ପୁରୀ : ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡର ମହାତ୍ମ୍ୟ ଅନେକ। କିନ୍ତୁ ଏହି ପବିତ୍ର ବଡ଼ଦାଣ୍ଡ ଦିନକୁ ଦିନ ଅପବିତ୍ର ହେବାରେ ଲାଗିଛି। ଅତୀତରେ ଯେଉଁ ବଡ଼ଦାଣ୍ଡ ତୁଳସୀ ବଣରେ ଘେରି ରହିଥିଲା, ତୁଳସୀ ଚନ୍ଦନରେ ବାସି ଉଠୁଥିଲା, ସେହି ବଡ଼ଦାଣ୍ଡରେ ଆଜିଆମିଷ ଗନ୍ଧ ଭକ୍ତଙ୍କ ଭକ୍ତିଭାବକୁ କ୍ଷୁର୍ଣ୍ଣ କରୁଛି। ଏହାକୁ ଆଖି ଆଖରେ ରଖି ୨୫ ବର୍ଷ ତଳେ ୨୦ରୁ ଅଧିକ ସଂଗଠନ ବଡ଼ଦାଣ୍ଡକୁ ଆମିଷମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଅନ୍ଦୋଳନକୁ ବି ଓହ୍ଲାଇଥିଲେ। ପ୍ରଶାସନ ବିଭିନ୍ନ ସଂଗଠନ ସହ ମିଶି ଆମିଷମୁକ୍ତ ବଡ଼ଦାଣ୍ଡ ଉପରେ ସଚେତନତା ଶୋଭାଯାତ୍ରା ବି କରିଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଓ ଲୋକଙ୍କ ଦୁର୍ବଳ ମାନସିକତା ଆଜି ବଡ଼ଦାଣ୍ଡକୁ ଆମିଷ ଗନ୍ଧରେ ଭରି ଦେଇଛି। ଯେଉଁଠି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରାଯାଇଛି, ସେଠି ସରକାର ଚାହିଁଲେ ପବିତ୍ର ବଡ଼ଦାଣ୍ଡ ବି ଆମିଷମୁକ୍ତ ହୋଇପାରିବ ବୋଲି ଗବେଷକ, ସଂଗଠକ, ବୁଦ୍ଧିଜୀବୀ, ଭକ୍ତମାନେ ମତ ଦେଇଛନ୍ତି।

Advertisment

publive-image

ଅତୀତରେ ଅନେକ ସାଧୁସନ୍ଥଙ୍କ ପାଦ ସ୍ପର୍ଶରେ ବଡ଼ଦାଣ୍ଡ ପବିତ୍ର ହୋଇଛି। ପ୍ରଭୁ ଚୈତନ୍ୟଙ୍କଠାରୁ ଆରମ୍ଭ କରି ତୁଳସୀଦାସ, ରାମାନନ୍ଦଙ୍କ ଭଳି ଅନେକ ସାଧୁସନ୍ଥ ଏହି ବଡ଼ଦାଣ୍ଡରେ ପାଦ ଦେଇ ଏହି ଭୂମିର ପବିତ୍ରାକୁ ବଢ଼ାଇଛନ୍ତି। ସବୁଠୁ ବଡ଼‌ ସୌଭାଗ୍ୟ ହେଉଛି, ପ୍ରତିବର୍ଷ ବଡ଼ଦାଣ୍ଡରେ ମହାପ୍ରଭୁ ନିଜେ ବିଜେ କରୁଛନ୍ତି। ପହଣ୍ଡି ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶରେ ବଡ଼ଦାଣ୍ଡ ପବିତ୍ର ହେଉଛି। ରଥାରୁଢ଼ ଶ୍ରୀଜିଉ ଶ୍ରୀଗୁଣ୍ଡିଚା ଯାତ୍ରା କରି ପ୍ରତିବର୍ଷ ତାଙ୍କ ପତିପାବନ ନାମକୁ ସାର୍ଥକ କରୁଛନ୍ତି। ଏଣୁ ଯେଉଁ ଭକ୍ତମାନେ ଶ୍ରୀକ୍ଷେତ୍ର ବାହାରୁ ଆସନ୍ତି, ସେମାନେ ପ୍ରଥମେ ବଡ଼ଦାଣ୍ଡର ଧୂଳିକୁ ମୁଣ୍ଡରେ ମାରି ମହାପ୍ରଭୁଙ୍କ ସ୍ମରଣ କରି ତାଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି। କିନ୍ତୁ ଏହି ପବିତ୍ର ବଡ଼ଦାଣ୍ଡରେ ଆମିଷ ବଜାର ଖୋଲିବା ଓ ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିବା ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭକ୍ତମାନଙ୍କ ଭକ୍ତିଭାବକୁ କୁଠାରାଘାତ କରୁଛି। ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ମରିଚି‌କୋଟ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ମାଳ ମାଳ ଫାଷ୍ଟଫୁଡ୍‌ ଦୋକାନରେ ଚିକେନ୍‌, ଅଣ୍ଡା, ମାଛ ଆଦି ବିକ୍ରି ଭକ୍ତଙ୍କ ମନରେ ନକରାତ୍ମକ ଭାବନା ସୃଷ୍ଟି କରୁଛି। ବଡ଼ଦାଣ୍ଡରେ ଆମିଷ ଗନ୍ଧ ଭିତରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି ଭକ୍ତ।

୧୯୯୭ ମସିହାରେ ଓଡ଼ିଶା ଯୁବ ଚେତନା ସଂଗଠନ ନେତୃତ୍ବରେ ୨୦ରୁ ଅଧିକ ସଂଗଠନ ଏକାଠି ହୋଇ ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଶୋଭାଯାତ୍ରା କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ଏହା ପରେ ୨୦୧୩ ମସିହାରେ ତତ୍କାଳୀନ ଆର୍‌ଡିସି ଅରବିନ୍ଦ ପାଢ଼ୀ ବି ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜୋର ଦେଇଥିଲେ। ବଡ଼ଦାଣ୍ଡରୁ ଆମିଷ ଦୋକାନ ହଟାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ୨୦୧୬ ମସିହାରେ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ସହ ବିଭିନ୍ନ ସଂଗଠନ ମିଳିତ ଭାବେ ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ସଚେତନତା ଶୋଭାଯାତ୍ରା କରିଥିଲେ। ପୁରୀ ସମୁଦ୍ର କୂଳରୁ ସିଂହଦ୍ବାର ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଥିଲା। ଯେଉଁଥିରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ଚରଣ ମାଝି, ଉପଜିଲ୍ଲାପାଳ ମଧୁସୂଦନ ଦାସ, ପୌର ନିର୍ବାହୀ ଅଧିକାରୀ ସଂଜୟ ମିଶ୍ରଙ୍କ ସମେତ ଶ୍ରୀକ୍ଷେତ୍ର ପୁସ୍ତକ ମେଳା, ଓଡ଼ିଶା ଯୁବ ଚେତନା ସଂଗଠନ, ପୁରୀ ସାହିତ୍ୟ ଉତ୍ସବ ସମିତି, ଶିଶୁ ସମାଚାର, ବାଲିସାହି ଆଖଡ଼ା ଓ ଶ୍ରୀକ୍ଷେତ୍ର ମହୋତ୍ସବ ଭଳି ବହୁ ସଂଗଠନ ଏହି ଶୋଭାଯାତ୍ରା ସାମିଲ୍ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆମିଷମୁକ୍ତ ବଡ଼ଦାଣ୍ଡର ସ୍ବପ୍ନ ଆଜି ସୁଦ୍ଧା ସଫଳ ହୋଇପାରିନି।

publive-image

ଏ ସଂପର୍କରେ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଜିଲ୍ଲାପାଳଙ୍କୁ ବି ଦାବିପତ୍ର ପ୍ରଦାନ କରିଛି। ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀ ଦୁଇଟି କ୍ଷେତ୍ରରୁ ପ୍ରସିଦ୍ଧି ଲାଭ କରିଛି। ଗୋଟିଏ ମହାପ୍ରଭୁଙ୍କ ପାଇଁ ଓ ଅନ୍ୟଟି ସମୁଦ୍ର ବେଳାଭୂମି ପାଇଁ। ବଡ଼ଦାଣ୍ଡ ଦେଇ ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ଯାଉଛନ୍ତି, ସେମାନେ ଭକ୍ତିଭାବ ନେଇ ଯାଉଛନ୍ତି। କିନ୍ତୁ ବେଳାଭୂମିକୁ ଭକ୍ତମାନେ ମଉଜ ପାଇଁ ଆସୁଛନ୍ତି। ବେଳାଭୂମିରେ ଆମିଷ ବିକ୍ରିରେ କୌଣସି ଅସୁବିଧା ନାହିଁ। କିନ୍ତୁ ବଡ଼ଦାଣ୍ଡରେ ଆମିଷ ବିକ୍ରି ହେଲେ, ବଡ଼ଦାଣ୍ଡର ପବିତ୍ରତା ନଷ୍ଟ ହେବ, ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାବେଳେ ନିଜ ଭକ୍ତିଭାବ ହରାଇବେ। ଏଣୁ ବଡ଼ଦାଣ୍ଡ ଆମିଷମୁକ୍ତ ହେବ ନିହାତି ଜରୁରୀ ବୋଲି ଶ୍ରୀ ମିଶ୍ର କହିଛନ୍ତି।