ଭୁବନେଶ୍ବର: ରାଜ୍ୟର ନୂଆ ରାସନ କାର୍ଡଧାରୀଙ୍କୁ ମିଳୁନି ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଭାରତ ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ କାର୍ଡ ଦିଆଯାଉଥିବା ବେଳେ ନୂଆ ହିତାଧିକାରୀ କାର୍ଡ ପାଇଁ ଚାହିଁ ରହିଛନ୍ତି। ସରକାରୀ ସ୍ତରରେ ନୂଆ କାର୍ଡ ଛାପିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଅର୍ଡର ଦିଆଯାଇନାହିଁ। ତେଣୁ ନୂଆ ରାସନ କାର୍ଡଧାରୀମାନେ ଆୟୁଷ୍ମାନ କାର୍ଡ ପାଇବା ପାଇଁ ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଚଳିତବର୍ଷ ଏପ୍ରିଲ ମାସରେ ରାଜ୍ୟରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଛି। ୧କୋଟିରୁ ଅଧିକ ପରିବାରର ୩.୪୬ କୋଟି ଲୋକ ଏହି ଯୋଜନାରେ ସ୍ବାସ୍ଥ୍ୟ ସୁବିଧା ପାଇବେ। ପ୍ରତ୍ୟେକ ସଦସ୍ୟଙ୍କୁ କାର୍ଡ ମିଳିବା ଫଳରେ ସେମାନେ ଯେଉଁ ଅଞ୍ଚଳରେ ଥିଲେ ବି ସ୍ବାସ୍ଥ୍ୟ ସେବା ପାଇପାରିବେ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆୟୁଷ୍ମାନ କାର୍ଡ ଛାପିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ଏକ ସଂସ୍ଥାକୁ ଏହି ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨କୋଟି ୪୫ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟା ସରିଛି। ହେଲେ କିଛି ସିଡିଏମ୍ଓ ତାଙ୍କ ଜିଲ୍ଲାରେ ଯେତିକି ସଂଖ୍ୟକ ଆୟୁଷ୍ମାନ ଭାରତ ହିତାଧିକାରୀ ଅଛନ୍ତି, ତାହା ତୁଳନାରେ ତାଙ୍କୁ କମ୍ କାର୍ଡ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଯଦିଓ ଆୟୁଷ୍ମାନ ଭାରତ ଯୋଜନାରେ ରାସନ କାର୍ଡ ଥିଲେ ଜଣେ ବ୍ୟକ୍ତି ଚିକିତ୍ସା ପାଇବାର ସୁବିଧା ରହିଛି, ମାତ୍ର ବାସ୍ତବରେ ଅନେକ ସମୟରେ ଏହାକୁ ନେଇ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ନୂଆ ଆୟୁଷ୍ମାନ କାର୍ଡ ଛାପିବାକୁ ସରକାର ଦେଇନାହାନ୍ତି ଅର୍ଡର
ତତ୍କାଳୀନ ରାଜ୍ୟ ସରକାର ରାଜ୍ୟରେ ନୂଆ ରାସନ କାର୍ଡ ପ୍ରଦାନକୁ ବନ୍ଦ କରିଦେଇଥିଲେ। ରାଜ୍ୟରେ ନୂଆ ସରକାର ଆସିବା ପରେ ପୁଣିଥରେ ରାସନ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏହାଭିତରେ ପ୍ରାୟ ୧୨ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ପ୍ରତ୍ୟେକ ଦିନ ଆବେଦନ ଆସୁଛି। ହେଲେ ରାସନ କାର୍ଡରେ ନୂଆ ସଦସ୍ୟଙ୍କୁ ଯୋଡ଼ିବା ଓ ନୂତନ ଭାବେ ରାସନ କାର୍ଡ ବଣ୍ଟନକୁ ମିଶାଇ ସମୁଦାୟ ସଂଖ୍ୟା ୬ଲକ୍ଷ ଟପିଛି। ଅନେକ ଆବେଦନକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଜାରି ରହିଥିବାରୁ ସେମାନେ ଯୋଗ୍ୟ ବିବେଚିତ ହେଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ।
ହେଲେ ରାସନ କାର୍ଡ ହିତାଧିକାରୀ ଓ ଆୟୁଷ୍ମାନ ଯୋଜନାରେ ଚିକିତ୍ସାକୁ ନେଇ ଆହୁରି ଗୋଟିଏ ସମସ୍ୟା ସୃଷ୍ଟି ହେଉଛି। ଯେଉଁ ବ୍ୟକ୍ତିମାନେ ନୂଆ କରି ରାସନ କାର୍ଡ ପାଉଛନ୍ତି, ସେମାନଙ୍କ ସଂପର୍କିତ ତଥ୍ୟ ଆୟୁଷ୍ମାନ ଭାରତ ପାଇଁ ଥିବା ସଫ୍ଟୱେୟାରରେ ବେଶ୍ କିଛିଦିନ ପରେ ପ୍ରକାଶ ପାଉଛି। ଯଦି ଏହି ସମୟରେ ଜଣେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଉଛନ୍ତି ତାଙ୍କୁ ସେବା ମିଳିବ ନାହିଁ। ଏଭଳି ପରିସ୍ଥିତିରେ ରାସନ କାର୍ଡ ଥାଇ ମଧ୍ୟ ଜଣେ ଚିକିତ୍ସା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁନାହିଁ। ଏହାସହ ରାସନ କାର୍ଡ ଓ ଆୟୁଷ୍ମାନ କାର୍ଡ ଥିବା ସତ୍ତ୍ବେ ଅନେକ ଡାକ୍ତରଖାନା ରୋଗୀଙ୍କୁ ଆଡ୍ମିସନ କରିବା କିମ୍ବା ଅନ୍ୟ ବାହାନାରେ ଆଗୁଆ ଟଙ୍କା ନେଉଛନ୍ତି। ଏହି ବ୍ୟବସ୍ଥାଟି କିଭଳି ବନ୍ଦ ହେବ ତାହାକୁ ନେଇ ରାଜ୍ୟ ସରକାର ଏଯାଏଁ କୌଣସି ବାଟ ବାହାର କରିନାହାନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଆଶ୍ବାସନା କମିଟି(ସାସ୍)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉଦ୍ଘାଟନ ସମୟରେ ଯେତିକି ସଂଖ୍ୟା ଆୟୁଷ୍ମାନ ଭାରତ କାର୍ଡ ଆସିଥିଲା ତାହାକୁ ଦିଆଯାଉଛି। ଅନେକ ସ୍ଥାନରେ କାର୍ଡ ବଣ୍ଟା ସରି ଆସିଲାଣି। ମାତ୍ର ନୂଆଭାବେ ରାସନ କାର୍ଡ ପାଇଥିବା ବ୍ୟକ୍ତିଙ୍କ ପାଇଁ କାର୍ଡ ଛପାଇବା ଲାଗି ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇନାହିଁ। ରାସନ କାର୍ଡ ଦେଖାଇ ଜଣେ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଇପାରିବେ। ତେଣୁ ନିର୍ଦ୍ଦିଷ୍ଟ ଭାବେ କୌଣସି ଅଭିଯୋଗ ଆସିଲେ ତାହାର ସମାଧାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/ayushman-card-2025-11-10-01-38-39.jpg)