ରାଇରଙ୍ଗପୁର/ବିଜାତଳା: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା। ତେବେ ଅଧିକାଂଶ ଯୋଜନାର ପ୍ରଭୃତି ହିତାଧିକାରୀ ଉପକୃତ ହେଉନଥିବା ଅଭିଯୋଗ ହୋଇଆସୁଛି। ତେବେ ତାହାର ଜ୍ବଳନ୍ତ ଉଦାହରଣ ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ୍ ଖନ୍ତ ପଂଚାୟତର ଲାଲବଜାର ସାହିରେ ଦେଖିବାକୁ ମିଳିଛି।

Advertisment

ଅଭିଯୋଗ ଅନୁଯାୟୀ ଲାଲବଜାରର ଅସହାୟ ବିଧବା ମହିଳା ରଇବାରୀ ନାଏକ(୭୨) ଦୀର୍ଘ ବର୍ଷ ହେବ ସେ ଏକ ଭଙ୍ଗା କୁଡିଆରେ ଏକୁଟିଆ ରହିଆସୁଛନ୍ତି। ବର୍ତ୍ତମାନ ତାଙ୍କର ଗୋଟିଏ ଗୋଡ ମଧ୍ୟ ଅଚଳ ହୋଇପଡିଛି। ଫଳରେ ସେ ଆଶାବାଡି ଧରି ଚାଲୁଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ମାସକୁ କେବଳ ୫ କିଲୋ ଚାଉଳ ଓ ୧୦୦ ଟଙ୍କା ଭତ୍ତା ମିଳୁଛି। ତାଙ୍କ ପାଇଁ ଏହା ନିଅଣ୍ଟ। ଏହା ବ୍ୟତୀତ ସେ ଦିବ୍ୟାଙ୍ଗ ହୋଇଥିବାରୁ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ତାଙ୍କର ସାହାଭରସା କେହି ନାହିଁ। ଜଣେ ପୁଅ ଅଛି ସେ ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି। ଏଣୁ ବାଧ୍ୟ ହୋଇ ଖରା, ବର୍ଷା, ଶୀତରେ ସେ ରାଇରଙ୍ଗପୁରର ସହରରେ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି।

ତେବେ ଯଥାଶୀଘ୍ର ତାଙ୍କୁ ଅର୍ନ୍ତଦୟ ଯୋଜନାରେ ସାମିଲ କରି ୩୫ କିଲୋ ଚାଉଳ ଯୋଗାଇ ଦିଆଯାଉ ବୋଲି ଦାବି ହେଉଛି। ଏହାବ୍ୟତୀତ ସେ ବର୍ତ୍ତମାନ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ତାଙ୍କୁ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଏକ ପକ୍କାଘର ଯୋଗାଇ ଦିଆଯାଉ ବୋଲି ପ୍ରାୟ ଦେଢ ବର୍ଷ ପୂର୍ବରୁ ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରକାଶ ପରେ ତାଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଆବାସ ଯୋଜନା ନିର୍ମାଣ ପାଇଁ ୱାର୍କ ଅର୍ଡର ଦିଆଯାଇଥିଲା।

ତେବେ ତାଙ୍କ ପଡ଼ୋଶୀ ଲୋକେ ଆବାସ ଯୋଜନା ନିର୍ମାଣ କରିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଖନ୍ତ ଆରଆଇଙ୍କ ଠାରୁ ଆରମ୍ଭ କରି ବିଜାତଳା ତହସିଲଦାର୍, ବାମନଘାଟୀ ଉପଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। କିଛି ମାସ ପୂର୍ବରୁ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ମଧ୍ୟ ସେନେଇ ଦାବି କରିଥିଲେ। ତାଙ୍କ ସ୍ମାମୀଙ୍କ ନାମରେ ଘର ଡିହ ଥିଲେ ମଧ୍ୟ ଘୋର ନିର୍ମାଣ କରିବାକୁ ଦେଉନଥିବା ରାଇବାରୀ ପ୍ରକାଶ କରିଛନ୍ତି। ଏନେଇ ଆଜି ସେ ପୁଣିଥରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ। ଏ ସମ୍ବନ୍ଧରେ ଖନ୍ତ ଆରଆଇ ଶିବ ଶଙ୍କର ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ରଇବାରୀ ନାଏକଙ୍କ ସମ୍ବନ୍ଧରେ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି।