ଭଦ୍ରକ: ରାଜ୍ୟରେ ପ୍ରମୁଖ ସହରାଞ୍ଚଳରେ ସିଟି ବସ୍ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ଭିତରେ ବଡ ବଡ ସହରରେ ସିଟି ବସ୍ ଚଳଚଳ କରୁଥିବା ବେଳେ ଏହାର ସୁଯୋଗ ସାଧାରଣ ଯାତ୍ରୀ ନେଉଛନ୍ତି। ମାତ୍ର ଭଦ୍ରକ ସହରରେ ଏବେ ମଧ୍ୟ ସିଟି ବସ୍ ଚଳାଚଳ ହୋଇ ପାରିନାହିଁ। ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସହର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଦୁଇ ସହରରେ ସିଟି ବସ୍ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ଏହା ଭିତରେ ୮ ବର୍ଷ ବିତି ଯାଇଛି। ଭଦ୍ରକ ସହରରେ ସିଟି ବସ୍ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ।
ଭଦ୍ରକରେ ସିଟି ବସ୍ ଚଳାଚଳ ନ କରାଇଦେବା ଲାଗି ଘରୋଇ ବସ୍ ମାଲିକମାନଙ୍କ ସହ ସଲାସୁତରାରେ ବର୍ଷ ବର୍ଷ ଧରି ଚକ୍ରାନ୍ତ କରାଯାଇଛି। ଭଦ୍ରକରେ ସିଟି ବସ୍ ଚଳାଚଳ ନେଇ ଅତୀତରେ ବାଲେଶ୍ବରରେ ଏକାଧିକ ବୈଠକ ବସିଥିଲା। ମାତ୍ର ଏବେ ଆଉ ପୌର ପ୍ରଶାସନ ଏ ଦିଗରେ କିଛି ସ୍ବର ଉଠାଉନାହିଁ। ସିଟି ବସ୍ ଚଳାଚଳ ନେଇ ତତ୍କାଳୀନ ପୌରାଧ୍ୟକ୍ଷ ମାନସ କୁମାର ମହାନ୍ତି ସମସ୍ତ ପ୍ରକାର ସହଯୋଗ ପୌରପାଳିକା ପକ୍ଷରୁ ଯୋଗାଇ ଦେବେ ବୋଲି କହିଥିଲେ। ଏ ସଂପର୍କରେ ବର୍ତ୍ତମାନର ପୌରାଧ୍ୟକ୍ଷା ଗୁଲ ମୁକ୍କୀ ହବିବ୍ଙ୍କ ସୂଚନା ମୁତାବକ, ଭଦ୍ରକ ସହରରେ ସିଟି ବସ୍ ଚଳାଚଳ ନେଇ ପ୍ରଶାସନ ସହ ଦୁଇଥର ଆଲୋଚନା ହୋଇଛି। ପ୍ରଶାସନକୁ ମଧ୍ୟ ଏ ନେଇ ପ୍ରସ୍ତାବ ଦିଆଯାଇଛି। ଖୁବ୍ ଶୀଘ୍ର ପ୍ରସ୍ତାବ କାର୍ଯ୍ୟକାରୀ ହେବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି।
ଭଦ୍ରକ ସହରର କଳେବର ଏବେ ୧୫ କିଲୋମିଟର ଯାଏ ବଢ଼ିଗଲାଣି। ବାରିକପୁର ଛକରୁ ନଳାଙ୍ଗ ଛକ ଦେଇ ଗେଲପୁର, ଆରଡି ଛକ, ଅଣ୍ଣର୍ପାଳ, ସାତଭଉଣୀ, କୋରକୋରା, ରାନ୍ଦିଆ, ବରପଦା, ଓଲଙ୍ଗ, ଜଳଙ୍ଗା, କାଉପୁର, ଗେଲଟୁଆ, ଇଚ୍ଛାପୁର, ବାରିକ ଛକ, ସାବରଙ୍ଗ, ଅଣ୍ଡରାଇ, ଏରଡା, ଗୁଜିଦରଡା, ଭଦ୍ରକାଳୀ, ପୁରୁଣାବଜାର, ଆହାରପଦା, ସଂଗତ, ଚରମ୍ପା, ରାଣୀତାଲ, ରମ୍ଭିଳା, ପରସିଙ୍ଗା, କଲେଇ, କଣ୍ଟାପଡା, ବନ୍ଧଗାଁ, ବିଦାଙ୍ଗ, କୁଆପଦା, କୁଶଗଡିଆ, ମୋଟେଲ ଛକ, ଚନ୍ଦନବଜାର ଆଦି ଅଞ୍ଚଳକୁ ଲୋକମାନେ ଯାତାୟାତ କରିବା ପାଇଁ ନାହଁ ନଥିବା ଅସୁବିଧା ଭୋଗୁଛନ୍ତି। ମେଡିକାଲଠାରୁ ଆରମ୍ଭ କରି ନଳାଙ୍ଗ କୋର୍ଟ, କଚେରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ହାଟ ବଜାର କରିବାକୁ ଲୋକମାନେ ରାତି ପାହିଲେ ଭଦ୍ରକ ସହରକୁ ଆସୁଛନ୍ତି। ସେହିପରି ଭଦ୍ରକ କଲେଜ, ମହିଳା ମହାବିଦ୍ୟାଳୟ, ରାନ୍ଦିଆ କଲେଜ, ଚରମ୍ପା କଲେଜ, ସାଳନ୍ଦୀ କଲେଜକୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯିବା ପାଇଁ ମଟର ସାଇକେଲ ଓ ଅଟୋରିକ୍ସାରେ ଯିବାକୁ ପଡୁଛି। ଭଦ୍ରକରେ ଯୁଆଡେ ଗଲେ ଅଟୋ ଭଡ଼ା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି। ଟାଉନ ବସ୍ ହେଲେ ୧୦ରୁ ୨୦ ଟଙ୍କା ଭିତରେ ଲୋକମାନଙ୍କୁ ଯାତାୟାତ କରିବାର ସୁଯୋଗ ମିଳିପାରନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/34-18.jpg)