ଲୋକସେବା ଭବନକୁ ସାମ୍ବାଦିକଙ୍କୁ ମିଳିଲା ଅନୁମତି, କଳିଙ୍ଗ ଷ୍ଟାଡିୟମକୁ ନା

ସାମ୍ବାଦିକଙ୍କ ପାଇଁ କେବେଠୁ ଖୋଲା ରହିବ କଳିଙ୍ଗ ଷ୍ଟାଡିୟମ୍‌?

ଭୁବନେଶ୍ବର: ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ହିଁ ବ୍ୟବସ୍ଥାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ଚାରି ବର୍ଷ ହେଲା ଲୋକସେବା ଭବନକୁ ସାମ୍ବାଦିକଙ୍କୁ ମନା ଥିଲା। ହେଲେ ଏବେ ଏଥିରୁ କଟକଣା ହଟିଛି। ସାମ୍ବାଦିକମାନେ ଲୋକସେବା ଭବନ ଭିତରକୁ ଯାଇ ଖବର ସଂଗ୍ରହ କରୁଛନ୍ତି। କ୍ୟାବିନେଟ୍ ବୈଠକ ସରିବା ପରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆସି କ୍ୟାବିନେଟ୍ ବୈଠକ ଉପରେ ସଂପୂର୍ଣ୍ଣ ବିବରଣୀ ରଖିଥିଲେ । ସରକାର ପରିବର୍ତ୍ତନ ହେଲା ପରେ ଲୋକସେବା ଭବନର ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଇଛି। କିନ୍ତୁ କଳିଙ୍ଗ ଷ୍ଟାଡିୟମକୁ ଆଜି ବି ସାମ୍ବାଦିକଙ୍କୁ ମନା। କଳିଙ୍ଗ ଷ୍ଟାଡିୟମରେ ଅନେକ ସମୟରେ ଅନେକ ଇଭେଣ୍ଟ ଆୟୋଜନ କରାଯାଉଛି ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକା ଯାଉନାହିଁ।

ବିଗତ କିଛି ଦିନ ହେବ କଳିଙ୍ଗ ଷ୍ଟାଡିୟମରେ ଦ୍ୱିତୀୟ ଓଡ଼ିଶା ଜାତୀୟ ସୁଇମିଂ ରାଙ୍କିଂ ଚମ୍ପିୟନସିପ ୨୦୨୩ ଆୟୋଜିତ ହେଇଥିଲା। ହେଲେ ଗଣମାଧ୍ୟମକୁ କୁହାଯାଇନଥିଲା। କେବଳ କ୍ରୀଡା ବିଭାଗ ତରଫରୁ କିଛି ଫଟୋ ଦେଇ ଦିଆଯାଉଥିଲା ଖବର କରିବା ପାଇଁ। ଏହା କେବଳ ଗୋଟିଏ ଇଭେଣ୍ଟ ନୁହେଁ। ଆଗରୁ ମଧ୍ୟ ଏମିତି ଅନେକ ଇଭେଣ୍ଟରେ ଏହି ଭଳି ଭାବରେ ଫଟୋ ଦେଇ ଦିଆଯାଏ। ଯଦି ଜଣେ କ୍ରୀଡା ସାମ୍ବାଦିକ ଷ୍ଟାଡିୟମ ଭିତରକୁ ନଯିବ ତାହେଲେ ସିଏ ଖବର କରିବ କେମିତି।

କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ କହିଛନ୍ତି, ଦୀର୍ଘ ବର୍ଷ ହେବ କଳିଙ୍ଗ ଷ୍ଟାଡିୟମ ଭିତରକୁ କ୍ରୀଡା ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଯେତେବେଳେ କ୍ରୀଡା ବିଭାଗ ଚାହିଁବ ସେତେବେଳେ ହିଁ ଅନୁମତି ମିଳିବ। ନହେଲେ କେହି ଯାଇପାରିବେ ନାହିଁ। ଯାହାକୁ ନେଇ ଅନେକ ସମୟରେ କ୍ରୀଡା ସାମ୍ବାଦିକଙ୍କ ଭିତରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି। ଆଉ ଏନେଇ ଅନେକ ଥର ଅଭିଯୋଗ ମଧ୍ୟ ଜଣାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ସେମିତି କିଛି ସୁଫଳ ମିଳିପାରିନାହିଁ। ସ୍ପୋର୍ଟସ ହଷ୍ଟେଲରେ ରାଜ୍ୟର ଅନେକ ପ୍ରତିଭାବାନ କ୍ରୀଡାବିତ୍ ରହୁଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହେଉନାହିଁ। ଫଳରେ ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରୁନାହାନ୍ତି। କଳିଙ୍ଗ ଷ୍ଟାଡିୟମରୁ ହିଁ କ୍ରୀଡା ବିଭାଗ ପରିଚାଳିତ ହେଉଛି। ଯଦି ଜଣେ ସାମ୍ବାଦିକ ପ୍ରବେଶ କରି ପାରିବ ନାହିଁ ତାହେଲେ ଓଡ଼ିଶାରେ ଚାଲିଥିବା କ୍ରୀଡା ଓ କ୍ରୀଡାବିତଙ୍କ ବିଷୟରେ ଖବର କେମିତି ସଂଗ୍ରହ କରିବ। ଏବେ ସରକାର ପରିବର୍ତ୍ତନ ହେଇଛି। ଆଶା କରାଯାଉଛି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବ୍ୟବସ୍ଥାରେ ମଧ୍ୟ କିଛି ପରିବର୍ତ୍ତନ ଆସିବ।

ସମ୍ବନ୍ଧିତ ଖବର