ଜୟପୁର: ଛତିଶଗଡ଼ର ଜଗଦଲପୁର ଠାରୁ ଆସୁଥିବା ବିଭିନ୍ନ ଟ୍ରେନ ଗୁଡିକ ତିନିରୁ ଚାରଟି  ରାଜ୍ୟ ଦେଇ ଯିବା ଆସିବା କରୁଛନ୍ତି। ୪ ରାଜ୍ୟର ହଜାର ହଜାର ଲୋକେ ୪ଟି ଟ୍ରେନ ଉପରେ ନିର୍ଭର। ତେବେ ଗତ ମାସକ ତଳେ ମାନବାର-ଜରଟି ଷ୍ଟେସନ ପୂର୍ବରୁ ମାଟି ରେଳଟ୍ରାକ ଉପରେ ଖସିଥିଲା। ତା ପର ଠାରୁ ଜଗଦଲପୁର ଠାରୁ ୩ଟି ଟ୍ରେନ ଚଳାଚଳ କରୁଛି। ବଳକା ୨ଟି ଅନ୍ତଃରାଜ୍ୟ ଏକ୍ସପ୍ରେସ  ସମଲେଶ୍ବରୀ ଓ କିରଣ୍ଡଲ-ବିଶାଖାପାଟଣା ନାଇଟ୍‌ ଏକ୍ସପ୍ରେସକୁ ବି ମାସ ହେବ ବନ୍ଦ କରାଯାଇଛି। ଏଭଳି ହିଁ ଗତ କୋଭିଡ ସମୟରେ ରାୟଗଡାରୁ ଦୁର୍ଗ ଯାଉଥିବା ଟ୍ରେନକୁ ବି ବନ୍ଦ କରାଯାଇଥିଲା। କୋଭିଡ ପରେ ଆଉ ଆରମ୍ଭ  କରିନଥିବା ପୂର୍ବତଟ ରେଳବାଇ। ସେଭଳି ଏହି ଦୁଇ ଟ୍ରେନକୁ ବନ୍ଦ କରିବା ଯୋଜନା କରିଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Advertisment

ସୂଚନା ଅନୁଯାୟୀ, ଜଗଦଲପୁରକୁ ସଂଯୋଗ କରି ଚାଳୁଥିବା ସ‌ମଲେଶ୍ବରୀ ଏକ୍ସପ୍ରେସ ଛତିଶଗଡରୁ ବାହାରି ଓଡିଶାର ଜୟପୁର-କୋରାପୁଟ-ରାୟଗଡା-ସମ୍ବଲପୁର- ଆଦି ଦେଇ ପଶ୍ଚିମବଙ୍ଗର ହାୱାଡାକୁ ଯାଉଥିଲା। ଏହି ଟ୍ରେନରେ ଶହ ଶହ ବ୍ୟବସାୟୀ ଏ‌ବଂ ଲୋକେ ଯିବା ଆସିବା କରୁଥିଲେ। ଏପରିକି ସାଧାରଣ ଲେକଙ୍କ ଜୀବନବଂଚିବାର ରାହା ବି ପାଲଟିଥିଲା ଏହି ଟ୍ରେନ। ସ୍ବଳ୍ପ ଟଙ୍କା ଓ ଅଳ୍ପ ସମୟ ମଧ୍ୟରେ ଲୋକେ କଲିକତା ପରି ମହାନଗରକୁ ଯିବା ଆସିବା କରି ପାରୁଥିଲେ। ଚିକିତ୍ସା ପାଇଁ ରୋଗୀଙ୍କ ଠାରୁ ଆରମ୍ଭ କରି ପାଠପଢ଼ା ପାଇଁ ଯାଉଥିବା ଛାତ୍ରଛାତ୍ରୀ, ପର୍ଯ୍ୟଟକ, ଏବଂ କଲିକତା ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ଜିଲ୍ଲାର ଲୋକେ ଏହି ଟ୍ରେନରେ ଯିବା ଆସିବା କରୁଥିଲେ। ଅଚାନକ ଭାବେ ଏହା ବନ୍ଦ ହେବା ଫରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେଭଳି କିରଣ୍ଡଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସକୁ ବନ୍ଦ କରିଛି ରେଳବାଇ କର୍ତ୍ତୃପକ୍ଷ। ଏହି ଦୁଇଟି ଯାକ ଟ୍ରେନ ସାଧାରଣ ଲୋକଙ୍କ ଯାତ୍ରା ପାଇଁ ପ୍ରମୁଖ ମାଧ୍ୟମ ସାଜିଥିଲା। ଅପରପକ୍ଷରେ ଏହି ଦୁଇ ‌‌ଟ୍ରେନକୁ ବନ୍ଦ କରି ପୂର୍ବତଟ ରେଳବାଇ ଗୁଡସ୍ ଟ୍ରେନ ଚଳାଚଳକୁ ବୃଦ୍ଧି କରିଥିବା ସୂଚନା ମିଳିଛି। ଯଦିଓ ଉଭୟ ରୁଟରେ ଥିବା ଟନେଲ କିମ୍ବା ପାହାଡ ନିକଟରେ ବର୍ଷା ମାସରେ ପଥର ଖସିବା, ମାଟି ଅତଡ଼ା ପଡ଼ିବା ଜାରୀ ରହିଛି। ତେବେ ରେଳବାଇ କର୍ତ୍ତୃପକ୍ଷ କାହିଁକି ବ୍ଲକ ସ୍ପଟ ଚିହ୍ନଟ କରି ସେଠାରେ ଏସବୁ ହଟାଇବା ଯନ୍ତ୍ରପାତି  ଓ କଂଚାମାଲ ଆଦି ଜମା କରି ରଖୁନି ବୋଲି ପ୍ରଶ୍ନ ଉଠିଛି। ବିଜୟନଗରମ୍ ନିକଟରେ ରେଳଦୁର୍ଘଟଣା ପରେ ମାତ୍ର ୧୯ଘଣ୍ଟାରେ ଲାଇନ୍ କ୍ଲିୟର କରି ଟ୍ରେନ ଚଳାଚଳ କରିଥିବା ପୂର୍ବତଟ ରେଳବାଇ। ଅପରପକ୍ଷରେ ମାନବାର-ଜରଟି ନିକଟରୁ ମାଟି ଅତଡା ବାହାର କରିବା ପାଇଁ ୧୫ଦିନ ସମୟ ଲାଗିଯାଇଥିଲା। ପାତର ଅନ୍ତର କରି ଓଡିଶାରେ ରେଳଚଳାଇବାକୁ ରେଳବାଇ ଚାହୁଁନି କି ବୋଲି ଆଇନଜୀବୀ ଅଜିତ ପାତ୍ର, ଅରୁଣ ପଣ୍ଡା ପ୍ରମୁଖ ପ୍ରଶ୍ନ କରିଛନ୍ତି। ଟିଟିଲାଗଡ ପର୍ଯ୍ୟନ୍ତ ସମଲେଶ୍ବରୀ ଆସି ଫେରିଯିବାର ଉଦ୍ଦେଶ୍ୟ କଣ ବୋଲି ଆଇନଜୀବୀ ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହି ଦୁଇଟି ଯାକ  ଟ୍ରେନ ଚଳାଚଳ ସ୍ବାଭାବିକ ନ କଲେ ଆଇନଜୀବୀଙ୍କୁ ନେଇ   ଅନଶନ କରାଯିବ ବୋଲି ଶ୍ରୀ ପାତ୍ର ଚେତାବନୀ ଦେଇଛନ୍ତି।