ଶେରଗଡ଼ରୁ ପୁରୀ ଗଡ଼ିଲା ବସ୍, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡକୁ କେବେ? ବଦଳାଇବାକୁ ପଡ଼ୁଛି ୩ ଗାଡ଼ି

ଶେରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଶେରଗଡ଼ରୁ ପୁରୀକୁ ସିଧାସଳଖ ସରକାରୀ ଏସି ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଛନ୍ତି। ହେଲେ କ୍ଷୋଭର ବିଷୟ ହେଉଛି, ବିଭିନ୍ନ ମହଲରେ ବହୁବାର ଦାବି ଉପସ୍ଥାପନ ସତ୍ତ୍ବେ ଶେରଗଡ଼ରୁ ଜିଲ୍ଲା ସଦର ମହକୁମା ଛତ୍ରପୁର ଓ ରାଜସ୍ବ ଉପଖଣ୍ଡ ଭଞ୍ଜନଗର ସହରକୁ ଏଯାଏ ବସ୍ ସେବା ଆରମ୍ଭ ହୋଇପାରୁନି। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ସିଧାସଳଖ ବସ୍ ସେବା ଉପଲବ୍ଧ ନଥିବାରୁ ଉଭୟ ସହରକୁ ଯିବାକୁ ହେଲେ ଯାତ୍ରୀଙ୍କୁ ୩ ଗାଡ଼ି ବଦଳାଇବାକୁ ପଡ଼ୁଛି। ଛତ୍ରପୁର ଯିବାକୁ ‌ହେ‌ଲେ ଶେରଗଡ଼ରୁ ବ୍ରହ୍ମପୁର ଆସି ସେଠାରେ ଆଉ ଏକ ଗାଡ଼ିରେ ଚଢ଼ିବାକୁ ପଡ଼ୁଛି। ଠିକ୍ ସେହିପରି ଭଞ୍ଜନଗର ଯିବାକୁ ହେଲେ ଶେରଗଡ଼ରୁ ଆସିକା ଏବଂ ସେଠାରୁ ବସ୍ ବଦଳାଇବାକୁ ହେଉଛି। ଫଳରେ ‌ଯାତ୍ରୀ ଖର୍ଚ୍ଚାନ୍ତ ହେବା ସହ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ସେହିପରି କିଛି ଲୋକ ହିଞ୍ଜିଳିକାଟୁ କିମ୍ବା ଶ୍ୟାମଳାଇ ଛକକୁ ଯାଇ ଭଞ୍ଜନଗର ଯିବା ଲାଗି ବସ୍‌ରେ ଚଢ଼ୁଛନ୍ତି। ବିଭିନ୍ନ ସରକାରୀ କାମରେ ଜିଲ୍ଲାପାଳ ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଫିସ୍‌କୁ ଯିବା ଲାଗି ସିଧାସଳଖ ବସ୍ ସେବା ନଥିବାରୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅଞ୍ଚଳାବାସୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର