କେବେ ବନ୍ଧାହେବେ ଅନ୍ୟ ଅସାଧୁ ବ୍ୟାଙ୍କ୍ କର୍ମଚାରୀ?
ଜିଏସ୍ଟି ଠକେଇରେ ସାମିଲ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ କର୍ମଚାରୀ
ରାଉରକେଲା: ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଶାୟୀମାନେ ସମର୍ଥନ ଗୋଟାଇବାରେ ମାତିଗଲେଣି। ପ୍ରାୟ ଦୁଇ ବର୍ଷ ହେଲା ପ୍ରଶାସନ ଭରସାରେ ଚାଲିଥିଲା ଅର୍ବାନ ବ୍ୟାଙ୍କ୍;ଫଳରେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଏକଛତ୍ରବାଦ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ତେବେ ମାସକ ପରେ ଏହି ମନମୁଖୀ କାର୍ଯ୍ୟ ବନ୍ଦ ହେବାକୁ ଯାଉଛି। କାରଣ, ଆସନ୍ତା ଜୁନ ୧୯ ତାରିଖରେ ନିର୍ବାଚନ ଓ ଉକ୍ତ ଦିନ ହିଁ ଫଳାଫଳ ଘୋଷଣା କରାଯିବ। ଏହା ନିଃସନ୍ଦେହ ଯେ, ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ଜିଏସ୍ଟି ଠକଙ୍କ ପେଣ୍ଠସ୍ଥଳୀ ପାଲଟିଥିଲା। ଏହାଦ୍ବାରା ବ୍ୟାଙ୍କ୍ ଅନେକ ଦୁର୍ନାମ ଆଣିବା ସହ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ଏହି ଦୁର୍ନାମ ପୋଛିବା ହିଁ ନବ ନିର୍ବାଚିତ ପ୍ୟାନେଲ ପାଇଁ ଏକ ବିରାଟ ଆହ୍ବାନ ସୃଷ୍ଟି କରିବ। ସ୍ଥିତିରେ ସୁଧାର ଆଣିବାରେ ଏମାନେ କେତେ ସକ୍ଷମ ହେବ ତାହା ସମୟ କହିବ; ତେବେ ଏହା ଏତେ ସହଜ ହେବାର ସମ୍ଭାବନା କମ୍।
ଛବି ସୁଧାରିବାରେ ସକ୍ଷମ ହେବେ ତ ନୂଆ ପ୍ୟାନେଲ?
ସମଗ୍ର ରାଜ୍ୟର ଅନ୍ୟତମ ଦୁର୍ନୀତିଗ୍ରସ୍ତ ସଂସ୍ଥାଭାବେ ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ଜଣାଶୁଣା। ଜିଏସ୍ଟି ମହାଠକେଇରେ ଏହି ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅନୈତିକ ସଂପୃକ୍ତି ହିଁ ଏଭଳି ଅପବାଦ ଆଣିଥିଲା। ବିଗତ ଦିନରେ ଏହି ବ୍ୟାଙ୍କ୍ରେ ଶତାଧିକ ଜାଲ୍ ଆକାଉଣ୍ଟ ଖୋଲାଯାଇ ଜିଏସ୍ଟି ଇନପୁଟ ଟ୍ୟାକ୍ସ କ୍ରେଡିଟ୍(ଆଇଟିସି) ବାବଦକୁ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିଲା। ଠିକା ଶ୍ରମିକଙ୍କଠାରୁ ଆରମ୍ଭକରି ଛାତ୍ରଛାତ୍ରୀ, ରିକ୍ସା ଚାଳକ, ପାନ ଦୋକାନି, ପରିବା ଦୋକାନି, ଫଳ ଦୋକାନି ପର୍ଯ୍ୟନ୍ତ କେହି ବର୍ତ୍ତିନଥିଲେ। ଠକଦଳ ପ୍ରଥମେ ଚାକିରି ଦେବା ଆଳରେ ନିରୀହ ଦିନମଜୁରିଆ, ସଫେଇ କର୍ମଚାରୀ, ଗୃହିଣୀ, ଅଟୋ ଚାଳକ, କ୍ରେନ୍ ଚାଳକ, ଘରୋଇ ଶିକ୍ଷକ, ବେକାର ଯୁବକଯୁବତୀଙ୍କଠାରୁ ଆନୁସଙ୍ଗିକ କାଗଜପତ୍ର ଆଣୁଥିଲେ। ଉକ୍ତ ଡକ୍ୟୁମେଣ୍ଟ୍ ମାଧ୍ୟମରେ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ର ଉଦିତନଗରସ୍ଥ ମୁଖ୍ୟ ଶାଖା, ଡେଲିମାର୍କେଟ ମିଡ୍ଟାଉନ ଶାଖା, ଆମ୍ବାଗାନ ଶାଖା ସମେତ ଅନ୍ୟାନ୍ୟ ବ୍ୟାଙ୍କ୍ରେ ନକଲି ଆକାଉଣ୍ଟ୍ ଖୋଲୁଥିଲେ। ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବା ସମୟରେ ନକଲି ମୋବାଇଲ ନମ୍ବର, ଜାଲ୍ ଠିକଣା, ଦସ୍ତଖତ, ଫଟୋ, ଆଫିଡେଭିଡ୍ରେ ଚଞ୍ଚକତା ଆଦି କରାଯାଉଥିଲା। ଏହାପରେ ଜାଲ୍ କମ୍ପାନି ତିଆରି କରି କୌଣସି ଜିନିଷ କିଣାବିକା କରାନଯାଇ, କେବଳ ଜାଲ୍ ବିଲ୍ ଜରିଆରେ ଅର୍ଥ ହଡ଼ପ ହେଉଥିଲା।
ସବୁ ଜାଲ୍ ଡକ୍ୟୁମେଣ୍ଟ୍ ଦାଖଲ ହେଉଥିଲେ ମଧ୍ୟ ଏହି ରୢାକେଟ୍ରେ ସାମିଲ ଥିବା ବ୍ୟାଙ୍କ୍ କର୍ମଚାରୀ, ଅଧିକାରୀ ଏସବୁକୁ ପାସ୍ କରି ନକଲି ଆକାଉଣ୍ଟ୍ ଖୋଲିବାରେ ସହଯୋଗ କରୁଥିଲେ। ସେତେବେଳେ ମଧ୍ୟ ବ୍ୟାଙ୍କ୍ ଅଧିକାରୀଙ୍କ ସଂପୃକ୍ତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ କୌଣସି କାରଣରୁ ଏମାନଙ୍କ ପାଖରେ ଜିଏସ୍ଟି କର୍ତ୍ତୃପକ୍ଷ ପହଞ୍ଚିପାରୁନଥିଲେ। ତେବେ ବିଳମ୍ବ ହେଉପଛେ ଅସାଧୁ କାରବାରରେ ଲିପ୍ତ ଦୁଇ ବ୍ୟାଙ୍କ୍ ଅଧିକାରୀ ଇତିମଧ୍ୟରେ ଗିରଫ ହୋଇଛନ୍ତି। ମାସକ ପୂର୍ବେ ଉଦିତନଗରସ୍ଥ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ମୁଖ୍ୟ ଶାଖାର ସହକାରୀ ଶାଖା ପରିଚାଳକ ଅକ୍ଷୟ କୁମାର ନାୟକ, ସିନିୟର ଆସିଷ୍ଟାଣ୍ଟ ପି.କେ.ଜେନାଙ୍କ ସମେତ ମୋଟ୍ ୪ ଜଣଙ୍କୁ ସମ୍ବଲପୁର ସାଇବର ପୁଲିସ ଗିରଫ କରିଥିଲା। କେବଳ ଏଡି ଦୁଇ ଅଧିକାରୀ ନୁହନ୍ତି, ବରଂ ଏକାଧିକ କର୍ମଚାରୀ ରୢାକେଟ୍ରେ ସାମିଲ ଥିବା ଅଭିଯୋଗ ହୁଏ।
ଏହି ଦୁର୍ନୀତିଖୋର୍ ବ୍ୟାଙ୍କ୍ ଅଧିକାରୀ ଓ ଠକଦଳଙ୍କ ହାବୁଡ଼ରେ ପଡ଼ିଥିବା ପୀଡ଼ିତଙ୍କ ସଂଖ୍ୟା ଶତାଧିକ। ବାସନ୍ତୀ କଲୋନିର ଏକ ବସ୍ତିରେ ରହୁଥିବା କଲେଜ ଛାତ୍ର ସୌମ୍ୟଜିତ ସ୍ବାଇଁଙ୍କ ନାଁରେ ଅର୍ବାନ ବ୍ୟାଙ୍କ୍ରେ ଏକ ଆକାଉଣ୍ଟ୍(ନମ୍ବର- ୦୦୪୦୧୦୦୦୨୭୫୫) ଖୋଲି ‘ଗଣପତି ଟ୍ରେଡର୍ସ୍’ ନାମକ ଏକ ଜାଲ କମ୍ପାନି ପ୍ରତିଷ୍ଠା କରାଯାଇଥିଲା। ଉକ୍ତ ସଂସ୍ଥା ମାଧ୍ୟମରେ ୨୦୧୭-୧୯ ଭିତରେ ୧୨ କୋଟି ୫୫ କୋଟି ଟଙ୍କାର ଜିଏଏସ୍ଟି ଆଇଟିସି ଅର୍ଥ ହଡ଼ପ କରିନେଇଥିଲେ ଠକ ଦଳ। ସେହିଭଳି ଉକ୍ତ ବସ୍ତିରେରେ ରହୁଥିବା ଆର୍ଏସ୍ପି ଠିକା ଶ୍ରମିକ ସାରଦା ପ୍ରସନ୍ନ ସ୍ବାଇଁଙ୍କ ନାଁରେ ଏକ ଆକାଉଣ୍ଟ୍(୦୦୪୦୧୦୦୦୨୭୫୪) ଖୋଲି ‘ବାସୁଦେବ ମିନେରାଲ୍ସ’ ନାମକଏକ ଜାଲ୍ କମ୍ପାନି ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କା ହଡ଼ପ କରାଯାଇଥିଲା।
ସେକ୍ଟର-୧ କାଳୀମନ୍ଦିର ବସ୍ତିର ସୁକାନ୍ତି ପାତ୍ରଙ୍କ ନାଁରେ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ମିଡ୍ଟାଉଉନ ଶାଖାରେ ଜାଲ୍ ଆକାଉଣ୍ଟ୍(ନଂ-୦୦୪୦୧୦୦୦୧୩୦୧) ଖୋଲି ‘ସୁକାନ୍ତି ଷ୍ଟିଲ୍ସ’ ନାଁରେ ପ୍ରାୟ ୧୫ କୋଟି ଠକିନେଇଥିବାବେଳେ ସେକ୍ଟର-୨୦, ସି ବ୍ଲକର ରାଜେନ୍ଦ୍ର ପଲ୍ଲାଇ ନାଁରେ ଜାଲ୍ ଆକାଉଣ୍ଟ୍(୦୦୪୦୧୦୦୦୧୨୬୧) ଖୋଲି ତଥା ‘ଆର୍.ପି. ଏଣ୍ଟରପ୍ରାଇଜେସ୍’ ନାଁରେ ୨୮ କୋଟି ୨୮ ଲକ୍ଷ ୪ ହଜାର ୫୧୭ ଟଙ୍କା ଠକିନେଇଥିଲେ। ଏମିତିକି ସୁକାନ୍ତିଙ୍କ ପରିବାରର ପ୍ରାୟ ୨୦ ଜଣଙ୍କ ନାଁରେ ସମାନ ଢ଼ଙ୍ଗରେ ଜିଏସ୍ଟି ଅର୍ଥ ଠକେଇ ହୋଇଥିଲା। ସେହିଭଳି ଦିନ ମଜୁରିଆ ବିଶ୍ବଜିତ ତାଣ୍ଡିଆଙ୍କ ନାଁରେ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ୍ ମିଡ୍ଟାଉନ୍ ଶାଖାରେ ଏକ ଜାଲ୍ ଆକାଉଣ୍ଟ୍(ନଂ-୦୦୪୦୧୦୦୦୧୨୫୫) ଖୋଲି ତଥା ‘ବି.ଟି.ମିନେରାଲ୍ସ’ ନାମକ ନକଲି କମ୍ପାନି ତିଆରି ଆଇଟିସି ବାବଦକୁ ୧୧ କୋଟି ୮୫ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ। କେବଳ ଏତିକିରେ ସୀମିତ ରହିନିନ ତାଲିକା; ବରଂ ଅର୍ବାନ ବ୍ୟାଙ୍କରେ ଖୋଲାଯାଇଥିବା ନକଲି ଆକାଉଣ୍ଟ୍ ଓ ଠକେଇ ସଂଖ୍ୟା ତାଲିକା ବେଶ୍ ଲମ୍ବା।