ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଓ ଏନ୍ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ରେ ସମୁଦାୟ ଜନସଂଖ୍ୟା ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ବ ହେବ। ପ୍ରତିଦିନ ଶହଶହ ଗାଡ଼ି ଘୁ.ଉଦୟଗିରି ଦେଇ ବିଭିନ୍ନ ଜିଲ୍ଲାକୁ ଗମନାଗମନ କରୁଥିବା ବେଳେ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି। ଶୀତଦିନରେ ବାହାର ଲୋକଙ୍କର ସଂଖ୍ୟା ବଢ଼ି ଯାଇଥାଏ। ଓଡ଼ିଶାର ଦାର୍ଜିଂଲ କୁହାଯାଉଥିବା ଘୁମୁସର ଉଦୟଗିରିରେ ଥଣ୍ଡା ଅନୁଭବ କରିବା ପାଇଁ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଏଠି ବସ୍ଷ୍ଟାଣ୍ଡ ଟିଏ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଦିନ ହେଉ କିମ୍ବା ରାତି ବନ୍ଧ ଛକ, ଗାନ୍ଧୀ ଛକ, ବରାଳିନି ମାର୍କେଟ ନିକଟରେ ବସ୍ ଅପେକ୍ଷା କରନ୍ତି।
ଦୁର୍ଭାଗ୍ୟର ବିଷୟ ଖରା, ବର୍ଷା ଓ ପ୍ରଚଣ୍ଡ ଥଣ୍ଡାରେ ଖୋଲା ଆକାଶ ତଳେ ଗାଈ, ଗୋରୁ, କୁକୁର, ଛେଳିଙ୍କ ସହ ବସ୍ ଅପେକ୍ଷାରେ ସ୍ଥାନୀୟ ଅଞ୍ଚଳବାସୀ। ସ୍ଵତନ୍ତ୍ର ବସ୍ଷ୍ଟାଣ୍ଡ ନଥିବା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସରକାରଙ୍କ ତରଫରୁ ଘୁ ଉଦୟଗିରି ଠାରେ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ଷ୍ଟାଣ୍ଡ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି କାମ ହୋଇ ପାରିନାହିଁ। ଯଦିଓ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇ ଶ୍ରୀରାମପଦା ଠାରେ ଏକ ବସ୍ଷ୍ଟାଣ୍ଡ ନିର୍ମାଣ କରାଯାଇଛି କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ।
/sambad/media/post_attachments/wp-content/uploads/2024/01/c3dc6fda-e5a2-4143-86b8-63c5906ad6b8.jpeg)
ବିଗତ କିଛି ଦିନ ହେବ ବିଭିନ୍ନ ଖବରକାଗଜରେ ସ୍ଥାନୀୟ ଅଞ୍ଚଳର ବସଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ଖବର ପ୍ରସାରଣ ପରେ ପ୍ରଶାସନ ତରଫରୁ ସେ ନେଇ ତତ୍ପରତା ଦେଖିବାକୁ ମିଳିଥିଲା ଓ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ବସ୍ଷ୍ଟପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ତାହା ମଧ୍ୟ ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ। ଆଜି ପର୍ଯ୍ୟନ୍ତ ନାଁ ପୁରୁଣା ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲା ନା ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ ହେଲା। ସବୁ ଯୋଜନା ଯୋଜନାରେ ହିଁ ରହିଗଲା । ପ୍ରଶାସନ ତରଫରୁ ତତ୍ପରତା ନ ଥିବା ଯୋଗୁଁ ଏହି ପରି ଘୁ.ଉଦୟଗିରିରେ ସରକାରଙ୍କ ସମସ୍ତ ଯୋଜନା ଯୋଜନାରେ ହିଁ ରହିଯାଉଛି। ଫଳରେ ନା ଜନସାଧାରଣ ଉପକୃତ ହେଉଛନ୍ତି ନା ସରକାରଙ୍କ ଯୋଜନା ଫଳପ୍ରଦ ହେଉଛି। ଯାଥା ଶୀଘ୍ର ବସ୍ଷ୍ଟାଣ୍ଡ ନିର୍ମାଣ କାମ କରି ତାହାକୁ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଘୋଷଣା କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/d00f9b6a-dfa5-4d67-b4b8-42658ab016b8.jpeg)