ଖୋର୍ଦ୍ଧା: ଦେଶ ସାରା ସ୍ବଚ୍ଛତା ପକ୍ଷ ଚାଲୁଛି। ପରିମଳ ଓ ସ୍ବଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ରାଜ୍ୟ ସରକାର ବସ୍‌ଷ୍ଟାଣ୍ଡ ଗୁଡ଼ିକୁ ୫-ଟିରେ ସମ୍ପୃକ୍ତ କରି ଆନୁସଙ୍ଗିକ ସୁବିଧାସୁଯୋଗଗୁଡ଼ିକର ଅଧିକ ବିକାଶିତ କରିବାକୁ ଯୋଜନା କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସଦର ମହକୁମାରେ ବସ୍‌ଷ୍ଟାଣ୍ଡ କିମ୍ବା ବଜାରରେ ସାଧାରଣ ବ୍ୟବହାର ପାଇଁ ଶୌଚାଳୟ ଟିଏ ନାହିଁ। ସହରରେ ଥିବା ପୁରାତନ ଦୁଇଟି ଶୌଚାଳୟର ମରାମତି ପାଇଁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ମଧ୍ୟରେ ଦୁଇ ଦୁଇ ଥର ନିର୍ମାଣ ଶେଷ କରିବାର ଧାର୍ଯ୍ୟ ସମୟ ପରିବର୍ତନ ହୋଇଛି।

Advertisment

ପ୍ରାୟ ୧୦-୧୧ ବର୍ଷ ପୂର୍ବେ ଖୋର୍ଦ୍ଧା ସହରର ପୁରୁଣା ବସଷ୍ଟାଣ୍ଡ ନିକଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଠାରେ ଓ ନୂଆ ବସ୍‌ଷ୍ଟାଣ୍ଡ ଠାରେ ଦୁଇଟି ସୁଲଭ ଶୌଚାଳୟ ଓ ସର୍ବସାଧାରଣ ଗାଧୁଆ ଘର ଖୋଲାଯାଇଥିଲା। ଏହା କାର୍ଯ୍ୟକ୍ଷମ ହେବାର ୩-୪ ବର୍ଷ ମଧ୍ୟରେ ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହୋଇଗଲା। କୌଣସି ମତେ ପୁରୁଣା ବସ୍‌ଷ୍ଟାଣ୍ଡ ଠାରେଥିବା ସୁଲଭ ଶୌଚାଳୟଟି ୨୦୧୯ରେ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ମାତ୍ର କିଛି ମାସ ପରେ ଏହା ବନ୍ଦ ହୋଇଗଲା। ସହରରେ ସୁଲଭ ଶୌଚାଳୟର ନିର୍ମାଣ ପାଇଁ ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନଗୁଡ଼ିକ ପକ୍ଷରୁ ଦାବିକୁ ଦୃଷ୍ଟିରେ ରଖି ୨୦୨୦-୨୧ରେ ଏନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା। କିନ୍ତୁ ଜଣେ ବ୍ୟକ୍ତି ଟେଣ୍ଡର ପକାଇଥିବାରୁ ଟେଣ୍ଠରଟି ନାକଚ ହୋଇଯାଇଥିଲା। ପରବର୍ତୀ ସମୟରେ କରାଯାଇଥିବା ଦ୍ବିତୀୟ ଟେଣ୍ଡର ପାଇଁ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ଆଗ୍ରହ ଦେଖାଇଲେ ନାହିଁ। ଶେଷରେ ଚଳିତ ବର୍ଷ ଏହାର ନିର୍ମାଣ ପାଇଁ ​ତୃତୀୟ ଥର ଟେଣ୍ଡର ଆହ୍ବାନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ନିର୍ମାଣ ଆରମ୍ଭ ହେବାର ଇତିମଧ୍ୟରେ ୧୦ ମାସ ବିତିଯାଇଛି। ଅପ୍ରିଲ୍‌ ପହିଲାରେ ଏହାର ଉଦ୍‌ଘାଟନ ପାଇଁ ଯୋଜନା ହୋଇଥିଲା, କିନ୍ତୁ ଏହି ସମୟ ମଧ୍ୟରେ ଏହା ଶେଷ​ ହୋଇପାରିଲା ନାହିଁ। ପରବର୍ତୀ ସମୟରେ ଜୁନ୍‌ ଶେଷ-ଜୁଲାଇ ପ୍ରଥମ ସପ୍ତାହ ସମୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଏହା ମଧ୍ୟ ସଫଳ ହୋଇପାରିଲା ନାହିଁ। ବର୍ତମାନ ଦୁଇଟି ସୁଲଭ ଶୌଚାଳୟର କାମ ଅଧାପନ୍ତରିଆ ହୋଇପଡ଼ି ରହିଥିବା ବେଳେ କେବେ ଆରମ୍ଭ ହେବ ସେନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନୂଆ ବସ୍‌ଷ୍ଟାଣ୍ଡର ସୁଲଭ ଶୌଚାଳୟ ପାଇଁ ୧୪ ଲକ୍ଷ ଟଙ୍କା ଓ ପୁରୁଣା ବସ୍‌ଷ୍ଟାଣ୍ଡ ସୁଲଭ ଶୌଚାଳୟ ପାଇଁ ୧୨ଲକ୍ଷ ଟଙ୍କା ମଂଜୁର ହୋଇଛି। ନୂଆ ବସ୍‌ଷ୍ଟାଣ୍ଡର ସୁଲଭ ଶୌଚାଳୟର ୭୦ ଭାଗ କାମ ଶେଷ ହୋଇଯାଇଛି ଓ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ସୁଲଭ ଶୌଚାଳୟର କାମ ୯୦ ଭାଗ ଶେଷ ହୋଇଯାଇଛି। ନିର୍ମାଣ ଆରମ୍ଭ ହେବାର କିଛି ଦିନ ବିଭାଗୀୟ କାରଣ ହେତୁ କାମ ବିଶେଷତଃ ଆଗେଇ ପାରିନଥିଲା। ବର୍ତମାନ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଶେଷ ହେବା ଲକ୍ଷ୍ୟ ରଖାଯାଇଛି।