କେବେ ରିଲିଭ୍ ହେବେ ଆଇଟିଡିଏ ଉପନିର୍ବାହୀ ଯନ୍ତ୍ରୀ: ପଦୋନ୍ନତି ପରେ ବି ଛାଡ଼ୁନି ସୁନ୍ଦରଗଡ଼ ମୋହ!

ସୁନ୍ଦରଗଡ଼ : ମହାଦୁର୍ନୀତି ଅଭିଯୋଗ ନେଇ ବର୍ଷାଧିକ କାଳ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଉପନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଓ କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ମାହାଲିଙ୍କ ବଦଳି ହୋଇଛି। ଶ୍ରୀ ବେହେରାଙ୍କୁ ଅଗଷ୍ଟ ୬ ତାରିଖରେ ଭୁବନେଶ୍ବର ଲୋୟର୍‌ ମହାନଦୀ ଯୋଜନା ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶୁଭଶ୍ରୀଙ୍କୁ ଜୁନ ୨ରେ କଟକ ଡ୍ରେନେଜ୍‌ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। କିନ୍ତୁ ଦୁଇ ଯନ୍ତ୍ରୀ ନୂଆ ସ୍ଥାନକୁ ଯିବାର ନାଁ ଧରୁ ନାହାନ୍ତି। ଏଯାଏ ସେମାନଙ୍କୁ ରିଲିଭ୍ ମଧ୍ୟ କରାଯାଇ ନାହିଁ।

ଉପନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ଉପନିର୍ଦ୍ଦେଶକ ପଦୋନ୍ନତି ପାଇଥିଲେ ମଧ୍ୟ ସୁନ୍ଦରଗଡ଼ ଛାଡ଼ିବାକୁ ଚାହୁଁନଥିବା ଆଲୋଚନା ହେଉଛି। ଆଇଟିଡିଏରେ କୋଟି କୋଟିର ଦୁର୍ନୀତି ଅଭିଯୋଗକୁ ନେଇ ଶ୍ରୀ ବେହେରା ଓ ସୁଭଶ୍ରୀ ମାହାଲିଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଏଯାଏ ତାର ତଦନ୍ତ ଶେଷ ହୋଇନାହିଁ। ଆଉ ଏବେ ବଦଳି ପରେ ମଧ୍ୟ ରିଲିଭ୍ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀଙ୍କ ବିକାଶ ଓ ହିତ ପାଇଁ ଆସିଥିବା ବିପୁଳ ଅର୍ଥ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର କିଛି ଅସାଧୁ କର୍ମଚାରୀ, ଠିକାଦାର ମିଳିତ ଭାବେ ହଡ଼ପ କରି ନେଇଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ପ୍ରକଳ୍ପରେ ବିନା କାମ ଓ ଅଳ୍ପ କାମ କରି ମିଥ୍ୟା ବିଲ୍‌ରେ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଥିଲା। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଓ ବିଭିନ୍ନ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ‘ସମ୍ବାଦ’ରେ ଏନେଇ ନିୟମିତ ଖବର ପ୍ରକାଶ ପାଇବା ପରେ ଏହା ଜିଲ୍ଲାବ୍ୟାପୀ ଚର୍ଚ୍ଚାକୁ ଆସିଥିଲା।

ବିଭାଗୀୟ (ଡିପାର୍ଟମେଣ୍ଟ) କାମରେ ହିଁ ରାଜଭାଗ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ କେବଳ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୧୭୬ କୋଟି ୬୦ ଲକ୍ଷର ଟେଣ୍ଡର କାମ ହୋଇଥିବା ବେଳେ ସେହି ସମୟରେ ବିଭାଗୀୟ ସମ୍ପାଦନାରେ ୧୦୯ କୋଟି ୭୭ ଲକ୍ଷର କାମ ହୋଇଥିଲା। ବିଶେଷ କରି ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କୋଟି କୋଟିର ବିଭାଗୀୟ କାମର କାର୍ଯ୍ୟାଦେଶ ଦେଇ ବିପୁଳ ଅର୍ଥ ହଡ଼ପ କରାଯାଇଥିଲା। ଦୁଇ ଆର୍ଥିକ ବର୍ଷରେ ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀଙ୍କ ତଦାରଖରେ ୪୫.୮୮ କୋଟିର ଟେଣ୍ଡର କାମ ହୋଇଥିଲା। ଆଶ୍ଚର୍ଯ୍ୟର କଥା ଟେଣ୍ଡର କାମ ବାଦ୍ ୧୯.୮୨ କୋଟିର ବିଭାଗୀୟ କାମ ତାଙ୍କୁ ସମ୍ପାଦନ କରିବାକୁ ଦିଆଯାଇଥିଲା। ସେହିପରି ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ତଦାରଖରେ ଉକ୍ତ ଦୁଇ ଆର୍ଥିକ ବର୍ଷରେ ୬୩.୭୫ କୋଟିର ଟେଣ୍ଡର କାମ ଓ ୫୭.୮୮ କୋଟିର ବିଭାଗୀୟ କାମ ସମ୍ପାଦନ ହୋଇଥିଲା। ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ସାହୁଙ୍କ ତଦାରଖରେ ୬୬.୮୫ କୋଟି ଟେଣ୍ଡର ଓ ୨୭.୪୫ କୋଟିର ବିଭାଗୀୟ କାମ କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଆଶିଷ ପାତ୍ର ଉକ୍ତ ଦୁଇ ଆର୍ଥିକ ବର୍ଷରେ ୧୦.୫୧ କୋଟିର ଟେଣ୍ଡର ଓ ୪.୬୧ କୋଟିର ବିଭାଗୀୟ କାମ ସମ୍ପାଦନ କରିଥିଲେ। ଦୁର୍ନୀତିର ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଓ ସଂଗଠନ ସ୍ବର ଉଠାଇଥିଲେ। ଏପରିକି ପ୍ରଶାସନ ତଦନ୍ତକୁ ଏଡ଼ାଇ ଯିବାରୁ ଜଣେ ଯୁବ ସାମାଜିକ କର୍ମୀ ସୁଶୀଳ ଗୁପ୍ତା ଅନଶନରେ ବସିଥିଲେ। ଏହା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହା ଏଯାଏ ଶେଷ ହୋଇନାହିଁ।

ସମ୍ବନ୍ଧିତ ଖବର