ଭୁବନେଶ୍ୱର : ରାଜ୍ୟରେ ପଛୁଆ ବର୍ଗର ଲୋକ ସଂଖ୍ୟା କେତେ? ଏହି ଚିତ୍ର ସ୍ପଷ୍ଟ ନ ଥିବାରୁ ସେମାନେ ସଂରକ୍ଷଣରୁ ବଞ୍ଚିତ ହେଉଛନ୍ତି। ପଛୁଆ ବର୍ଗଙ୍କୁ ନେଇ ରାଜନୈତିକ ଟଣାଓଟରା ପରେ ଶେଷରେ ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା ରହିବନି ବୋଲି ଏକପ୍ରକାର ନିଷ୍ପତ୍ତି ହୋଇଛି। ଏବେ ସମାନ ରାସ୍ତାରେ ପୌର ନିର୍ବାଚନ ଯାଇପାରେ। କିନ୍ତୁ ସରକାର କାହିଁକି ପଛୁଆ ବର୍ଗଙ୍କ ଗଣନା କରି ପ୍ରକୃତ ତଥ୍ୟ ବାହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି? କରୋନା ପାଇଁ ଏହି ଗଣନା ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ବେଳେ ପୁନର୍ବାର କାହିଁକି ଆରମ୍ଭ କରାଯାଉ ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

୨୦୨୧ ଜନଗଣନା ବେଳେ ଜାତି ଭିତ୍ତିକ ଗଣନା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଥିଲା। କିନ୍ତୁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଓଡ଼ିଶା ସରକାର ନିଜେ ପଛୁଆ ବର୍ଗ ଗଣନା କରିବାକୁ ଅଣ୍ଟା ଭିଡ଼ିଥିଲେ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପଛୁଆ ବର୍ଗ ଗଣନା ପାଇଁ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥି ପାଇଁ ଆଇନରେ ଆବଶ୍ୟକ ସଂଶୋଧନ ପରେ କମିସନ୍ ତାରିଖ ସ୍ଥିର କରିଥିଲେ। ମେ’ ୧ରୁ ଏହି ଗଣନା ଆରମ୍ଭ ହୋଇଥା’ନ୍ତା। ଯେହେତୁ ଓଡ଼ିଶାର ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗର ବୋଲି କୁହାଯାଉଛି, ତେଣୁ ଗଣନା ଦ୍ବାରା ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ସରକାର ଜାଣିପାରିଥା’ନ୍ତେ। ସେହି ଅନୁଯାୟୀ ସେମାନଙ୍କର ଅଧିକ ବିକାଶ ପାଇଁ କି ପଦକ୍ଷେପ ନିଆଯିବ, ତାହା ଉପରେ ବିଚାର ବିମର୍ଷ ହୋଇଥା’ନ୍ତା। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା।

publive-image YouTube

ପଛୁଆ ବର୍ଗ ଗଣନା ପାଇଁ ସବୁ ପ୍ରସ୍ତୁତି ଚାଲିଥିଲା। କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ଦିଆଯାଇଥିଲା ଓ କାଗଜପତ୍ର ପ୍ରସ୍ତୁତି ହୋଇଥିଲା। କିନ୍ତୁ ସେହି ସମୟରେ କରୋନାର ଦ୍ବିତୀୟ ଲହର ଆସିଲା। ଫଳରେ ଗଣନାକୁ ସାମୟିକ ଭାବେ ସ୍ଥଗିତ ରଖାଗଲା। ପରବର୍ତ୍ତୀ ସମୟରେ ପଛୁଆ ବର୍ଗ ଗଣନାକୁ ସରକାର ଏକ ପ୍ରକାର ଭୁଲିଗଲେଣି। କରୋନା ଦ୍ବିତୀୟ ଲହର ପରେ ବଡ଼ ବଡ଼ ରାଜନୈତିକ ଓ ସରକାରୀ ସମାବେଶ ହେଉଛି। କିନ୍ତୁ ପଛୁଆ ବର୍ଗ ଗଣନା ପାଇଁ ସରକାରଙ୍କୁ ସମୟ ମିଳୁନି। ରାଜ୍ୟରେ ପଛୁଆ ବର୍ଗ ଗଣନା ହେଲେ ହିଁ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅଧିକ ସଂରକ୍ଷଣ ରଖିବାକୁ ସରକାରଙ୍କ ପାଖରେ ବଳିଷ୍ଠ ଯୁକ୍ତି ରୁହନ୍ତା। କୋର୍ଟରେ ମଧ୍ୟ ଏହି ଯୁକ୍ତି ଦେଖାଇ ସରକାର ସଂରକ୍ଷଣରେ ୫୦% ସୀମାକୁ ହଟାଇବା ପାଇଁ ଉଦ୍ୟମ କରିପାରନ୍ତେ। କିନ୍ତୁ ସରକାର ଆଉ ଏ ଦିଗ ପ୍ରତି ଗୁରୁତ୍ବ ଦେଉ ନାହାନ୍ତି। ଫଳରେ ପଛୁଆ ବର୍ଗ ସେମାନଙ୍କ ହକ୍‌ରୁ ବଞ୍ଚିତ ହେଉଛନ୍ତି। ପଛୁଆ ବର୍ଗଙ୍କୁ ନେଇ କେବଳ ରାଜନୈତିକ ବୟାନବାଜି ହେଉଛି, କିନ୍ତୁ ସେମାନଙ୍କ ପାଇଁ ବାସ୍ତବ ଆନ୍ତରିକତା ଧରାପଡ଼ିଯାଉଛି। ଏବେ ପଛୁଆ ବର୍ଗ ସଂଖ୍ୟା ସ୍ପଷ୍ଟ ନ ଥିବାରୁ ସେମାନଙ୍କ ପାଇଁ ଆଦୌ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ନିଷ୍ପତ୍ତି ନିଆସରିଛି। ସେହି ଅନୁଯାୟୀ ପୁନର୍ବାର ସଂରକ୍ଷଣ ପ୍ରକ୍ରିୟା ସରକାର ଆରମ୍ଭ କରିବାକୁ ଯାଉଛନ୍ତି।

ସେହିପରି ଆଉ ଏକ ଘଟଣାରୁ ସରକାରୀ ବ୍ୟବସ୍ଥାରେ ପଛୁଆ ବର୍ଗଙ୍କ ପ୍ରତି ଆନ୍ତରିକତା ଧରାପଡ଼ିଯାଉଛି। ବିଧାନସଭାର ମୌସୁମୀ ଅଧିବେଶନରେ ପଛୁଆ ବର୍ଗ ଗଣନା ସମ୍ପର୍କିତ ଏକ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ରାଜ୍ୟ ଓବିସି କମିସନଙ୍କୁ କୁହାଯାଇଥିଲା ଯେ ଜାତିଭିତ୍ତିକ ସଂରକ୍ଷଣରେ ଧାର୍ଯ୍ୟ ସ‌ର୍ବୋଚ୍ଚ ସୀମା ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ତଥା ଓବିସିଙ୍କ ଠିକ୍ ସଂଖ୍ୟା ଜାଣିବା ନିମନ୍ତେ ସେମାନଙ୍କର ଜାତିଭିତ୍ତିକ ଗଣନା କରାଯିବା ନିମନ୍ତେ ଭାରତ ସରକାରଙ୍କୁ କମିସନ୍ ପତ୍ର ଲେଖିବେ। ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ‘ଓଡ଼ିଶାର ମୋଟ୍‌ ଜନସଂଖ୍ୟାରେ ଓବିସିଙ୍କ ଆନୁପାତିକ ସଂଖ୍ୟାକୁ ବିଚାର କଲେ ତାହା ସଂରକ୍ଷଣ ନୀତିରେ ସେମାନଙ୍କ ପ୍ରତିନିଧିତ୍ବର ଯଥାର୍ଥତା ପ୍ରଦାନ କରୁ ନାହିଁ। ଓବିସି ବର୍ଗର ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ସଂକଳ୍ପ ଓ ଆଇନ କୋର୍ଟ‌ରେ ରଦ୍ଦ ହୋଇଯାଇଛି। କାରଣ ଏହି ବର୍ଗର ଠିକ୍ ଜନସଂଖ୍ୟାର ପରିସଂଖ୍ୟାନ ନାହିଁ। ୨୦୨୧ ଜନଗଣନା ବେଳେ ଏହି ବର୍ଗର ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ଅବସ୍ଥା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ଓବିସି କମିସନ୍‌ ଭାରତ ସରକାରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ନିଜ ଆଭିମୁଖ୍ୟ ଉପସ୍ଥାପନ କରନ୍ତୁ। ରାଜ୍ୟର ଓବିସି ବର୍ଗର ଲୋକଙ୍କୁ ଠିକ୍ ନ୍ୟାୟ ପ୍ରଦାନ ନିମନ୍ତେ ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଏହି ସଂକଳ୍ପ ଅଣାଯାଇଛି।’ କିନ୍ତୁ ଏ ଯାଏ କମିସନ୍‌ଙ୍କ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯାଇନି।