ସମ୍ବଲପୁର: ସମ୍ବଲପୁର ଜଙ୍ଗଲ ଏବେ ମହାବଳ ଶୂନ୍ୟ। ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଡେବ୍ରିଗଡ଼ ଅଭୟାରଣ୍ୟ ଓ ସମ୍ବଲପୁର ଚିଡ଼ିଆଖାନାକୁ ମହାବଳ ବାଘ ଆଣିବା ପାଇଁ ଘୋଷଣାକୁ ଏକ ବର୍ଷ ଅତିକ୍ରାନ୍ତ ହୋଇଛି। ହେଲେ, ମହାବଳ କେବେ ଆସିବ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପାଖରେ କୌଣସି ଠୋସ୍ ସୂଚନା ନାହିଁ।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଆସୁଥିବା ଡେବ୍ରିଗଡ଼ ଅଭୟାରଣ୍ୟ ୩୫୩ ବର୍ଗକିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ଘଞ୍ଚ ବନାନୀ ପରିବେଷ୍ଟିତ ଡେବ୍ରିଗଡ଼ ଅଭୟାରଣ୍ୟ ପାଖରେ ଥିବା ହୀରାକୁଦ ଜଳଭଣ୍ଡାରର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ଏଠାକାର ପ୍ରକୃତି ନିବାସରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟର ସବୁଠାରୁ ଅଧିକ ପ୍ରକୃତିପ୍ରେମୀ ପର୍ଯ୍ୟଟକ ଆସୁଥିବା ଅଭୟାରଣ୍ୟ ମଧ୍ୟରେ ଡେବ୍ରିଗଡ଼ ହେଉଛି ଅନ୍ୟତମ। ଅଭୟାରଣ୍ୟରେ ବଣମଇଁଷି, ସମ୍ବର, ବାର୍ହା, ହରିଣ, ଭାଲୁ, କଲରାପତରିଆ, ମୟୂର ଆଦି ସହଜରେ ଦୃଶ୍ୟମାନ ହୋଇଥାନ୍ତି। ଏହାଛଡ଼ା ନିକଟରେ ଏକ ଯୋଡ଼ା ଜଙ୍ଗଲି କୁକୁର ମଧ୍ୟ ଅଭୟାରଣ୍ୟକୁ ଆସିଛନ୍ତି।
ଡେବ୍ରିଗଡ଼କୁ ମହାବଳ ଆଣିବା ପାଇଁ କିଛି ବର୍ଷ ତଳେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଗାଁଗୁଡ଼ିକୁ ଅନ୍ୟତ୍ର ଥଇଥାନ କରାଯାଇଥିଲା। ବର୍ତ୍ତମାନ ଏହି ଅଭୟାରଣ୍ୟ ଭିତରେ ଆଉ ଜନବସତି ନାହିଁ। ଜନବସତି ହଟିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩ ମସିହାରେ ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ)କୁ ପ୍ରସ୍ତାବ ଦିଆଯାଇଥିଲା। ୧୬ ଜୁଲାଇ ୨୦୨୪ରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ମହାବଳ ବାଘ ଅଣାଯିବା ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ୭ଟି ମହାବଳ ବାଘ ସମ୍ବଲପୁର ଜିଲ୍ଲାକୁ ଅଣାଯିବାର ଯୋଜନା ରହିଛି। ସେଥିମଧ୍ୟରୁ ସମ୍ବଲପୁର ଚିଡ଼ିଆଖାନାରେ ୪ଟି ବାଘ ରଖାଯିବ। ଅନ୍ୟ ୩ଟି ମହାବଳଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନନ୍ଦନକାନନ ପରେ ଓଡ଼ିଶାର ଦ୍ବିତୀୟ ବୃହତ୍ ସମ୍ବଲପୁର ଚିଡ଼ିଆଖାନା ନିମନ୍ତେ ୨ଟି ଅଣ୍ଡିରା ଓ ୨ଟି ମାଈ ମହାବଳ ବାଘ ରଖିବାକୁ ଅନୁମତି ଦେଇଥିବା ସୂଚନା ଦିଆଯାଇଥିଲା। ସେହିପରି ଡେବ୍ରିଗଡ଼ ଅଭୟାରଣ୍ୟକୁ ୨ଟି ଅଣ୍ଡିରା ଓ ଗୋଟିଏ ମାଈ ମହାବଳ ବାଘ ଆଣିବା ନିମନ୍ତେ ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଅନୁମତି ଦେଇଥିବା କୁହାଯାଇଥିଲା।
ପୂର୍ବରୁ ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ଗୋଟିଏ ମହାବଳ ବାଘ ଛତିଶଗଡ଼ ଜଙ୍ଗଲକୁ ଚାଲିଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ସୂଚନା ଦିଆଯାଇଥିଲା। ଇତିମଧ୍ୟରେ ଏହି ଘୋଷଣାକୁ ଏକ ବର୍ଷ ପୂରଣ ହୋଇଛି। ମହାବଳ ବାଘ ଅଣାଯିବା ସଂକ୍ରାନ୍ତରେ କୌଣସି ସଂକେତ ମିଳୁନାହିଁ। ଅପରପକ୍ଷରେ ମହାବଳଙ୍କ ଆବାସସ୍ଥଳୀ ଶିମିଳିପାଳ ଅଭୟାରଣ୍ୟ ପାଇଁ ଗତବର୍ଷ ମହାରାଷ୍ଟ୍ରର ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ୨ଟି ବାଘ ଅଣାଯାଇଛି। ହେଲେ, ସମ୍ବଲପୁରକୁ ମହାବଳ ବାଘ ଆଣିବା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଦେଖିବାକୁ ମିଳିନାହିଁ। ମହାବଳ ବାଘ ଆସିବା ପ୍ରସ୍ତାବ ଥିବା ଦୃଷ୍ଟିରୁ ଡେବ୍ରିଗଡ଼ ଅଭୟାରଣୢରେ ହରିଣ ସଂଖ୍ୟା ବୃଦ୍ଧି ପାଇଁ ବି ପଦକ୍ଷେପ ନିଆଯାଇଛି। ୨୦୨୪ ମସିହା ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ସମ୍ବଲପୁର ଚିଡ଼ିଆଖାନାରୁ ୧୧୫ଟି ହରିଣ ଡେବ୍ରିଗଡ଼ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ମହାବଳ ବାଘ ଅଣାଯିବା ସଂକ୍ରାନ୍ତରେ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସଙ୍କୁ ପଚାରିବାରୁ ‘ମହାବଳ ଅଣାଯିବା ସଂକ୍ରାନ୍ତରେ ବର୍ତ୍ତମାନ ତାଙ୍କ ପାଖରେ କୌଣସି ସୂଚନା ନାହିଁ’ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ଡେବ୍ରିଗଡ଼କୁ ଚାଲି ଆସିଥିବା ଏକ ମହାବଳ ବାଘକୁ ମାତ୍ର କିଛି ମାସ ମଧ୍ୟରେ ଶିକାରୀମାନେ ମାରି ଦେଇଥିଲେ। ଉକ୍ତ ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/12/untitled-10-2025-09-12-06-42-59.jpg)