ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳର ବିକାଶ ପାଇଁ ସରକାରଙ୍କ ଅଧୀନରେ ବିଭିନ୍ନ ସଂସ୍ଥା କାର୍ଯ୍ୟ କରୁଛି। ତନ୍ମଧ୍ୟରୁ ଭଞ୍ଜନଗର, ବେଲଗୁଣ୍ଠା, ଆସିକା ଓ ହିଞ୍ଜିଳିକାଟୁ ସହରର ଉନ୍ନୟନ ପାଇଁ ଗଠିତ ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ତଥା ‘ଗ୍ରୀଟ୍’ ହେଉଛି ଅନ୍ୟତମ। ହେଲେ ଦୁଃଖର କଥା ହେଉଛି, ସ୍ଥାୟୀ ଅଧ୍ୟକ୍ଷ ପଦବିରେ କାହାକୁ ଦାୟିତ୍ବ ଦିଆଯାଇ ନଥିବାରୁ ଏହି ସଂସ୍ଥା ଗତ କିଛିବର୍ଷ ହେଲା ସ୍ଥାଣୁ ପାଲଟିଯାଇଥିଲା। ତେବେ ବିଳମ୍ବରେ ହେଲେ ବି, ଏହା ଉପରେ ସରକାରଙ୍କ କୃପାଦୃଷ୍ଟି ପଡ଼ିଛି। ଆଉ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ନଗର ପ୍ରତିନିଧି ପବିତ୍ର ପାଣିଗ୍ରାହୀଙ୍କୁ ଏହାର ଅଧ୍ୟକ୍ଷ ଦାୟିତ୍ବ ଭାବେ ଅବସ୍ଥାପିତ କରାଯାଇଛି। ଫଳରେ ‘ଗ୍ରୀଟ୍’ର ଭାଗ୍ୟ ବଦଳିବା ନେଇ ନୂଆ ଆଶା ଓ ସମ୍ଭାବନା ସଞ୍ଚାର ହୋଇଛି।
ଉପରୋକ୍ତ ୪ ସହର ସମେତ ଭଞ୍ଜନଗର ଉପକଣ୍ଠ କିଛି ପଞ୍ଚାୟତର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ଲକ୍ଷ୍ୟରେ ୧୯୯୬ ମସିହାରେ ‘ଗ୍ରୀଟ୍’ର ପ୍ରତିଷ୍ଠା ହୋଇଥିଲା। ଭଞ୍ଜନଗରରେ ଏହାର କାର୍ଯ୍ୟାଳୟ ରହିଛି। କିନ୍ତୁ ସଂସ୍ଥା ପ୍ରତିଷ୍ଠା ପରଠୁ ମାତ୍ର ୩ ଜଣଙ୍କ ଅଧ୍ୟକ୍ଷ ପଦବିରେ ଅବସ୍ଥାପିତ କରାଯାଇଥିବା ବେଳେ ବାକି ସମୟରେ ଜିଲ୍ଲା ପ୍ରାଶାସନିକ ଅଧିକାରୀମାନେ ଅତିରିକ୍ତ ଦାୟିତ୍ବ ତୁଲାଇଛନ୍ତି। ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ମଧୂସୁଦନ ପଟ୍ଟନାୟକ ଓ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ବର୍ତ୍ତମାନର ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଅଧକ୍ଷ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ। ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପ୍ରଧାନ ୨୦୦୬ରୁ ୨୦୧୩ ଏବଂ ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ। ପ୍ରଥମେ ଏକ ଭଡ଼ାଘରେ ଏହି କାର୍ଯ୍ୟାଳୟ ଚାଲୁଥିବା ବେଳେ ୧୯୯୮ରେ ସ୍ଥାୟୀ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ୨୦୦୦ରେ ନୂତନ କୋଠା ଉଦ୍ଘାଟିତ ହୋଇଥିଲା।
କିନ୍ତୁ ଦୁଃଖର କଥା ହେଉଛି, ଏହି ସଂସ୍ଥା ଆଜିଯାଏ ନିଜର ମୂଳ ଉଦ୍ଦେଶ୍ୟକୁ ସାଧିତ କରିପାରୁନି। ସହରର ବିକାଶ ତ ଦୂରର କଥା, ଦୀର୍ଘ ୨୬ ବର୍ଷ ହେଲା ସ୍ଥାୟୀତ୍ବ ପାଇଁ ବାଟ ଖୋଜୁଛି। ଆସିକା ବସ୍ଷ୍ଟାଣ୍ଡ୍ ସହିତ ଅଫିସ୍ କୋଠା ଏବଂ କିଛି ଦୋକାନଘରୁ ମିଳୁଥିବା ଭଡ଼ାରେ ସଂସ୍ଥାର କାର୍ଯ୍ୟଧାରା ସୀମିତ ରହିଛି। ଏହି ସଂସ୍ଥା ୪ ସହରର ବିକାଶ ପାଇଁ ଘର, ଦୋକାନଗୃହ ନିର୍ମାଣ ଓ ଲାଭଦାୟକ ପ୍ଲଟିଂ ମାଧ୍ୟମରେ ନିଜ ରାଜସ୍ବ ବୃଦ୍ଧି କରିବା କଥା। ହେଲେ ସରକାରଙ୍କ ଆନ୍ତରକିତା ଅଭାବରୁ ଏହି ସଂସ୍ଥା କେବଳ ନାମକୁ ମାତ୍ର ରହିଛି। ବିନା ଅନୁମୋଦନରେ ସମସ୍ତ ସହରରେ ବେଆଇନ କୋଠା ନିର୍ମାଣ ହେଉଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଇପାରୁନି।
ଅନ୍ୟପକ୍ଷରେ କାର୍ଯ୍ୟାଳୟରେ ଜଣେ ମଧ୍ୟ ସ୍ଥାୟୀ କର୍ମଚାରୀ ଆଜି ପର୍ଯ୍ୟନ୍ତ ନିଯୁକ୍ତି ପାଇନାହାନ୍ତି। ୧୯୯୭ରୁ କିଛି ଅସ୍ଥାୟୀ କର୍ମଚାରୀ ଅଳ୍ପ ଦରମାରେ କାମ କରୁଛନ୍ତି। ବ୍ରହ୍ମପୁର ଟାଉନ୍ ପ୍ଲାନିଂ ଅଧିକାରୀ ସଂସ୍ଥାର ସମ୍ପାଦକ ଦାୟିତ୍ବରେ ରହିଛନ୍ତି। ଜଣେ ଲେଖାଏଁ କିରାଣି, ଅମିନ, ପିଅନ, ଚୌକିଦାର ଓ ଡ୍ରାଇଭର୍ ନିଯୁକ୍ତି ପାଇଛନ୍ତି। କିନ୍ତୁ ସଂସ୍ଥାର ନିଜସ୍ବ ଗାଡ଼ି ନ ନଥିବାରୁ ଡ୍ରାଇଭର୍ ଏନ୍ଏସି କାର୍ଯ୍ୟାଳୟରେ କାମ କରୁଛନ୍ତି। ଏଥିସହ ଚୌକିଦାରଙ୍କୁ ଆସିକା ବସ୍ଷ୍ଟାଣ୍ଡ୍ରେ ଭଡ଼ା ଆଦାୟ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ମାତ୍ର ତିନିଜଣ କର୍ମଚାରୀ ଅଫିସ୍ ସମ୍ଭାଳୁଛନ୍ତି।
ଏହି ସଂସ୍ଥା ନିଜ ଅନୁଦାନରେ ଆସିକା ବସ୍ଷ୍ଟାଣ୍ଡ୍ ସମେତ ୪୫ଟି ଭେଣ୍ଡିଂଜୋନ୍ ଓ ୧୦ଟି ବଡ଼ ଦୋକାନ ନିର୍ମାଣ କରିଛି। ଯାହାକି ଭଡ଼ାରେ ଲାଗିଛି। ସେହିପରି ଅଫିସ୍ କୋଠାରେ ଥିବା ବେସରକାରୀ ଡାକ୍ତରଖାନା ଏବଂ ଷ୍ଟେଟ୍ବ୍ୟାଙ୍କ୍ ସମେତ ନିକଟ ୧୮ ଦୋକାନଗୃହରୁ ଭଡ଼ାରୁ ଆଦାୟ କରୁଛି। ତେବେ ୪ଟି ସହରର ମାଷ୍ଟରପ୍ଲାନ୍ ଅପଡେଟ୍ ହୋଇପାରୁନି। ଅନ୍ୟପକ୍ଷରେ ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, କୋଦଳା, ପୋଲସରା, ଖଲ୍ଲିକୋଟ ଓ ବୁଗୁଡ଼ା ଆଦି ସହରକୁ ଗ୍ରୀଟ୍ ଅଧୀନକୁ ଆଣିବାକୁ କିଛି ବର୍ଷ ହେବ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାଉପରେ କୌଣସି ବିଚାର କରାଯାଇନି। ନୂଆ ଅଧ୍ୟକ୍ଷ ଆସିବା ପରେ ସଂସ୍ଥାର ଭାଗ୍ୟ ବଦଳିବ କି ନାହିଁ, ତାହା ସମୟ କହିବ।