କେବେ ହେବ ଶାବର ଶ୍ରୀକ୍ଷେତ୍ରର ବିକାଶ ? 

କୋରାପୁଟ: ପ୍ରକୃତି କୋଳରେ ହସୁଥିବା ସହରଟିଏ ହେଉଛି କୋରାପୁଟ। ଆଉ ସହର ଛାତି ଉପରେ ଠିଆ ହୋଇଛି ଜଗନ୍ନାଥ ମନ୍ଦିର। ଶାବର ଶ୍ରୀକ୍ଷେତ୍ର ଭାବେ ପରିଚିତ ଏହି ଜଗନ୍ନାଥ ମନ୍ଦିର ଅନ୍ୟ ମନ୍ଦିରଗୁଡିକଠାରୁ ଅନେକ ଭିନ୍ନ। ଏହି ମନ୍ଦିରର ସି˚ହଦ୍ବାର ସମସ୍ତଙ୍କ ପାଇଁ ଖୋଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମଣିଷ ମନ୍ଦିରକୁ ଭିତରକୁ ଯାଇପାରିବେ। କାଳିଆକୁ ମନ ଭରି ଦେଖିପାରିବେ ଆଉ ଜଗନ୍ନାଥଙ୍କ ସାନ୍ନିଧୢ ଲାଭ କରିପାରିବେ। ହେଲେ ଗୋଷ୍ଠୀ ବିବାଦ ଓ ପ୍ରଶାସନର ପ୍ରତ୍ୟକ୍ଷ  ତତ୍ତ୍ବବାଧାନ ରହୁ ନଥିବାରୁ ଦିନକୁ ଦିନ ଶ୍ରୀହୀନ ହେବାକୁ ବସିଲାଣି। ୫-ଟି ଉପକ୍ରମରେ ‘ସମନ୍ବିତ ଐତିହ୍ୟ ଓ କୀର୍ତ୍ତୀରାଜି ଏବଂ ପର୍ଯ୍ୟଟନସ୍ଥଳୀର ସମନ୍ବିତ ବିକାଶ’ କରିବାକୁ ଦାବି ହୋଇଛି। ରାଜ୍ୟର ପୁରୁଣା ମନ୍ଦିର ଓ ପର୍ଯ୍ରଟନସ୍ଥଳୀକୁ ଏହି କାର୍ଯ୍ୟକ୍ରମ ଅଧୀନରେ ବିକଶିତ ଓ ନୂଆ ରୂପ ଦିଆଯାଉଥିବାବେଳେ କୋରାପୁଟର ଏହି ଶାବରଶ୍ରୀକ୍ଷେତ୍ରକୁ କେବେ ଦୃଷ୍ଟିପଡିବ ତାହାକୁ ନେଇ ସହରବାସୀ ଦାବି କରିଛନ୍ତି।

କୋରାପୁଟ ସହରରେ ଜଗନ୍ନାଥ ମନ୍ଦିର ନିର୍ମାଣର ଭିତ୍ତି ପଡିଥିଲା ୧୯୬୯ମସିହାରେ। ସହରର କିଛି ବୁଦ୍ଧିଜୀବୀ ଏଠାରେ ଜଗନ୍ନାଥ ମନ୍ଦିର କରିବା ପାଇଁ ଚିନ୍ତା ପ୍ରକାଶ କରିଥିଲେ। ପରେ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିବର୍ଷ ପୁରୀରେ ଶ୍ରୀଜିଉଙ୍କ ନବକଳେବର ହୋଇଥିଲା। ଏହି ନବକଳେବର ପାଇଁ ସ˚ଗ୍ରହ କରାଯାଇଥିବା ଦାରୁର ବଳକା ଅ˚ଶରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରାଗଲା। ସହର ମଝି ଭାଗରେ ଥିବା ପାହାଡ ଉପରେ ଟିଣ ଛପର ଘରେ ଠାକୁରଙ୍କୁ ରଖି ପୁଜାର୍ଚ୍ଚନା କରାଗଲା।

ପରେ ମୁଖ୍ୟ ମନ୍ଦିର ନିର୍ମାଣ ପାଇଁ ଯୋଜନା କରାଗଲା। ତତ୍କାଳୀନ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ପଟ୍ଟନାୟକ ୧୯୭୩ମସିହା ଜୁଲାଇ ୧୧ତାରିଖରେ ଏଥିପାଇଁ ଭୂମିପୂଜା କଲେ। ସେହିବର୍ଷ ହିଁ ମନ୍ଦିରର ନିର୍ମାଣ କାମ ଆରମ୍ଭ ହେଲା। ସତ୍ୟବାଦୀ ମହାରଣାଙ୍କ ନେତୃତ୍ବରେ ମନ୍ଦିର ନିର୍ମାଣ ଚାଲିଲା। ୧୯୭୮ମସିହା ଜୁନ୍‌ ମାସରେ ମନ୍ଦିର ନିର୍ମାଣ ଶେଷ ହେଲା। ସେହିବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମୁଖ୍ୟ ମନ୍ଦିରକୁ ସ୍ଥାନାନ୍ତର କରାଗଲା। ଏଥିପାଇଁ ୩ ଦିନିଆ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ପୁରୀ ଗଜପତି ମହାରାଜା ଦିବ୍ୟସି˚ହ ଦେବଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ଆଦିବାସୀଙ୍କ ସମେତ ଦେଶ ବିଦେଶର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ୧୯୮୨ମସିହାରେ ଏହି ଜଗନ୍ନାଥ ମନ୍ଦିର ପରିସରରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରା ଯାଇଥିଲା। ଏହା ପରେ ପରେ ହନୁମାନ, ଗଣେଶ, ସୂର୍ଯ୍ୟ, ଲକ୍ଷ୍ମୀ ନୃସି˚ହ, ବିମଳା, ସରସ୍ବତୀ, ଲଳିତାଅମ୍ବିକା, ପର୍ଣ୍ଣ ଶବରୀ, ମହାଲକ୍ଷ୍ମୀ ଓ ନବଗ୍ରହଙ୍କ ମନ୍ଦିର ସ୍ଥାପନା କରାଯାଇଥିଲା।

ପୁରୀ ଶ୍ରୀମନ୍ଦିର ପରି ଏଠାରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଉଛି। ଠାକୁରଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଦୋଳ ମଣ୍ତପ, ସ୍ନାନ ମଣ୍ତପ, ଗରୁଡ ସ୍ତମ୍ଭ, ଗୁଣ୍ତିଚା ମନ୍ଦିର ଆଦି ନିର୍ମାଣ କରାଯାଇଛି। ଏଠାରେ ଥିବା ଆନନ୍ଦ ବଜାରରେ ଭକ୍ତଙ୍କ ଖାଇବା ପିଇବା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଯେତେବେଳେ ବି ଯେତେ ସ˚ଖ୍ୟକ ଭକ୍ତ ଆସିବେ ଏଠାରେ ଆନନ୍ଦରେ ଖାଇପାରିବେ। କିନ୍ତୁ ପରିଚାଳନା କମିଟିରେ ଫାଟ ଓ ଗୋଷ୍ଠୀ ବିବାଦ ଯୋଗୁଁ ପୂର୍ବବତ ଆଉ ପ୍ରସାଦ ମିଳୁନାହିଁ। ମନ୍ଦିର ଆୟବ୍ୟୟର ମଧ୍ୟ ହିସାବ ରହୁ ନ ଥିବାବେଳେ ଏହିଠାରେ ରହିଥିବା ଏକାଧିକ ଅତିଥି ଭବନରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ଏହିଠାରେ ରହିଥିବା ଏକାଧିକ ଅତିଥି ଭବନ କ୍ଷତିରେ ଚାଲୁଥିବାବେଳେ ଆଉ ଏକ ଭବନ ତିଆରି ହୋଇଛି।

ପୁରୁଣା ଅତିଥି ଭବନକୁ କିପରି ଭଲ ଚାଲିବ ସେନେଇ ପଦକ୍ଷେପ ନିଆଯାଉ ନ ଥିବାବେଳେ ପ୍ରଶାସନିକ ଉଦାସିନତା ଦାଣ୍ଡରେ ପଡି ହାଟରେ ଗଡୁଛି। ଏଠାକାର ଜଗନ୍ନାଥ ମନ୍ଦିରର ଏକ ପ୍ରମୁଖ ବିଶେଷତ୍ବ ହେଲା ମନ୍ଦିର  ବେଢାରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଉଛି। ଗୋଟିଏ ବେଢାରେ ଦେଶର ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜା କରାଯାଉଛି। ଅମରନାଥ, କେଦାରନାଥ, ବଦ୍ରିନାଥ, ଦ୍ବାରିକାନାଥ, ରାମେଶ୍ବର, କାମାକ୍ଷୀ, ହରିଦ୍ବାର, ବାଲାଜୀ, ଭୁତନାଥ, ବୈଷ୍ଣଦେବୀ ଆଦି ଦେବାଦେବୀଙ୍କୁ ଏଠାରେ ଦର୍ଶନ କରିହେବ। ସେହିପରି ଅନ୍ୟ ଏକ ବେଢାରେ ରାଜ୍ୟର ବିଭିନ୍ନ ପ୍ରମୁଖ ପୀଠର ଦେବାଦେବୀଙ୍କୁ ଏଠାରେ ପୂଜା କରାଯାଉଛି। ଲିଙ୍ଗରାଜ, ହିଙ୍ଗୁଳା, ବିରଜା, ଶାରଳା, ତାରାତାତରିଣୀ, ନାରୟଣୀ, ସମଲାଇ, ଆଖଣ୍ତଳମଣି, କଟକଚଣ୍ତି, ତାରିଣୀ, ସିଦ୍ଧ ମହାବୀର, ଗୁପ୍ତେଶ୍ବର ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ଅବିକଳ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ ପାଇଛନ୍ତି।

ଏହି ଜଗନ୍ନାଥ ମନ୍ଦିରର ଦ୍ବାର ସମସ୍ତଙ୍କ ପାଇଁ ଖୋଲା। ଅନ୍ୟ ହିନ୍ଦୁ ମନ୍ଦିର ପରି  ଏଠାରେ କିଛି ବାଛ ବିଚାର ନାହିଁ। ମନ୍ଦିରକୁ ଯିବା ପାଇଁ କାହାକୁ ବାରଣ ମଧୢ  ନାହିଁ। ଏପରିକି ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଛେରା ପହଁରା କରିଥାନ୍ତି ଜଣେ ଶବର। ପୁରୀରେ ଗଜପତି ମହାରାଜା କରୁଥିବା ଏହି ଛେରା ପହଁରାକୁ ଏଠାରେ ଗାଁ ମୁଖିଆ ଥିବା ଏହି ଶବର କରନ୍ତି। ଏହି ଘଟଣାରୁ ହିଁ ଏଠାରେ ଆଦିବାସୀଙ୍କ ପାଇଁ ଥିବା ଗୁରୁତ୍ବକୁ ଉପଲବ୍ଧି କରିହୁଏ। ସେହିପରି ଭକ୍ତମାନଙ୍କ ପାଇଁ ଏଠାରେ ରହିବାକୁ ଅନେକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର