ରଞ୍ଜନ ପ୍ରଧାନ
ଫୁଲବାଣୀ: ମାଣ୍ଡିଆ, କ୍ଷୁଦ୍ରଦାନା ଶସ୍ୟ ଚାଷ ଓ ଏହାର ବିକ୍ରିବଟାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି। ଏଥିପାଇଁ  ‘ଓଡ଼ିଶା ମିଲେଟ୍‌ ମିସନ୍‌’ ଜରିଆରେ ମାଣ୍ଡିଆ ଓ କ୍ଷୁଦ୍ରଦାନା ଶସ୍ୟ ଚାଷ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ସହ ଏହାକୁ ଟିଡିସିସି ଜରିଆରେ କିଣୁଛନ୍ତି। ହେଲେ କନ୍ଧମାଳରେ ବହୁଳ ଚାଷ ହେଉଥିବା ଆଦିବାସୀଙ୍କ ପାରମ୍ପରିକ ‘କୁଇରି’କୁ ମିଲେଟ୍‌ ମିସନ୍‌ରେ ସାମିଲ କରିବା ଦିଗରେ ତତ୍ପରତା ପ୍ରକାଶ କରାଯାଉନାହିଁ। ଡାଇବେଟିସ୍‌ ‌ରୋଗୀଙ୍କ ପାଇଁ ‘କୁଇରି’ ଚାଉଳର ଭାତ ଆଶୀର୍ବାଦ ଭଳି। ଆଦିବାସୀବହୁଳ ମାଳଭୂମି ଅଞ୍ଚଳରେ ପାରମ୍ପରିକ କ୍ଷୁଦ୍ରଦାନାଯୁକ୍ତ ଶସ୍ୟ ଭାବେ ପରିଚିତ ‘କୁଇରି’ ପ୍ରଚୁର ପରିମାଣରେ ଅମଳ ହେଉଥିଲେ ସୁଦ୍ଧା ଏହାର ବିକ୍ରି ହୋଇ ପାରୁନଥିବାରୁ ଫାଇଦା ଉଠାଉଛନ୍ତି ବାହାର ରାଜ୍ୟର ବେପାରୀ।

Advertisment

ସରକାରଙ୍କ ମାଗଣା ଚାଉଳ ଯୋଗାଣ ପୂର୍ବରୁ ତୁମୁଡ଼ିବନ୍ଧ, କୋଟଗଡ଼ ଓ ଦାରିଙ୍ଗିବାଡ଼ି ଅଞ୍ଚଳରେ କୁଟିଆ କନ୍ଧମ‌ାନେ ‘କୁଇରି’ ଭାତ ଖାଇ ବଞ୍ଚୁଥିଲେ। ଆଜିର ଦିନରେ ବି କୁଟିଆମାନେ ‘କୁଇରି’ ଭାତ ଉପରେ ନିର୍ଭରଶୀଳ। ମାତ୍ର ‘କୁଇରି’ ଚାଷର ବିକାଶ ଓ ଏହାର ବଜାର ସୃଷ୍ଟି କରିବାରେ ସରକାରୀସ୍ତରରେ କୌଣସି ଆଗ୍ରହ ପ୍ରକାଶ ପାଉନାହିଁ। ଫଳରେ ବାହାର ବେପାରୀମାନେ ‘କୁଇରି’ କିଲୋ ପ୍ରତି ୨୦ରୁ ୩୦ ଟଙ୍କାରେ ସଂଗ୍ରହ କରି ଉପଯୁକ୍ତ ପ୍ରକ୍ରିୟାକରଣ ପରେ ଏହାକୁ ବଜାରରେ ୮୦ରୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି। 

ଖାଦ୍ୟମୂଲ୍ୟ ଓ ପୋଷକ ତତ୍ତ୍ବ ଉଚ୍ଚମାନର
ମଧୁମେହ ରୋଗ ପାଇଁ ବରଦାନ ସଦୃଶ୍ୟ
ନିଜ ଅଞ୍ଚଳରେ ଅଲୋଡ଼ା, ବାହାରେ ଚଢ଼ା ଦାମ୍‌

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, କୋଟଗଡ଼, ବାଲିଗୁଡ଼ା, ଫିରିଙ୍ଗିଆ ଓ କ.ନୂଆଗାଁ ଆଦି ଅଞ୍ଚଳରେ ‘କୁଇରି’ ଭଲ ଉତ୍ପାଦନ ହୋଇଥାଏ। ବିଶେଷକରି ତୁମୁଡ଼ିବନ୍ଧର ବେଲଘର, ଲଙ୍କାଗଡ଼, ଝିରିପାଣି, ଗୁମ୍ମା ଆଦି ଅଞ୍ଚଳରେ କୁଟିଆ କନ୍ଧମାନେ ପ୍ରଚୁର ପରିମାଣରେ ‘କୁଇରି’ ଓ ସୁଆଁ ଉତ୍ପାଦନ କରିଥାନ୍ତି। ଜିଲ୍ଲାରେ ପ୍ରାୟ ୨୦ ହଜାର ହେକ୍ଟର ଉଚ୍ଚ ଜମିରେ ଏହି ପାରମ୍ପରିକ କ୍ଷୁଦ୍ର ଦାନାଯୁକ୍ତ ଶସ୍ୟ ଚାଷ କରାଯାଉଥିବା ଜଣାପଡ଼ିଛି। ଗୋଟିଏ ଏକର ଜମିରୁ ପ୍ରାୟ ୫ରୁ ୭ କ୍ବିଣ୍ଟାଲ ‘କୁଇରି’ ଉତ୍ପାଦନ ହୋଇଥାଏ ବୋଲି ବେଲଘରର ପିଟୁକୁ ମାଝି କହିଛନ୍ତି। ତେବେ ପ୍ରଚୁର ପରିମାଣରେ ‘କୁଇରି’ ଉତ୍ପାଦନ ହେଉଥିଲେ ମଧ୍ୟ ଗାଁ ଗହଳିରେ ପ୍ରକ୍ରିୟାକରଣ ବ୍ୟବସ୍ଥା ନଥିବାରୁ ଏହାର ଉପଯୁକ୍ତ ମୂଲ୍ୟ ମିଳୁନି। ଆଦିବାସୀ ଚାଷୀ ଦେଶୀ ପଦ୍ଧତିରେ ଏହାର ପ୍ରକ୍ରିୟାକରଣ କରି ନିଜ ପାଇଁ ବ୍ୟବହାର କରୁଥିଲେ ସୁଦ୍ଧା ବାହାର ବଜାରରେ ଉପଲବ୍‌ଧ ହେଉନାହିଁ।

ଏହାର ସୁଯୋଗ ନେଇ ଆନ୍ଧ୍ର, କଳାହାଣ୍ଡିଗଞ୍ଜାମ ଅଞ୍ଚଳର ବେପାରୀମାନେ ଆସି କୁଟିଆ କନ୍ଧ ଚାଷୀଙ୍କଠାରୁ ଶାଗମାଛ ଦରରେ ‘କୁଇରି’ କିଣି ନେଇ ଯାଉଛନ୍ତି। ଚାଉଳ ତୁଳନାରେ ‘କୁଇରି’ର ଖାଦ୍ୟମୂଲ୍ୟ ଓ ପୋଷକ ତତ୍ତ୍ବ ଉଚ୍ଚମାନର। ମଧୁମେହ ‌ରୋଗୀଙ୍କ ପାଇଁ ‘କୁଇରି’ ଭାତ ବରଦାନ ଭଳି। ଏହାର ଔଷଧୀୟ ଗୁଣ‌ ଯୋଗୁଁ ଓଡ଼ିଶା ବାହାରେ ଅଧିକ ଚାହିଦା ରହିଥିବାରୁ ବାହାର ବେପାରୀମାନେ ସରଳ ଆଦିବାସୀଙ୍କଠାରୁ କମ୍‌ ମୂଲ୍ୟରେ କିଣି ନେଉଛନ୍ତି ଏବଂ ଚଢ଼ା ଦରରେ ବିକ୍ରି କରୁଛନ୍ତି। ସରକାର ‘କୁଇରି’ ଭଳି ପାରମ୍ପରିକ କ୍ଷୁଦ୍ର ଦାନାଯୁକ୍ତ ଶସ୍ୟର ଉତ୍ପାଦନ ବୃଦ୍ଧି ସାଙ୍ଗକୁ ବଜାର ସୃଷ୍ଟି କରିପାରିଲେ କନ୍ଧମାଳ ଜିଲ୍ଲାର ଆଦିବାସୀ ଚାଷୀମାନେ ଉପକୃତ ହୋଇପାରନ୍ତେ।