ସୁନ୍ଦରଗଡ଼: ୨୦୨୨ ଜୁଲାଇ ୨୯ରେ ଏନଏମସିର ଅନୁମତି ମିଳିବା ପରେ ସୁନ୍ଦରଗଡ଼ ସରକାରୀ ଭେଷଜ ମହାବିଦ୍ୟାଳୟ (ମେଡିକାଲ କଲେଜ) ଓ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷାବର୍ଷରୁ ଶହେ ଆସନ ବିଶିଷ୍ଟ ଏମବିବିଏସ ପାଠ୍ୟକ୍ରମରେ ଶିକ୍ଷାଦାନ ଚାଲିଛି। ଏବେ ମହାବିଦ୍ୟାଳୟରେ ୨ ଶହ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ୁଛନ୍ତି। ସ୍ବାସ୍ଥ୍ୟସେବାରେ ସବା ପଛୁଆ ସୁନ୍ଦରଗଡ଼ ଜିଲ୍ଲାର ଡାକ୍ତର ଓ ଚିକିତ୍ସା କ୍ଷେତ୍ରରେ ଏହି ମହାବିଦ୍ୟାଳୟ ବେଶ ସହାୟକ ହେବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି। କିନ୍ତୁ ୨ ବର୍ଷ ପରେ ବି ୫ ଶହ ଶଯ୍ୟାର ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇନାହିଁ। ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ତୁଳନାରେ ଶଯ୍ୟାର ଅଭାବ ରହିଛି। ଅଧିକାଂଶ ସମୟରେ ରୋଗୀ ଖୋଲା ବାରଣ୍ଡାରେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ୩୩୦ ଶଯ୍ୟା ରହିଛି। ହେଲେ ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଝାରଖଣ୍ଡ ଓ ପଡ଼ୋଶୀ ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳର ଲୋକେ ଏ ଡାକ୍ତରଖାନା ଉପରେ ନିର୍ଭର କରୁଥିବାରୁ ସବୁବେଳେ ରୋଗୀ ସଂଖ୍ୟା ୪ ଶହରୁ ଅଧିକ ରହିଥାଏ। ବେଳେବେଳେ ସଂଖ୍ୟା ୫ ଶହ ଟପିଯାଏ। ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡା ଚଟାଣରେ ପଡ଼ି ରହିଥାନ୍ତି। ଏପରିକି ସମ୍ବେଦନଶୀଳ ମା’ ଓ ଶିଶୁ ଯତ୍ନ କେନ୍ଦ୍ର (ଏମସିଏଚ)ରେ ମଧ୍ୟ ପ୍ରସୂତି, ନବଜାତ ତଳେ ଶୋଉଥିବା ଦେଖାଯାଇଛି। ଏସ୍ଥିତିରେ ୫ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ, ହସ୍ପିଟାଲ ତୁରନ୍ତ କାର୍ଯ୍ୟକ୍ଷମ କରି ରୋଗୀ ସେବା ଆରମ୍ଭ କରିବାକୁ ଦାବି ହେଉଛି। କ
ଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଆବଶ୍ୟକ ଉନ୍ନତ ଭିତ୍ତିଭୂମି ଥିବାବେଳେ କାହିଁକି ତାକୁ କାର୍ଯ୍ୟକ୍ଷମ ନକରି ପକାଇ ରଖାଯାଇଛି ବୋଲି ପ୍ରଶ୍ନ ଉଠିଛି। ସୁନ୍ଦରଗଡ଼ ଦର୍ଲିପାଲି ଠାରେ ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନଟିପିସିର ପାରିପାର୍ଶ୍ବିକ ବିକାଶ ଓ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ୪୧୭.୭୭ କୋଟି ବ୍ୟୟରେ ସୁନ୍ଦରଗଡ଼ ଶଙ୍କରା ଠାରେ ୨୧ ଏକର ଜମିରେ ପ୍ରତିଷ୍ଠିତ ହୋଇଥିଲା ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ। ଏଠାରେ ୫ ଶହ ଶଯ୍ୟା ଓ ୧୦୦ ଆସନ ବିଶିଷ୍ଟ ଡାକ୍ତରୀ ପାଠ୍ୟକ୍ରମ ବ୍ୟବସ୍ଥା, ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୩୮୦ ଶଯ୍ୟା ବିଶିଷ୍ଟ ନିବାସ ଓ ୩୮ ନର୍ସ ନିବାସ, ୯୦ ଆବାସିକ ଡାକ୍ତରଙ୍କ ପାଇଁ ଆବାସ, ସର୍ଭିସ ବ୍ଲକ୍, ଏକାଡେମି ବ୍ୟବସ୍ଥା, ବିଶାଳ ପ୍ରେକ୍ଷାଳୟ, ପାଠାଗାର ଆଦି ରହିଛି।
୨୦୨୨ ଏପ୍ରିଲ ୨୬ ତାରିଖରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ନିର୍ମିତ ଆଧୁନିକ ଭିତ୍ତିଭୂମିକୁ ଏନଟିପିସି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପରେ ଡିନ୍ ଓ ଅତିରିକ୍ତ ଅଧିକ୍ଷକଙ୍କ ସମେତ ପ୍ରାଧ୍ୟାପକ, ଅଧ୍ୟାପକ ନିଯୁକ୍ତି ହୋଇଥିଲେ। କିନ୍ତୁ ଏହା ପରେ ଏହି ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି, ଅଧ୍ୟାପକ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ନଥିବା ଦର୍ଶାଇ ଜାତୀୟ ମେଡିକାଲ କମିସନ୍ (ଏନଏମସି) ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଅନୁମତି ପତ୍ର ବା ଏଲଓଆଇ ଦେବାକୁ ମନା କରି ଦେଇଥିଲେ। ତେବେ ଏନଏମସି ଲୋଡ଼ିଥିବା ବ୍ୟବସ୍ଥା ସହ ପ୍ରାଥମିକ ଭାବେ ଏନଟିପିସି ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲକୁ ନେଇ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଦର୍ଶାଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ଆବେଦନ କରିଥିଲା। ଏହା ପରେ ୨୦୨୨ ଜୁଲାଇ ୨୯ରେ ଅନୁମତି ମିଳିଥିଲା। ଡାକ୍ତରୀ ପାଠପଢ଼ା ଚାଲିଛି, କିନ୍ତୁ ଡାକ୍ତରଖାନାରେ ଏବେ ବି ତାଲା ଝୁଲୁଛି। ଜିଲ୍ଲାର ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଖାନା କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।