ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁକୁ ୧୯ ଦିନ ବିତିସାରିଲାଣି; କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚିତ ହୋଇପାରିନି। ଡିଏସ୍‌ପି ବନୀତା ମାଝୀଙ୍କ ନେତୃତ୍ବରେ ଛାନ୍‌ଭିନ୍‌, ପଚରାଉଚରା ଜାରି ରହିଛି। ଏହି ମାମଲାରେ ଗୁରୁଣ୍ଡିଆ ବିଡିଓ ବେର୍ନାଦେଥ୍‌ ଲାକ୍ରା, ଗୁରୁଣ୍ଡିଆ ସିଡିପିଓ ଫୁଲଜେନସିଆ ଏକ୍କା, ସ୍ବାମୀ ସୁଶୀଳ ଟପ୍ନୋଙ୍କୁ ଜେରା କରିସାରିଲାଣି। ତେବେ ଏଯାବତ୍‌ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ପାଖରେ ତଦନ୍ତ ପହଞ୍ଚିପାରିନଥିବା ଅଭିଯୋଗ ହେଉଛି। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବିକ୍ଷୋଭ ଗଣଧାରଣା ବେଳେ ସମାନ ଅଭିଯୋଗ ଆସିଥିଲା।

Advertisment

ଏହି ସମ୍ବେସନଶୀଳ ପ୍ରସଙ୍ଗରେ ତଦନ୍ତ ନିରପେକ୍ଷ ହୋଇ ଦୁଇ ବରିଷ୍ଠ ଅଧିକାରୀଙ୍କ ପାଖରେ ପହଞ୍ଚିବ ନା ନାହିଁ ତାହା ସମୟ କହିବ; କିନ୍ତୁ ଏନେଇ କିନ୍ତୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ନେଇ ଭାଇ ସନ୍ଦୀପ ମିଞ୍ଜ ସିଧାସଳଖ ଅଭିଯୋଗ ଆଣିଥିଲେ। ସମଗ୍ର ଘଟଣାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ ବିଡିଓ, ସିଡିପିଓଙ୍କ ନାଁରେ ଅଭିଯୋଗ କରିଥିଲେ। ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହେବାର ପୂର୍ବଦିନ, ଅର୍ଥାତ୍‌ ଗତ ୧୮ ତାରିଖ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁଣ୍ଡିଆ ବିଡିଓ ଓ ସିଡିପିଓ ମୃତକଙ୍କ ରମାବାହାଲସ୍ଥ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ। ଉକ୍ତଦିନ କୁଆଡ଼େ ଦୁଇ ଅଧିକାରୀ ସୁସ୍ମିତାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ମଧ୍ୟ ପରିବାରବର୍ଗଙ୍କୁ କହିଥିଲେ; ଯାହାକି ପରବର୍ତ୍ତୀ ସମୟରେ ନୂଆ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଥିଲା। ମୃତ୍ୟୁ ପୂବର୍ବରୁ ସୁସ୍ମିତାଙ୍କ ମାନସିକ ସ୍ଥିତି ନେଇ ଯୋଜନାବଦ୍ଧ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଥିବା ପରିବାର ସଦସ୍ୟ, ଆଦିବାସୀ ନେତା ଅଭିଯୋଗ ଆଣିଥିଲେ।

ଅପରପକ୍ଷରେ ଖୋଦ୍‌ ଗୁରୁଣ୍ଡିଆ ବିଡିଓ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୁସ୍ମିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା ନେଇ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ। ଅବଶ୍ୟକ, ମାନସିକ ଅବସାଦ ପ୍ରସଙ୍ଗରେ ଘର ଲୋକଙ୍କୁ କହିଥିଲେ ନା ନାହିଁ, ସେନେଇ ମୁହଁ ଖୋଲିନଥିଲେ। ତେବେ ଜଣେ ଅଧିକାରୀଙ୍କ ସହ ସୁସ୍ମିତା ଝଗଡ଼ା ହେଉଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିବା ବିଡିଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ଘଟଣାରେ ଯାହା ନାଁରେ କିଛି ବି ଅଭିଯୋଗ ଆସିବ ତାଙ୍କୁ ଜେରା କରାଯିବ ବୋଲି ପୂର୍ବରୁ ରାଉରକେଲା ଏସ୍‌ପି ମତବ୍ୟକ୍ତ କରିଥିଲେ।