ରାଉରକେଲା,୬/୧(ଇମିସ): ନିକଟରେ ରାଉରକେଲାରେ ଅନେକ ବିକାଶମୂଳକ କାମ ହୋଇଛି। ହେଲେ ତରବରିଆ କାମ ଯୋଗୁ ଅଧିକାଂଶ ପ୍ରକଳ୍ପ ନିମ୍ନମାନ ହୋଇଛି। ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହେଲେ ଆଜି ଯାଏଁ, ଜଣେ ହେଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଯାହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଗତ ଦିନରେ ରାଜ୍ୟ ସରକାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଉ କିଛି ଘୋଷଣା ମଧ୍ୟ କରିଥିଲେ। ଏ ପର୍ଯ୍ୟନ୍ତ କେବଳ ଘୋଷଣା‌ରେ ଅଟକିଛି। ଶିଳାନ୍ୟାସରେ କରି ସରକାର କାମ ସାରିଦେଇଛନ୍ତି। ହେବକି ନାହିଁ କାହାରି ପାଖରେ ସଠିକ୍‌ ଉତ୍ତର ନାହିଁ। ଗତ ୨୦୧୫ରେ ରାଜ୍ୟ ସରକାର ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନା କରିବାକୁ ଘୋଷଣା କରିଥିଲେ।

Advertisment

ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି), ରାଜ୍ୟ ସରକାର ଓ ଜାଭିୟର ମିଳିତ ଉଦ୍ୟମରେ ରାଉରକେଲା ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ରାଉରକେଲା ୟୁନିଟ୍‌ -୫ରେ ଆର୍‌ଏସ୍‌ପି ୩୦ ଏକର ଜାଗା ଓ ୧୨୦ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଟ୍‌ ନିର୍ମାଣ ପାଇଁ ଖଣ୍ଡିଏ ଇଟା ମଧ୍ୟ ପଡ଼ିଲାନି। ଗତ ୧୦ ବର୍ଷ ତଳେ ଅର୍ଥାତ୍‌ ୨୦୧୪ରେ ଝିରପାଣି-ଦେଓଗାଁ ମଧ୍ୟରେ (କାଠଯୋଡି ଓ ନର୍ମଦାନଦୀ ପରି) ବ୍ରାହ୍ମଣୀ ଓ କୋଏଲନଦୀ କୂଳରେ ରିଂରୋଡ ନିର୍ମାଣ ପାଇଁ ସରକାର ଶିଳାନ୍ୟାସ କରିଥିଲେ। ରାସ୍ତା ନିର୍ମାଣ ହେଲେ ସହର ଭିତରକୁ ପଶୁଥିବା ବନ୍ୟାଜଳକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିଥାନ୍ତା। ହେଲେ ତାହା ସେମିତି ଶିଳାନ୍ୟାସରେ ଅଟକିଯାଇଛି। ଅନ୍ତଃରାଜ୍ୟ ଆପରାଧିକ କାର୍ଯ୍ୟକଳାପ ରୋକିବା ସହ ସହରରେ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଗତ ୨୦୧୪ରେ ସରକାର ରାଉରକେଲାରେ କମିସନରେଟ୍‌ ପୁଲିସ୍‌ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ।

ଆଜିକୁ ୯ ବର୍ଷ ବିତିଯାଇଥିଲେ ହେଁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। କେବଳ ଏତିକି ନୁହେଁ ହକି ବିଶ୍ବ କପ୍‌ ପୂର୍ବରୁ ସହରସାରା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ‌ବର୍ଷେ ବିତିଗଲା ସିସିଟିଭି ଲାଗିଲା, କିନ୍ତୁ କାର୍ଯ୍ୟକ୍ଷମ ହେଲାନି। ଗତ ୨୦୦୩ ଅର୍ଥାତ୍‌ ୨୦ ବର୍ଷ ତଳେ ରାଉରକେଲା ମେଡ଼ିକାଲ କଲେଜ ପାଇଁ କୁଆରମୁଣ୍ଡା ଡାଏରି ଫାର୍ମରେ ସରକାର ଶିଳାନ୍ୟାସ କରିଥିଲେ। ଏଠି ବି ସମାନ ସ୍ଥିତି। ସମ୍ପୃକ୍ତ ଜାଗାକୁ ଏବେ ସରକାର ଶାଗମାଛ ଦରରେ ସ୍ପଞ୍ଜ ଆଇରନ୍‌ କାରଖାନାକୁ ଟେକି ଦେବାକୁ ଯାଉଛନ୍ତି। ଯାହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କଡ଼ା ବିରୋଧ କରାଯାଉଛି। ରାଜ୍ୟ ଗୃହ ନିର୍ମାଣ ବିଭାଗ ହେଉ ଅବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ବିଗତ ପ୍ରାୟ ୨୦ ବର୍ଷ ମଧ୍ୟରେ ଗୋଟିଏ ବି ବାସଗୃହ ପ୍ରକଳ୍ପ କରିନାହାନ୍ତି। ସେମିତି ଇଏସ୍‌ଆଇ ମେଡ଼ିକାଲ କଲେଜ ରାଉରକେଲାରୁ ହଟିଗଲା। ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର କେହି ଶ୍ରମିକଙ୍କ ସ୍ବାସ୍ଥ୍ୟସେବା ପ୍ରତି ଧ୍ୟାନ ଦେଲେନି।