦ ଇଆର୍‌ ପାଇଁ ୯୮୦୦ ଫୁଟ୍‌ର ରନ୍‌ୱେ ଆବଶ୍ୟକ। ତେବେ ରାଉରକେଲା ଏୟାରପୋର୍ଟସ୍ଥ ରନ୍‌ୱେର ଦୈର୍ଘ୍ୟ ମାତ୍ର ୬୬୮୯ ଫୁଟ ଭିତରେ ସୀମିତ ରହୁଥିବାରୁ ବଡ଼ ଧରଣର ବିମାନ ଚଳାଚଳ କରିବାର ସାମାନ୍ୟତମ ସମ୍ଭାବନା ନାହିଁ। ଅନ୍ୟ ଏକ ପ୍ରମୁଖ ଦିଗ ହେଲା, ବର୍ତ୍ତମାନର ରନ୍‌ୱେର ୧୩୪୯ ଫୁଟ୍‌କୁ ସଂପ୍ରସାରଣରୁ ବାଦ୍‌ ଦିଆଯାଇଥିବାବେଳେ ଏହାର ପ୍ରକୃତ କାରଣ ମଧ୍ୟ ଅସ୍ପଷ୍ଟ। ଉଲ୍ଲେଖଯୋଗ୍ୟ, ଏହାକୁ ବାଦ୍‌ ଦିଆଯାଇନଥିଲେ ରନ୍‌ୱେର ଦୈର୍ଘ୍ୟ ପ୍ରାୟ ୮୦୩୮ ଫୁଟ୍‌ ହୋଇଥାନ୍ତା; ଅର୍ଥାତ୍‌ ଏଥିରେ ବୋଇଂ, ଏୟାରବସ୍‌ ଆଦି ବିମାନ ଅନାୟାସରେ ଚଳାଚଳ କରିଥାନ୍ତା। ବିଗତ ଦିନରେ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌) ପକ୍ଷରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ସଂସ୍ଥାକୁ ୧୪୬ ଏକର ଜମି ହସ୍ତାନ୍ତର କରିଯାଇଛି। ଏଣୁ ସଂପ୍ରସାରଣ ପାଇଁ ଜମି ଅଭାବ ଆଉ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠେ, ମୂଳ ରନୱେର ୧୩୪୯ ଫୁଟକୁ ପୂର୍ଣ୍ଣ ପ୍ରକଳ୍ପରୁ ବାଦ୍‌ ଦିଆଗଲା କାହିଁକି? ସଂପ୍ରସାରଣ କାର୍ଯ୍ୟ ମାତ୍ର ୧୯୦ ମିଟରରେ ସୀମିତ ରଖାଗଲା କାହିଁକି? ସେଲ୍‌ ପ୍ରଦତ୍ତ ୧୪୬ ଏକର ଜମିକୁ ବିନିଯୋଗ କରାନଯିବାର କାରଣ କ’ଣ?

ରାଉରକେଲାବାସୀଙ୍କୁ ଉନ୍ନତମାନର ବିମାନ ସେବାରୁ ବଞ୍ଚିତ ରଖିବାର ଏହା ପ୍ରଥମ ଉଦାହରଣ ନୁହେଁ, ଏହା ପୂର୍ବରୁ ବି ଅନେକବାର ଏଭଳି ପଦକ୍ଷେପ ନିଆଯାଇଥିବା ପରିଲକ୍ଷିତ ହୋଇଥିଲା। ଏହି ଏୟାରପୋର୍ଟର ମୂଳ ରନ୍‌ୱେ (୬୦୬୬ ଫୁଟ୍‌)ରେ ମଧ୍ୟ ଏଟିଆର୍‌ ୭୨-୬୦୦ଏୟାର୍‌କ୍ରାଫ୍‌ ସେବା ଆରମ୍ଭ ହୋଇପାରିଥାନ୍ତା। କିନ୍ତୁ ରାଉରକେଲା ଏୟାରପୋର୍ଟକୁ ୨ବି ଲାଇସେନ୍ସ ମିଳିଥିବାରୁ ଏହା ସମ୍ଭବ ହୋଇନଥିଲା। ଅପରପକ୍ଷରେ ରାଉରକେଲା ଅପେକ୍ଷା କମ୍‌ ରନୱେ ବିଶିଷ୍ଟ ଏୟାରପୋର୍ଟ‌ରେ ଏଟିଆର୍‌ ୭୨ ଚଳାଚଳ କରୁଛି। ସେ ଗୁଡ଼ିକ ହେଲା, ବିଳାସପୁର ଏୟାରପୋର୍ଟ‌୍(୫୦୩୫ ଫୁଟ୍‌), ଜଗଦଲପୁର(୫୬୦୦ ଫୁଟ), ସିଲଂ (୬୦୦୦ ଫୁଟ୍‌), ପୁଡୁଚେରୀ (୫୮୦୦ ଫୁଟ୍‌), ମହୀଶୂର(୫୬୦୯ ଫୁଟ୍‌), ଦିବ୍ରୁଗଡ଼(୬୦୦୪ ଫୁଟ), ଡିଉ(୫୯୨୨ ଫୁଟ), କାନ୍ଦଲା(୪୯୯୭ ଫୁଟ୍‌), ରାଜକୋଟ (୬୦୪୯ ଫୁଟ୍‌), ପୋରବନ୍ଦର(୪୫୦୦ ଫୁଟ୍‌)। ସଂପ୍ରସାରଣ ପରେ ରାଉରକେଲା ଏୟାରପୋର୍ଟ‌୍ ୩ସି ଲାଇସେନ୍ସ ହିଁ ମିଳିବ।

ଆସନ୍ତା ଅକ୍ଟୋବର ସୁଦ୍ଧା ଏଠାରୁ ବିମାନ ସେବା ଆରମ୍ଭ ହେବବୋଲି କିଛି ଦିନ ପୂର୍ବେ କେନ୍ଦ୍ରୀୟ ଉଡ୍ଡୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ପ୍ରଶ୍ନର ଜବାବ ରଖିଥିଲେ। ତେବେ ସାଂପ୍ରତିକ ନିର୍ମାଣ ସ୍ଥିତି ଦେଖିଲେ ଏହି ସମୟସୀମା ଭିତରେ ବିମାନ ଉଡ଼ିବା ସୁନିଶ୍ଚିତ ହୋଇପାରୁନି। ଟର୍ମିନାଲ ବିଲ୍‌ଡିଂ, ରନ୍‌ୱେ, ୫ ଶହ ମିଟ ପାଚେରୀ ନିର୍ମାଣ ଶେଷ ହୋଇନି। ରାଉରକେଲାରେ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି), ଲାର୍ସନ ଆଣ୍ଡ୍‌ ଟ୍ୟୁବ୍ରୋ, ଲିବର୍ଟି, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ କାରଖାନା, ଡାଲମିଆ ସିମେଣ୍ଟ ପ୍ଲାଣ୍ଟ୍, ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ, ଯଥା- ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ସମେତ ଏକାଧିକ ଖଣି ଖାଦାନ, ଛୋଟବଡ଼ ଶିଳ୍ପ ପ୍ରତିଷ୍ଠାନ ରହିଛି। ଏଣୁ ନିୟମିତ ତଥା ଉନ୍ନତମାନର ବିମାନ ସେବାର ଆବଶ୍ୟକତା ଥିବାବେଳେ ବାସ୍ତବରେ ଏହା ଦିବାସ୍ବପ୍ନ ପାଲଟିଛି।

ସମ୍ବନ୍ଧିତ ଖବର