ସବୁ ଶାସକ ଏବେ ବ୍ରଜରାଜନଗରରେ; ଓରିଏଣ୍ଟ ପେପର ମିଲ୍‌ ପୁନରୁଦ୍ଧାର ପାଇଁ ମୁହଁ ଖୋଲୁନି କାହିଁକି ?

ଝାରସୁଗୁଡ଼ା: ଉପନିର୍ବାଚନରେ ମାତ୍ର ଗୋଟିଏ ଆସନରେ ବିଜୟୀ ହେବାକୁ ଶାସକ ଦଳ ପକ୍ଷରୁ ଯେଉଁ ଭଳି ଭାବରେ ଉଦ୍ୟମ କରାଯାଉଛି ତାହା ଇତିହାସରେ କେବେ ଦେଖା ଯାଇନଥିଲା। ବିଜେଡି ବିଧାନସଭାରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସତ୍ତ୍ବେ ଏହି ଗୋଟିଏ ଆସନକୁ ଜିଣିବା ପାଇଁ କୋଟି କୋଟି ଟଙ୍କା ବୋହାଇ ଦେଉଥିବା ଦେଖା ଯାଇଛି। ଶାସକ ଦଳର ଅଧାରୁ ଅଧିକ ମନ୍ତ୍ରୀ, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ସମେତ ତାଙ୍କ ଦଳବଳ ଏଠାରେ ଡେରା ପକାଇ ବସିଛନ୍ତି। ମାଳ ମାଳ ଧଳା ଗାଡ଼ି ଓ ଧଳା ଜାମା ପରିହିତ ନେତା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଛାଇ ଯାଇଛନ୍ତି। ବିଜେଡି ମନ୍ତ୍ରୀ ବିଧାୟକ ପ୍ରତି ପଞ୍ଚାୟତ ଓ ୱାର୍ଡ଼ର ଦୟିତ୍ବ ନେଇଛନ୍ତି।

ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ଭୋଜିଭାତିର ଆସର ଚାଲିଛି। ମନ୍ତ୍ରୀ, ବିଧାୟକ ଓ ତାଙ୍କ ଦଳବଳ ଯୋଗୁଁ ଦୀର୍ଘ ଦିନ ହେଲା ବିଭିନ୍ନ ହୋଟେଲ ଓ କମ୍ପାନି ବଙ୍ଗଳାରେ  ଭରି ରହିଛି। ବଡ଼ ବଡ଼ ବିଳାସପୂର୍ଣ୍ଣ ହୋଟେଲ ଗୁଡ଼ିକରେ ମଧ୍ୟ ଆଉ ସ୍ଥାନ ନାହିଁ। ବିରୋଧି ଦଳ ମଧ୍ୟ ଏଥିରେ ପଛରେ ନାହିଁ। ବିଜେପି ଓ କଂଗ୍ରେସର ନେତା ମନ୍ତ୍ରୀ ମଧ୍ୟ ବିଭିନ୍ନ ହୋଟେଲ ମାଡ଼ି ବସିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଏତେ ସଂଖ୍ୟକ ନେତାମନ୍ତ୍ରୀ ଏକା ସାଙ୍ଗରେ ରହିବା ଏକ ସାଧାରଣ ଘଟଣା ନୁହେଁ। ଶାସକ ଓ ବିରୋଧି ଦଳର ସବୁ ସଦସ୍ୟ ଏତେ ଦିନ ଧରି ଏହି ଅଞ୍ଚଳରେ ବୁଲିବା ଲୋକଙ୍କ ସହିତ କଥା ହେବା ଓ ସମସ୍ୟା ଅନୁଧ୍ୟାନ ଜାଣିବା ଏହି ଅଞ୍ଚଳ ପ୍ରତି ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି। ମାତ୍ର ସମସ୍ୟା ବହୁଳ ଏହି ନିର୍ବାଚନ ମଣ୍ଡଳୀର ଦୁଃଖ ଶୁଣିବା ମାତ୍ରେ କୌଣସି ନେତା ଥିଲା ଭଳିଆ ଆଦୌ ଜଣାପଡ଼ୁ ନାହିଁ।

 

ଶାସକ ଦଳର ଅନେକ ନେତା ଦଳର ନିର୍ଦ୍ଦେଶ ମାନି ପ୍ରଚାର କରି ଆସିଥିବା ବେଳେ ସେମାନେ ଲୋକଙ୍କ ସମସ୍ୟା କଣ ଶୁଣିବେ ସେମାନେ ପ୍ରଚାରର ସଂପର୍କୀୟ ପ୍ରମାଣ ତାଙ୍କ ଉପରିସ୍ଥ ନେତାଙ୍କୁ ଦେଖାଇବା ପାଇଁ ସୋସିଆଲ ମିଡିଆ ଓ ଗଣମାଧ୍ୟମର ଆଶ୍ରୟ ନେବାକୁ ବିକଳ ହେଉଛନ୍ତି। ଦୁଇ ଗୋଟି ପୌରାଞ୍ଚଳ ଓ ଦୁଇଗୋଟି ବ୍ଲକର ୩୮ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ବିରାଟ ବିଧାନସଭା ଆସନରେ ଦୀର୍ଘ ଦିନରୁ  ଅନେକ ସମସ୍ୟା ରହି ଆସିଛି। ଏଠାରେ ଭରି ରହିଛି କଳାହୀରାର ଏକାଧିକ ଖଣି, ଯେଉଁ ଠାରୁ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ନେଉଛନ୍ତି। ତେବେ ଆଜି ମଧ୍ୟ ଖଣି ଅଞ୍ଚଳର ଲୋକ ପାଣି ମୁନ୍ଦିଏ ପାଇଁ ଡହକ ବିଳକ ହେଉଛନ୍ତି। ହୀରାକୁଦ ଓ ଖଣି ଯୋଗୁଁ ବାସଚ୍ୟୁତ ହୋଇଥିବା ଲୋକଙ୍କୁ ସରକାର ଅଣଦେଖା କରିଥିବା ବେଳେ ତାଙ୍କର ସମସ୍ୟା ସମାଧାନ କରି ପାରୁ ନାହାନ୍ତି।

ଏମାନଙ୍କ ସମସ୍ୟାକୁ ନେଇ ରାଜନେତାମାନେ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରି ଆସିଥିବା ଅଭିଯୋଗ ମଧ୍ୟ ହୋଇଛି। ଏକଦା ବ୍ରଜରାଜନଗର କହିଲେ ସାରା ରାଜ୍ୟରେ ପେପର ମିଲକୁ ବୁଝାଉଥିଲା। ଏଠାରେ ବିର୍ଲା ଗ୍ରୁପ ଦ୍ବାରା ଓରିଏଣ୍ଟ ପେପର ମିଲ ନାମରେ ଏକ ବୃହତ ଶିଳ୍ପ ଥିଲା, ଯେଉଁ ଶିଳ୍ପ ଏଠାକାର ଅର୍ଥିନୀତିକୁ ସମୃଦ୍ଧ କରିଥିଲା। ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା। ଇବ୍‌ନଦୀର ଜଳରାଶି ଏହି ଶିଳ୍ପରେ ବ୍ୟବହାର ହେଉଥିଲା। ପେପର ମିଲ ଯୋଗୁଁ  ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକ ପୋଷି ହେଉଥିଲେ। ତେବେ ବିଭିନ୍ନ କାରଣ ଯୋଗୁଁ ଏହି ଶିଳ୍ପ ୧୯୯୯ ମସିହାରୁ ବନ୍ଦ ହୋଇଯାଇଥିଲା। ବନ୍ଦ ପରେ ଏହି କାରଖାନା ପୁଣିଥରେ ଚଳାଇବା ପାଇଁ ବହୁ ନେତା ପ୍ରତିଶ୍ରୁତି ଦେଇ ତାକୁ ପୁରା କରି ପାରିନଥିଲେ।

୨୦୦୦ ମସିହାରୁ ଶାସନରେ ଥିବା ନବୀନ ସରକାର ଏହି କାରଖାନା ଖୋଲିବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ୨୨/ ୨୩ ବର୍ଷ ବନ୍ଦ ପଡ଼ିଥିବା ଏହି କାରଖାନା ଏବେ ଆଉ ପୁଣିଥରେ ଚାଲୁ କରିବା ସମ୍ଭବ ନୁହେଁ। ତଥାପି ଭୋଟ ବେଳେ ଏହାକୁ ପୁନର୍ବାର ଚାଲୁକରିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ। ଏହି ଉପନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମଧ୍ୟ ଶାସକ ଦଳ ପକ୍ଷରୁ  ପ୍ରତିଶ୍ରୁତିର ପୁନରାବୃତି କରାଯାଇଥିଲା। ତେବେ ହଠାତ ପୁଣି ଏହି ପ୍ରତିଶ୍ରୁତି ନଦେବାକୁ କୁଆଡ଼େ ନିର୍ଦ୍ଦେଶ ଆସିବାରୁ ଦଳ ପକ୍ଷରୁ  ଏବେ ମୁହଁ ବନ୍ଦ ରଖାଯାଇଛି। ଏଠାରେ ଏବେ ଶକ୍ତି, ଶିଳ୍ପ, ଅର୍ଥ, ଯୋଜନା ସବୁ ବିଭାଗର ମନ୍ତ୍ରୀ ଅଛନ୍ତି। ରାଜ୍ୟ ସରକାର ଯଦି ପ୍ରକୃତରେ ଏହି ଅଞ୍ଚଳର ବିକାଶ କରିବାକୁ ଇଚ୍ଛା ତାହାହେଲେ ଏହି ପ୍ରଚାର ସମୟରେ  ବିକାଶର ଏକ ବ୍ଲୁ ପ୍ରିଣ୍ଟି ତିଆରି କରିବାରେ କୌଣସି ଅସୁବିଧା ନାହିଁ ବୋଲି ସ୍ଥାନୀୟ ବୁଦ୍ଧଜୀବୀମାନେ ମତବ୍ୟକ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର