୧୫ ତାରିଖରେ ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ଝଡ଼ ଗାଜା; ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ରେଡ୍‌ ଆଲର୍ଟ ଜାରି: ଓଡ଼ିଶା ପ୍ରତି ବିପଦ ନାହିଁ

ଚେନ୍ନାଇ/ ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗାଜା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବା ସହ ଆସନ୍ତା ୧୫ ତାରଖ ସନ୍ଧ୍ୟା ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାମୁଦ୍ରିକ ଝଡ଼ ଗାଜା ବର୍ତ୍ତମାନ ଚେନ୍ନାଇ ଉପକୂଳ ଠାରୁ ପ୍ରାୟ ୭୮୦ କିଲୋମିଟର ଦୂରରେ ଥାଇ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ସମୁଦ୍ର ଉପର ଦେଇ ଗତି କରୁଛି।

ତେବେ, ଉପକୂଳ ଛୁଇଁବା ବେଳକୁ ସାମୁଦ୍ରିକ ଝଡ଼ ଗାଜା ଦୁର୍ବଳ ହୋଇ ପଡ଼ିଥିବ ବୋଲି ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ। ତେବେ, ଗାଜାର ପ୍ରଭାବରେ ସମଗ୍ର ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୭୦ରୁ ୮୫ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ତାମିଲନାଡ଼ୁ, ଆନ୍ଧ୍ର ପାଇଁ ରେର୍ଡ ଆଲର୍ଟ ଜାରି କରାଯାଇଛି। ଏଥିସହ ଗାଜାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ।


ତେବେ, ଓଡ଼ିଶା ଉପରେ ଗାଜାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ପାଣିପାଗ ବିଭାଗ। ଏହି ସମୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର