କେନ୍ଦ୍ରାପଡ଼ାରୁ ବାଂଲାଦେଶୀ ଅନୁପ୍ରବେଶକାରୀ ଦେଶାନ୍ତର ହେବେ ତ!

ଭୁବନେଶ୍ୱର (ସରୋଜ ଦାଶ) : ଆସାମର ୪୦ ଲକ୍ଷ ଲୋକଙ୍କୁ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟ୍ରାର(ଏନଆରସି) ଅଯୋଗ୍ୟ ଘୋଷଣା କରିଛନ୍ତି। ଅର୍ଥାତ ଏନଆରସିଙ୍କ ଦ୍ୱିତୀୟ ଡ୍ରାଫ୍ଟ ରିପୋର୍ଟରେ ଏହି ୪୦ ଲକ୍ଷ ଲୋକ ଭାରତୀୟ ନୁହଁନ୍ତି। ସନ୍ଦେହ କରାଯାଉଛି ଯେ ଏହି ୪୦ ଲକ୍ଷ ଲୋକଙ୍କ ମଧ୍ୟରେ ଅଧିକାଂଶ ବାଂଲାଦେଶୀ ଅନୁପ୍ରବେଶକାରୀ। ଏହାକୁ ନେଇ ଜାତୀୟ ରାଜନୀତି ବିଶେଷ କରି ଭୋଟ୍‌ ରାଜନୀତି ବେଶ୍‌ ସରଗରମ ହୋଇ ଉଠିଥିବା ବେଳେ ଓଡ଼ିଶାକୁ ଅନୁପ୍ରବେଶ କରୁଥିବା ବାଂଲାଦେଶୀମାନଙ୍କ ଉପରେ ନଜର ରଖିବାକୁ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାଗୁଡ଼ିକୁ ସତର୍କ କରି ଦିଆଯାଇଛି। ମାତ୍ର ବାସ୍ତବତା ହେଉଛି ଏବେ ବି ଶହଶହ ନୁହେଁ, ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ଜିଲ୍ଲାରେ ନିଜର ଆସ୍ଥାନ ଜମାଇ ସାରିଛନ୍ତି। ଅଭିଯୋଗ ହେଉଛି କି ସ୍ଥାନୀୟ ରାଜାନେତାଙ୍କୁ ହାତ କରି କିଏ ଭୋଟ୍‌ ପରିଚୟପତ୍ର ହାସଲ କରିନେଲାଣି ତ କିଏ ଆଧାର କାର୍ଡ ପ୍ରସ୍ତୁତ କରି ନେଇଛନ୍ତି। ଏହି ଅନୁପ୍ରବେଶକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପକ୍ଷରୁ କେବେ ବି ଆନ୍ତରିକ ଉଦ୍ୟମ ହୋଇ ନ ଥିବାରୁ ଏବେ ଏହି ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଚିନ୍ତାର କାରଣ ହୋଇଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ବସ୍ତିରେ ଶହଶହ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଆସି ରହିଯାଇଛନ୍ତି। ସେମାନଙ୍କ ଭିତରୁ କିଏ ଜରି ଗୋଟାଉଛି ତ କିଏ ନିର୍ମାଣ କାର୍ଯ୍ୟରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ମାତ୍ର ସେମାନଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇ ନାହିଁ। ଅପରପକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ର ଏମିତି କିଛି ଅଞ୍ଚଳ ଅଛି ଯାହାକୁ ଲୋକେ ‘ମିନି ବାଂଲାଦେଶ’ ବୋଲି କହୁଛନ୍ତି। ସେଠାରେ ଲୋକେ ବଙ୍ଗଳାରେ କଥା ହେଉଛନ୍ତି ଆଉ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଦିଆସିଲି ,ମହମବତୀ ଠାରୁ ଆରମ୍ଭ କରି ସାବୁନ ପର୍ଯ୍ୟନ୍ତରେ ମେଡ୍‌ ଇନ୍‌ ବାଂଲାଦେଶ ଲେଖାଯାଇଥିବା ଦେଖିବାକୁ ମିଳେ।

କେନ୍ଦ୍ରାପଡ଼ା ଜିଲ୍ଲାର ଏହିି ଦୁଇଟି ବ୍ଲକ୍‌ ସମୁଦ୍ର କୂଳରେ ରହିଛି। ତେଣୁ ବୋଟ୍‌, ଭୁଟିଭୁଟି ସହିତ ଜଳପଥକୁ ବ୍ୟବହାର କରି ବାଂଲାଦେଶୀମାନେ ଆସି ଏହି ଦୁଇ ବ୍ଲକ୍‌ରେ ପହଞ୍ଚି ଯାଉଛନ୍ତି। ସେମାନଙ୍କ ସହଯୋଗ କରୁଛନ୍ତି ଏକ ବଡ଼ ଧରଣର ର‍୍ୟାକେଟ୍‌। ପ୍ରଥମେ କିଛିଦିନ ଏହି ବାଂଲାଦେଶୀମାନେ ନିଜକୁ ପଶ୍ଚିମବଙ୍ଗର ଲୋକ ବୋଲି ପରିଚୟ ଦେବା ସହିତ ବନ୍ଧୁ ଘରକୁ ଆସିଥିବା କହି ସେମାନଙ୍କ ସମ୍ପର୍କୀୟମାନଙ୍କ ଘରେ ରହି ଯାଉଛନ୍ତି । ପରେ ନିଜ ପାଇଁ ସେଠାରେ ସ୍ଥାୟୀ ଠିକଣା ଯୋଗାଡ଼ କରି ନେଉଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ଜଲ୍ଲା ପ୍ରଶାସନ ମଧ୍ୟ ଜାଣିଛି। ୨୦୦୫ ମସିହାରେ ୧୫୫୧ ଜଣ ବାଂଲାଦେଶୀଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ଦେଶାନ୍ତର ପାଇଁ ନୋଟିସ ଜାରି କରିଥିଲା କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ। ମାତ୍ର ରାଜନୈତିକ ହସ୍ତକ୍ଷେପ ଓ କୋର୍ଟ ମାମଲା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ସରକାରଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ୧୫୫୧ ଜଣ ଓ ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ୧୨୬ ଜଣ ମୋଟ୍‌ ୧୬୭୭ ଜଣ ବାଂଲାଦେଶୀ ନାଗରିକ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ମାତ୍ର ଏହି ରିପୋର୍ଟ ୨୦୦୪ ମସିହାର। ଇତିମଧ୍ୟରେ ୧୫ ବର୍ଷ ଅତିବାହିତ ହେବାକୁ ବସିଛି। ଅଉ ବାଂଲାଦେଶରୁ ରାଜନଗର, ମହାକାଳପଡ଼ାକୁ ଆସିବା ପାଇଁ ଜଳପଥରେ ଅଧିକ ସୁବିଧା ମିଳିଛି। ତେଣୁ ଏ ଦିଗରେ ଦୃଢ଼ ରାଜନୈତିକ ଇଛାଶକ୍ତି ସହିତ ଅବୈଧ ବାଂଲାଦେଶୀଙ୍କୁ ଦେଶାନ୍ତର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର