ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରବାସୀଙ୍କ ଅବସର ସମୟ କାଟିବା ଓ ଚିତ୍ତ ବିନୋଦନ ପାଇଁ ୨୦୦୫ରେ ନିର୍ମିତ ଶଙ୍କର ମେମୋରିଆଲ୍ ବା ପାରିଜାତ କାନନ ଏବଂ ମହେଶଡିହିର ଆଦିବାସୀ ସଂଗ୍ରହାଳୟ ଥିମ୍ ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ପୂରା ଉଜୁଡ଼ି ଯାଇଛି। ତେବେ ଏହାର ପୁନରୁଦ୍ଧାର ବା ନବୀକରଣ ପାଇଁ ଯୋଜନା ଓ ପାଣ୍ଠିର ଯେ ଅଭାବ ରହିଛି, ତାହା ନୁହେଁ। କିନ୍ତୁ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଏବଂ ପ୍ରାଶାସନିକ ଉଦାସୀନତା କାରଣରୁ ପୁନରୁଦ୍ଧାର ଏବେ ଫାଇଲ୍ ଭିତରେ।
କେବଳ ବହୁ କୋଟି ବ୍ୟୟରେ ନିର୍ମାଣାଧୀନ ବିଜୁଳି ବନ୍ଧ ସୌନ୍ଦର୍ଯ୍ୟକରଣରେ ଅଟକି ରହିଥିବା ପ୍ରଶାସନ ଏ ଦୁଇ ପାର୍କ ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି। ଏସ୍ଥିତିରେ ଦୁଇ ପାର୍କର ଦୁରାବସ୍ଥା ସୁନ୍ଦରଗଡ଼କୁ ଏକ ପ୍ରକାର ଶ୍ରୀହୀନ କରି ଦେଇଛି କହିଲେ ଭୁଲ ହେବ ନାହିଁ। ପୂର୍ବରୁ ଶଙ୍କରା ଠାରେ ଥିବା ୧୫ ଏକର ଜମିରେ ଥିବା ଜୁବଲି ପାର୍କକୁ ୨୦୦୫ରେ ତତ୍କାଳୀନ ଜିଲ୍ଲାପାଳ ସୁରେଶ କୁମାର ବଶିଷ୍ଠ ପାରିଜାତ କାନନ ନାମରେ ନବୀକରଣ କରାଇଥିଲେ। ଏଥିରେ ବୋଟିଂ, ଶିଶୁମାନଙ୍କ ମନୋରଞ୍ଜନ ସହ ସନ୍ତରଣ ବ୍ୟବସ୍ଥା ରହିଥିଲା। ଏହା ଛଡ଼ା ଜଳ ଫୁଆରା (ୱାଟର ଫାଉଣ୍ଟେନ), ରଙ୍ଗୀନ ଆଲୋକମାଳା, ଔଷଧୀୟ ବଗିଚା ଓ ୪ କିଲୋମିଟରର ପାଦଚଲା ପଥ ଲୋକଙ୍କୁ ଆକର୍ଷିତ କରିଥିଲା।
ସେହିପରି ଥିମ୍ ପାର୍କରେ ସୁନ୍ଦରଗଡ଼ର ଆଦିବାସୀଙ୍କ ସଂସ୍କୃତି ସଂଗ୍ରହାଳୟ ଭାବେ ବେଶ ନାଁ କରିଥିଲା। ଆଦିବାସୀଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ବିଭିନ୍ନ ନିଆରା ସାମଗ୍ରୀକୁ ସଂଗ୍ରହ କରି ଏଠାରେ ସୁନ୍ଦର କାଚ ଘରେ ରଖାଯାଇଥିଲା। ଏହା ଛଡ଼ା ଶିଶୁମାନଙ୍କ ପାଇଁ ବିଜ୍ଞାନଭିତ୍ତିକ କ୍ରୀଡ଼ା ବ୍ୟବସ୍ଥା କରାଯାଇଥିଲା। ହେଲେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ବଶିଷ୍ଠ ବଦଳି ହୋଇଯିବା ପରେ ଏ ଦୁଇ ପାର୍କର ରକ୍ଷଣାବେକ୍ଷଣା ପ୍ରତି ଆଖି ବୁଜି ଦେଲା ଜିଲ୍ଲା ପ୍ରଶାସନ। ଫଳରେ ଦୁଇ ପାର୍କ ଉଜୁଡ଼ି ଯାଇଥିଲା।
ପାର୍କର ଜଳ ଫୁଆରା, ଲାଇଟ୍, ଆଦିବାସୀ ସଂଗ୍ରହାଳୟ ସବୁ ଭାଙ୍ଗିରୁଜି ଏଥିରେ ଥିବା ସାମଗ୍ରୀ ଚୋରି ହୋଇଯାଇଥିଲା। ପରେ ପରେ ଏ ଦୁଇ ପାର୍କ ଜୁଆ, ମଦ ଓ ଡ୍ରଗ୍ସର ଆଡ୍ଡା ପାଲିଟିଗଲା। ଲୋକେ ପାର୍କର ପୁନରୁଦ୍ଧାର ପାଇଁ ଦାବି କରିଚାଲିଲେ। ଶେଷକୁ ୨୦୧୮ରେ ତତ୍କାନୀଳ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ପାରିଜାତ କାନନ ଓ ଥିମ୍ ପାର୍କର ପୁନରୁଦ୍ଧାର ଓ ନୀବକରଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୭ କୋଟି ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ କାମ ଆରମ୍ଭ ହୋଇପାରି ନଥିଲା। ତାଙ୍କ ବଦଳି ପରେ ଆସିଥିବା ଜିଲ୍ଲାପାଳ ରଶ୍ମିତା ପଣ୍ଡା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରୁ ପାର୍କର ପୁନରୁଦ୍ଧାର କାମକୁ ବାତିଲ କରି ଦେଇଥିଲେ।
ତା’ ପରଠୁ ଏ ଦୁଇ ପାର୍କ ସେମିତି ଉଜୁଡ଼ା ହୋଇ ପଡ଼ି ରହିଛି। ପ୍ରକାଶଯୋଗ୍ୟ, ପାରିଜାତ ପାର୍କରେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ଶଙ୍କର୍ଷଣ ନାଏକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ଏପରିକି ତାଙ୍କ ସ୍ମୃତିରେ ପାର୍କକୁ ଉତ୍ସର୍ଗ କରି ଶଙ୍କର ମେମୋରିଆଲ ପାର୍କର ନାମକରଣ କରାଯାଇଛି। ପ୍ରତି ବର୍ଷ ଶଙ୍କର୍ଷଣଙ୍କ ଜନ୍ମ ଓ ଶ୍ରାଦ୍ଧବାର୍ଷିକୀରେ ସ୍ଥାନୀୟ ଲୋକପ୍ରତିନିଧି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପାର୍କକୁ ଯାଆନ୍ତି। ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଫେରନ୍ତି। କିନ୍ତୁ ପ୍ରତିମୂର୍ତ୍ତି ପଛ ପଟେ ବର୍ଷ ବର୍ଷ ଧରି ଶ୍ରୀହୀନ ହୋଇପଡ଼ିଥିବା ପାର୍କ ପ୍ରତି କାହାର ନଜର ପଡ଼େ କି ନାହିଁ କେଜାଣି, ଏଯାଏ ଏହାର ପୁନରୁଦ୍ଧାର ପାଇଁ କେହି ଦୃଢ଼ ସ୍ବର ଉଠାଇ ନଥିବା ଅଭିଯୋଗ ରହିଛି। ଜିଲ୍ଲା ପ୍ରଶାସନ ଏ ଦୁଇ ପାର୍କର ପୁନରୁଦ୍ଧାର ଓ ନବୀକରଣ କରି ସହରର ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ସାଧାରଣରେ ଦାବି ହେଉଛି।