କେବେ କାର୍ଯ୍ୟକ୍ଷମ ହେବ ଏନ୍‌ଟିପିସି ମେଡିକାଲ କଲେଜ ?

ସୁନ୍ଦରଗଡ଼ : ଚଳିତବର୍ଷ ମେଡିକାଲ କଲେଜରେ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୫ ମାସ ବିଳମ୍ବରେ ଆରମ୍ଭ ହୋ‌ଇଥିବା ଏହି ପ୍ରକ୍ରିୟାରେ ୧୪୫୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌ ପାଇଁ ପଞ୍ଜୀକରଣ ହେବ। ରାଜ୍ୟର ୧୦ଟି ମେଡିକାଲ କଲେଜ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ଏସିସିବି, ବ୍ରହ୍ମପୁର ଏମକେସିଜି, ବୁର୍ଲା ଭିମସାର, କୋରାପୁଟ, ବାରିପଦା, ବଲାଙ୍ଗୀର, ବାଲେଶ୍ବର, ଭୁବନେଶ୍ବର ଓ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ ପାଇଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ। ଏହାରିଭିତରେ ଏନ୍‌ଟିପିସି ମେଡିକାଲ କଲେଜ କଥା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ୨୦୨୨-୨୩ରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ସରକାର ଘୋଷଣା କରିଥିଲେ। ଏହି ଘୋଷଣା ବାସ୍ତବରେ କେବେ କାର୍ଯ୍ୟକାରୀ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଗତ ୨୦୨୧ ସେପ୍ଟେମ୍ବର ୬ ତାରିଖରେ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୁନ୍ଦରଗଡ଼ ମେଡିକାଲ କଲେଜ ପାଇଁ ୨୦୨୨–୨୩ ଶିକ୍ଷା ବର୍ଷରୁ ନାମଲେଖା ଆରମ୍ଭ ହେବ ବୋଲି ଘୋଷଣା କରିଥି‌ଲେ। ଏନ୍‌ଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବକ୍ରମେ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ ପରେ ବି କେନ୍ଦ୍ର ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେଣୁ ଏନଟିପିସି ସହ ରାଜ୍ୟ ସରକାରଙ୍କ ପୂର୍ବ ଚୁକ୍ତି ଅନୁଯାୟୀ ନିଜସ୍ବ ଖର୍ଚ୍ଚରେ ଶହେ ଏମବିବିଏସ୍‌ ସିଟ୍‌ ସହ ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲାଯିବ। ଏହାସହ ୨୭୧ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉଥିବା ଓ ସେପ୍ଟେମ୍ବର ୨୬ ସୁଦ୍ଧା ସରକାର ମେଡିକାଲ କଲେଜ ସିଟ୍‌ ପାଇଁ ଆବେଦନ କରିବେ ବୋଲି ମନ୍ତ୍ରୀ ଗୃହକୁ କହିଥିଲେ। କିନ୍ତୁ ଏଯାଏ ନା କର୍ମଚାରୀ ନିଯୁକ୍ତି ହୋଇଛି ନା ମେଡିକାଲ କଲେଜ ସିଟ୍‌ ପାଇଁ ସରକାର ଆବେଦନ କରିଛନ୍ତି। ଯାହା ସୁନ୍ଦରଗଡ଼ରେ ପ୍ରତିକ୍ରିୟା ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ସୁନ୍ଦରଗଡ଼ବାସୀଙ୍କୁ ମେଡିକାଲ କଲେଜର ଭୁଆଁ ବୁଲାଉଛନ୍ତି ବୋଲି ସାଧାରଣରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର