କେବେ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ?

କୁଳପତି ସମ୍ମିଳନୀ ଡାକିଲା ଉଚ୍ଚଶିକ୍ଷା ବିଭାଗ
ବୈଷୟିକ ଶିକ୍ଷା ବିଭାଗର ମାନସମନ୍ଥନ
ପିଜି ଓ ୟୁଜି ପ୍ରଥମ ସେମିଷ୍ଟର ପାଠପଢ଼ା ସରୁନି

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୨୬ ତାରିଖରୁ ସ୍କୁଲ ଆଂଶିକ ଖୋଲିବାକୁ ଯାଉଛି। ତେବେ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଯଦି ଖୋଲିବ କେବେ, କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁପାଳନ ହୋଇପାରିବ କି ନାହିଁ, ଛାତ୍ରଛାତ୍ରୀ ହଷ୍ଟେଲରେ ରହି‌ବେ ତ ଏମିତି ଅନେକ ପ୍ରଶ୍ନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଙ୍କି ମାରୁଛି। ତେଣୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ସମ୍ପର୍କିତ ନିୟମାବଳି ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତି ସମ୍ମିଳନୀ ଡକାଯାଇଛି। ଆସନ୍ତା ୨୩ ତାରିଖରେ ଭର୍ଚୁଆଲରେ ହେବାକୁ ଥିବା ଏହି ବୈଠକରେ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ସମ୍ପର୍କରେ ବିଶଦ ଆଲୋଚନା ହେବ। ଉଚ୍ଚ ଶିକ୍ଷାନୁଷ୍ଠାନ କେବେଠାରୁ ଖୋଲିବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

କରୋନା ସମୟରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଅନ୍‌ଲାଇନ୍‌ ଶିକ୍ଷାଦାନ ଚାଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରି ନାହିଁ। କେଉଁଠି ପିଲାଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ନାହିଁ ତ ଆଉ କେଉଁଠି ଠିକ୍‌ ଭାବେ ପାଠପଢ଼ା ହେଉନି। ତା’ପରେ ବି ୟୁଜି(ସ୍ନାତକ) ଓ ପିଜି (ସ୍ନାତକୋତ୍ତର)ର ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଅଗଷ୍ଟ ମାସରେ ପରୀକ୍ଷା କରିବାକୁ ଦିନ ଧାର୍ଯ୍ୟ ହୋଇଛି। ତେବେ ବାକି ସେମିଷ୍ଟର ପରୀକ୍ଷା ହେବ କି ନାହିଁ, ତାହାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୟୁଜି ଓ ପିଜିର ଗୋଟିଏ ଶିକ୍ଷାବର୍ଷ ଶେଷ ହୋଇଯାଇଥିଲେ ମଧ୍ୟ ପିଲାଙ୍କର ପ୍ରଥମ ସେମିଷ୍ଟର ପାଠପଢ଼ା ସରି ନାହିଁ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟର ପାଠପଢ଼ା ଏବେ ବି ହେଉଛି। ଅନୁରୂପ ଭାବେ ୟୁଜି ପ୍ରଥମ ବର୍ଷ ପିଲାଙ୍କ ପ୍ରଥମ ସେମିଷ୍ଟର ଶିକ୍ଷାଦାନ ଚାଲିଛି। ପରୀକ୍ଷା ସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଉ ନ ଥିବାରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ମଧ୍ୟ କୌଣସି ଠୋସ୍‌ ପଦକ୍ଷେପ ନେଇପାରୁ ନାହାନ୍ତି। ଯଦି ବର୍ତମାନ ସମୟରେ କୌଣସି ନିଷ୍ପତ୍ତି ନିଆ ନ ଯାଏ ତେବେ ଆସନ୍ତା ୧୨ ମାସ ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କୁ ୩ଟି ସେମିଷ୍ଟର ପରୀକ୍ଷା ଦେବାକୁ ହେବ। ଏତେ କମ୍‌ ସମୟ ମଧ୍ୟରେ କିଭଳି ସିଲାବସ୍‌ ଶେଷ କରି ପରୀକ୍ଷା କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗତକାଲି ବିଭାଗୀୟ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। କରୋନା ସମୟରେ ବୈଷୟିକ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ବ୍ୟାହତ ହୋଇଥିବା ବେଳେ ଏହାକୁ କିଭଳି ପୁଣିଥରେ କାର୍ଯ୍ୟକ୍ଷମ କରାଯାଇପାରିବ ସେ‌ ସମ୍ପର୍କରେ ଗୁରୁତ୍ବାରୋପ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଦକ୍ଷତା ହିଁ ବିକାଶର ମାପକାଠି। ଅର୍ଥନୀତିର ବିକାଶ କ୍ଷେତ୍ରରେ ଦକ୍ଷ ଓ କୁଶଳୀ ଶ୍ରମ ଶକ୍ତିର ଯୋଗଦାନ ରହିଛି। ବର୍ତମାନର ଯୁବକଙ୍କୁ ଦକ୍ଷ ଓ କୁଶଳୀ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ଉଚିତ। ଏହାଦ୍ବାରା ଏକ ବିକଶିତ ସମାଜ ଗଠନ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ହେମନ୍ତ କୁମାର ଶର୍ମା, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି, ବିଭାଗୀୟ ଯୁଗ୍ମ ସଚିବ ଅଜୟ କୁମାର ନାୟକ ଓ ଗୌରହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର