ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡୁଗୁଡ଼ିପାରି ହେଉଛି ଏକ ରାଜସ୍ବ ଗ୍ରାମ ଯାହାର ଜନ ସଂଖ୍ୟା ପ୍ରାୟ ୨୦୦୦ ପରେ ଅଟେ। ଦୁଃଖର ବିଷୟ ଦେଶ ସ୍ଵାଧୀନତା ପାଇବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ୮ କିଲୋମିଟର ଦୂର ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏହି ଗାଁକୁ ପକ୍କା ସଡ଼କ ନଥିବା ଦୁଃଖ ଓ ପରିତାପର ବିଷୟ। ଗ୍ରାମବାସୀଙ୍କ ତରଫରୁ ଗାଁ କୁ ପକ୍କା ସଡ଼କ ନିର୍ମାଣ ପାଇଁ ବହୁଥର ପଞ୍ଚାୟତ କାର୍ଯ୍ୟାଳୟ, ବିଡିଓ, ଜିଲ୍ଲାପାଳ ଓ ସଚିବଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଫଳ ମିଳିପାରିନାହିଁ।
ମୁଖ୍ୟ ରାଜ୍ୟ ରାଜପଥ ର ଅତି ନିକଟରେ ଅବସ୍ଥିତ ରହିଥିବା ଡୁଗୁଡ଼ିପାରି ଗାଁର ଅଧିବାସୀଙ୍କ ଜୀବନ ଜୀବିକା ନିର୍ବାହ ପାଇଁ ଭଲ ରାସ୍ତାଟିଏ ନଥିବା ଅତି ଦୁଃଖଦାୟକ ବୋଲି କହିଛନ୍ତି ଗ୍ରାମବାସୀ। ପ୍ରତିଦିନ ଶହ ଶହ ଲୋକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର କିଣାବିକା ସହ ଉଚ୍ଚ ବିଦ୍ୟାଳୟ ଓ ବିଭିନ୍ନ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ କଳିଙ୍ଗା ଛକଦେଇ ଯିବା ଆସିବା କରିବାକୁ ପଡ଼ିଥାଏ। ବର୍ତମାନ ଯେଉଁ ରାସ୍ତାଟି ଅଛି ସେଥିରେ ଅନେକ ସମୟରେ ବର୍ଷା ପାଣିରେ ଖାଲ ଢିପ ଜଣା ପଡୁନଥିବାରୁ ସାଇକଲ ଓ ବାଇକ୍ ଚାଳକ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ତାସହ ସବୁଠାରୁ ମୁଖ୍ୟ ଆବଶ୍ୟକ ସ୍ଵାସ୍ଥ୍ୟଗତ ସମସ୍ୟା ସମୟରେ ଗର୍ଭବତୀ ମହିଳା ହେଉ କିମ୍ବା ଅନ୍ୟ ରୋଗୀ ମାନଙ୍କ ନିମନ୍ତେ ଆମ୍ବୁଲାନ୍ସ ସେବା ମିଳିବା ଅସମ୍ଭବ ହୋଇଥାଏ କାରଣ ସେହି ଗ୍ରାମକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ଅସମ୍ଭବ ଅଟେ ଆମ୍ବୁଲାନ୍ସ ସେବା।
ସେପଟେ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବହୁବାର ରାସ୍ତା ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ପ୍ରଶାସନିକ ସ୍ତରରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯେଉଁଠି ନିର୍ବାଚିତ ଜନପ୍ରତିନିଧି ଙ୍କ ଅଭିଯୋଗର ସୁଫଳ ମିଳୁନି ସେଇଠି ସାଧାରଣ ଗ୍ରାମବାସୀଙ୍କ କଥା କିଏ ବା ଶୁଣୁଛି କହିବା ସହ ଡୁଗୁଡ଼ିପାରି ଗାଁ ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ନିରୁପାୟ ଗ୍ରାମବାସୀ। ତା ସହ ଭଲ ରାସ୍ତା ଆମ ପାଇଁ ସାତ ସପନ ବୋଲି କ୍ଷୋଭର ସହ ମତ ପ୍ରକାଶ କରିଛନ୍ତି।ଏବଂ ଅତିଶୀଘ୍ର ଡୁଗୁଡ଼ିପାରି ଗ୍ରାମକୁ ଭଲ ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ଅନୁରୋଧ କରିବା ସହ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।