କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: କେନ୍ଦ୍ରର ‘ହଁ’, ଅନୁମତିରେ ଲଟକିଛି

ଜୟପୁର: କେନ୍ଦ୍ର ସରକାରଙ୍କ ମାତ୍ର ଗୋଟିଏ ‘ହଁ’ ଅନୁମତିରେ ଲଟକି ରହିଛି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ। ତେବେ କେଉଁ କାରଣ ପାଇଁ ଜୟପୁରରେ ଏହି ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଚାହୁଁ ନାହାନ୍ତି ଏହି ପ୍ରଶ୍ନ ଜୟପୁର ସହରବାସୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି। ଗତ କିଛି ବର୍ଷ ଧରି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ, ଜୟପୁର ପ୍ରେସ କ୍ଲବ ପକ୍ଷରୁ ବି ଦାବି କରାଯାଇଥିଲା। ଏହି ଦାବିକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସାଂସଦ ଇଂ.ସପ୍ତଗିରୀ ଶଙ୍କର ଉଲ୍ଲାକା ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସାଂସଦ ଇଂ.ଉଲ୍ଲାକା ମଧ୍ୟ ସଂସଦରେ ଏହି ଦାବିକୁ ବାରମ୍ବାର ଉଠାଇଥିଲେ। ବାରମ୍ବାର ବିଭିନ୍ନ ମହଲରେ ଦାବି ଉଠିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜୟପୁରରେ ବିଦ୍ୟାଳୟ ଖୋଲିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ କାମ ବି ସାରିଦେଇଛନ୍ତି। ସେଭଳି ରାଜ୍ୟସରକାର ବି ଜିଲ୍ଲାପ୍ରଶାସନ ସହଯୋଗରେ ବିଦ୍ୟାଳୟ ସ୍ଥାପନ ପାଇଁ ୮ଏକର ଜମି ପ୍ରଦାନ କରିବା ସହ ପ୍ରାରମ୍ଭିକ ଭାବେ ବିଦ୍ୟାଳୟ ଆରମ୍ଭ କରିବା ପାଇଁ ୨୮ଲକ୍ଷ ଖର୍ଚ୍ଚ କରି ଅସ୍ଥାୟୀ ବିଦ୍ୟାଳୟ କୋଠା ବି ପ୍ରସ୍ତୁତ କରି ରଖିଛନ୍ତି।

ସଂସଦରେ ଏହି ଦାବିକୁ ନେଇ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ୭ଥର ଉଠାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀଙ୍କୁ ବି ଭେଟି ଅନୁରୋଧ ପତ୍ର ଦେଇଛି। ତା ବାଦେ ବି ହୋଇ ପାରିନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଇଂ.ଉଲ୍ଲାକା। ତେବେ ସେ ଏହାକୁ ପ୍ରତିଷ୍ଠା ନ କରାଇବା ପର୍ଯ୍ୟନ୍ତ ହାର ମାନିବେ ନି ବୋଲ କହିବା ସହ ପୁର୍ନବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ସଂସଦରେ ପୁଣି ଏହି ମାମଲାକୁ ଉଠାଇବେ ବୋଲି କହିଛନ୍ତି। କୋରାପୁଟ ପରି ୫ମ ଅଧିସୂଚିତ ପଛୁଆ ଅଂଚଳରେ ଏଭଳି ବିଦ୍ୟାଳୟର ନିହାତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ସାଂସଦ। ଏଥି ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜୟପୁର ଗସ୍ତରେ ଗଲେ ଏହାକୁ ଘୋଷଣା କରିବେ ବୋଲି କହିଥିବା କହିଛନ୍ତି।

ଭୁବନେଶ୍ବରରେ ଏବଂ ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବତନ୍ତ୍ର ଭାବେ ଭେଟି ଅନୁରୋଧପତ୍ର ଦେଇଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ଘୋଷଣା କରି ଲଟକାଇ ରଖିଥିବା ସଂଦେହ ଲାଗୁଛି ବୋଲି କହିଛନ୍ତି ଉଭୟ ସାଂସଦ ଓ ବିଧାୟକ । ସହରବାସୀଙ୍କ ହୀତ ଦୃଷ୍ଟିରୁ ଯିଏ ଯେଉଁ କାମ ଓ ସହଯୋଗ କରିବ ତାହାର ଜୟ କହିବାରେ ମୁଁ କୁଣ୍ଟାବୋଧ କରିବି ନାହିଁ କେନ୍ଦ୍ର ସରକାର ତୁରନ୍ତ ଏହି ବିଦ୍ୟାଳୟ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ତାରା।

ପ୍ରକାଶଯୋଗ୍ୟ, ଜଗନ୍ନାଥସାଗରର ପାର୍ଶ୍ବରେ ୮ଏକର ଜମି ଚିହ୍ନଟ କରି ଜିଲ୍ଲାପ୍ରଶାସନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଇୟରମାର୍କ (ସ୍ବତନ୍ତ୍ର ଚିହ୍ନଟ) କରି ରଖିଛି। ପୁରୁଣା ଅନ୍ବେଷା ଛାତ୍ରବାସକୁ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ପୁନଃ ରୁଦ୍ଧାର ତଥା ପୁନଃନିର୍ମାଣ କରାଯାଇଛି। ବିଦ୍ୟାଳୟ ସ୍ଥାପନ ପାଇଁ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ , କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଗୋଟିଏ ପ୍ରତିନିଧି ଦଳ ଜୟପୁର ଆସି ଚିହ୍ନଟ ଜମିକୁ ବୁଲି ଦେଖିବା ସହ ଅସ୍ଥାୟୀ ବିଦ୍ୟାଳୟ କ୍ୟାମ୍ପସ୍ ବି ଦେଖିଥିଲେ। ଯାହା ସବୁ ଛୋଟବଡ଼ ତ୍ରୁଟି ସେମାନେ ଚିହ୍ନଟ କରିଥିଲେ ସେ ସବୁକୁ ବି ଜିଲ୍ଲାପ୍ରଶାସନ ସଜାଡ଼ି ସାରିଛି। ଯେଉଁ ଯେଉଁ ମୁହର୍ତ୍ତରେ କେନ୍ଦ୍ରସରକାର ବିଦ୍ୟାଳୟ ସ୍ଥାପନ ପାଇଁ ଅନୁମତି ଦେବେ ତୁରନ୍ତ ଜମି ଓ କୋଠା ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ବେଦବର ପ୍ରଧାନ।

ସମ୍ବନ୍ଧିତ ଖବର