ସୁନ୍ଦରଗଡ଼: ଡିବିରି ଆଲୁଅରେ ପାହୁଛି ରାତି, ୬୦୦ ଗାଁ କେବେ ଦେଖିବ ବିଜୁଳି!

ସୁନ୍ଦରଗଡ଼ : ସନ୍ଧ୍ୟା ନଇଁଲେ କୁସୁମଡିହି ଗାଁ ବୁଜି ହୋଇଯାଏ। ଚାରିଆଡ଼େ ମୁହଁ ନ ଦିଶିଲା ଭଳି କିଟି କିଟି ଅନ୍ଧାର। ତାରି ମଧ୍ୟରେ ଡିବିରିର ମିଞ୍ଜି ମିଞ୍ଜି ଆଲୁଅ। ଏଥିରେ ରାତିକଟେ। ଦିନେ ନୁହେଁ କି ବର୍ଷେ ନୁହେଁ, ୭୫ ବର୍ଷ ହେଲା ବିଜୁଳି ଦେଖିନି ଗାଁ। ସରକାରଙ୍କ ଡିଜିଟାଲ ଇଣ୍ଡିଆ, ଉଜ୍ଜ୍ବଳ ଭାରତଯାତ୍ରା ମଧ୍ୟରେ ଏମିତି ଅନ୍ଧାରରାତି କଟାଉଥିବା କୁସୁମଡିହି ରହିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ଗୁରୁଣ୍ଡିଆ ବ୍ଲକ୍‌ରେ। ବିସ୍ମୟକର କଥା ହେଲା, କେବଳ ଏକା କୁସୁମଡିହି ନୁହେଁ, ଡିବିରି ଆଲୁଅର ଦୁର୍ଭାଗ୍ୟ ଭୋଗି ଚାଲିଛନ୍ତି ଜିଲ୍ଲାର ୬ ଶହ ପଡ଼ା, ଗାଁ। ରାଜ୍ୟରେ ବିଦ୍ୟୁତ୍‌ ବିତରଣ ଦାୟିତ୍ବ ନେଇଥିବା ଟାଟା ପାୱାର ଓ ରାଜ୍ୟ ଶକ୍ତି ବିଭାଗର ମନମାନି ଯୋଗୁ ଏସବୁ ଗାଁ ଅନ୍ଧାର ଭିତରୁ ମୁକୁଳି ପାରିନାହିଁ।

bluebirdsolar.in

ସୂଚନା ଅନୁସାରେ, ବିଦ୍ୟୁତ୍‌ ସୁବିଧାରୁ ବଞ୍ଚିତ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୬୦୧ ପାହାଡ଼ି ଓ ଅପହଞ୍ଚ ଗାଁ ବା ପଡ଼ାକୁ ବିଦ୍ୟୁତ୍‌ସେବ‌ା ପହଞ୍ଚାଇବାକୁ ବିଭିନ୍ନ ସମୟରେ ଦାବି ହୋଇଥିଲା। ତାକୁ ଦୃଷ୍ଟିରେ ରଖି ଗାଁରେ ବିଦ୍ୟୁତ୍‌ସେବା ଦେବାକୁ ଯୋଜନା କରିଥିଲା ଜିଲ୍ଲା ପ୍ରଶାସନ। ଏଥିପାଇଁ ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏକ ପ୍ରକଳ୍ପ ସବିଶେଷ ବିବରଣୀ(ଡିପିଆର୍‌) ପ୍ରସ୍ତୁତକରି ୨୦୨୨ ମେ’ ୯ରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗକୁ ଅନୁମୋଦନ ପାଇଁ ପଠାଇଥିଲା। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୦୬ କୋଟି ଟଙ୍କା ଅନୁଦାନ ଯୋଗାଇ ଦେବାକୁ ସ୍ଥିର ହୋଇଥିଲା। ଏଥିରେ ଗୁରୁଣ୍ଡିଆ ବ୍ଲକ୍‌ର ୮ଟି ଗାଁ, ଟାଙ୍ଗରପାଲି ବ୍ଲକ୍‌ର ୩୩ ଗାଁ, ଲେଫ୍ରିପଡ଼ା ବ୍ଲକ୍‌ ଛତିଶଗଡ଼ ସୀମାସ୍ଥ ୪୮ ଗାଁ, ହେମଗିର ବ୍ଲକ୍‌ର ୩୯ ଗାଁ, ସବଡେଗା ବ୍ଲକର ୩୬ ଗାଁ, ସୁନ୍ଦରଗଡ଼ ସଦର ବ୍ଲକ୍‌ର ୪୧ ଗାଁ, ବାଲିଶଙ୍କରା ବ୍ଲକ୍‌ର ୩୯ ଗାଁ, ବଡ଼ଗାଁ ବ୍ଲକ୍‌ର ୨୫ ଗାଁ, କୁତ୍ରା ବ୍ଲକ୍‌ର ୩୦ ଗାଁ, ଲହୁଣିପଡ଼ା ବ୍ଲକ୍‌ର ୫୮ ଗାଁ, ଲାଠିକଟା ବ୍ଲକ୍‌ର ୬୦ ଗାଁ, ବଣାଇ ବ୍ଲକ୍‌ର ୪୩ ଗାଁ, ବିଶ୍ରା ବ୍ଲକ୍‌ର ୧୪ ଗାଁ, କୁଆରମୁଣ୍ଡା ବ୍ଲକ୍‌ର ୩୯ ଗାଁ, ନୂ୍ଆଗାଁ ବ୍ଲକ୍‌ର ୪୦ ଗାଁ, କୋଇଡ଼ା ବ୍ଲକ୍‌ର ୨୦ ଗାଁ, ରାଜଗାଙ୍ଗପୁର ବ୍ଲକ୍‌ର ୨୮ ଗାଁ ସହ ସୁନ୍ଦରଗଡ଼, ବୀରମିତ୍ରପୁର ଓ ରାଉରକେଲା ପୌରାଞ୍ଚଳର ସହରତଳି ଅଞ୍ଚଳର ଅନେକବସ୍ତିକୁ ସାମିଲ କରାଯାଇଥିଲା।

Indiatimes.com

କିନ୍ତୁ ବିଦ୍ୟୁତ୍‌ ବିତରଣ ଦାୟିତ୍ବ ନେଇଥିବା ଟାଟା ପାୱାର ରାଜ୍ୟ ସରକାର ସହ କରିଥିବା ଚୁକ୍ତି ଅନୁସାରେ, କମ୍ପାନି ବିଦ୍ୟୁତ୍‌ ଭିତ୍ତିଭୂମିର ସମସ୍ତ ବିକାଶ ସହ ଏସବୁ ଗାଁକୁ ମଧ୍ୟ ବିଦ୍ୟୁତ୍‌ ସେବା ଯୋଗାଇବ ଦର୍ଶାଇ ଶକ୍ତି ସଚିବ ମେ’ ୧୩ରେ ଜିଲ୍ଲା ପ୍ରଶାସନ ପଠାଇଥିବା ଡିପିଆର୍‌କୁ ଅନୁମୋଦନ ନକରି ଫେରାଇ ଦେଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଏ ସମ୍ପର୍କିତ ଟେଣ୍ଡରକୁ ବନ୍ଦ କରି ଦେଇଥିଲେ। ଏବେ ଟାଟା ପାୱାର ଏସବୁ ଗାଁରେ ବିଦ୍ୟୁତୀକରଣ କରିବାକୁ ମନା କରିଦେଇଛି। ଯେଉଁଥିପାଇଁ ଜିଲ୍ଲାର ପ୍ରସ୍ତାବିତ ୬୦୧ ପଡ଼ାଗାଁକୁ ବିଦ୍ୟୁତ୍‌ସେବା ମିଳିବାର ଆଶା ମଉଳିଯାଇଛି। ଏହାକୁ ନେଇ ପ୍ରଭାବିତ ଗାଁ ଲୋକେ ସ୍ବର ଉଠାଇଥିଲେ। ଟାଟା ପାୱାର ହେଉ କି ସରକାର ତାଙ୍କ ଗାଁକୁ ବିଜୁଳି ଯୋଗାଇ ଦିଅନ୍ତୁ ବୋଲି ଦାବି କରିଥିଲେ। କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରି ନଥିବା ବେଳେ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର