ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ହେଉଛି ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥାଏ । ଅଞ୍ଚଳର ଗ୍ରାମବାସୀ ମ୍ୟାଲେରିଆ ଜ୍ଵର ତଥା ବ୍ରେନ୍ ମ୍ୟାଲେରିଆ ଆଦିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାର ନଜିର ରହିଛି ।
ମ୍ୟାଲେରିଆ ଜ୍ଵରର ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବୋଳା ମଶାରୀ ବଣ୍ଟନ କରାଯାଉଥିଲା ଏବଂ ଏହାର ଔଷଧୀୟ ଗୁଣ ସ୍ବରୂପ ଏହି ମଶାରୀରେ ମଶା ବସି ପାରୁ ନ ଥିଲେ।
ଯାହାଫଳରେ ଜନ ସାଧାରଣ ନିରାପଦରେ ମଶାରୀ ଭିତରେ ଶୋଇ ପାରୁଥିଲେ। ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ରାଇରଙ୍ଗପୁର ବ୍ଲକରେ ଅନେକ ବାଧାବିଘ୍ନରେ ଆରମ୍ଭ ହୋଇଥିଲା। ଅନେକ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ମଶାରୀ ଗୁଡିକର ଦୂରପଯୋଗ କରାଯିବାର ବହୁ ଉଦାହରଣ ରହିଛି।
ସଚେତନତା ଅଭାବରୁ ଅନେକ ମଶାରୀକୁ ମାଛ ଧରିବା, କଲେଇ ( ଝରି ପୋକ) ଧରିବା ଇତ୍ୟାଦିରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ମାତ୍ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ଲୋକେ ମଶାରୀ ବ୍ୟବହାର କରିବା ଆରମ୍ଭ କରିଥିଲେ । ଫଳ ସ୍ଵରୂପ ମ୍ୟାଲେରିଆ ଜ୍ଵର ରୋକିବାରେ ଏହା ସହାୟକ ହେଲା।
ଇତି ମଧ୍ୟରେ ୪ ବର୍ଷ ଅତିକ୍ଳାନ୍ତ ହେବାକୁ ବସିଲାଣି । ମାତ୍ର ସରକାରଙ୍କ ପକ୍ଷରୁ ଔଷଧ ବୋଳା ମଶାରୀ ବଣ୍ଟନ ହୋଇନି। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।
ସରକାରୀ ତଥ୍ୟ ଅଧାରରେ ଗତ ବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଆକଳନର ତଥ୍ୟ ଆଧାରରେ ଜୁଲାଇ ମାସରେ ୧୪୬୫ ଜଣ ଜ୍ଵର ପରୀକ୍ଷାରେ ୨୫ଜଣ ମ୍ୟାଲେରିଆ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେହିପରି ଅଗଷ୍ଟ ମାସରେ ୧୫୬୫ଜଣଙ୍କ ମଧ୍ୟରୁ ୨୫ ଜଣ ଆକ୍ରାନ୍ତ ଥିଲେ।
ସେପ୍ଟେମ୍ବର ମାସରେ ୧୭୮୧ ଜଣଙ୍କ ମଧ୍ୟରୁ ୭ ଜଣ,ଅକ୍ଟୋବର ମାସରେ ୧୫୬୨ ମଧ୍ୟରୁ ୧୫ ଜଣ, ନଭେମ୍ବର୍ ମାସରେ ୧୮୫୩ ମଧ୍ୟରୁ ୨୧ ଜଣ ଓ ଡିସେମ୍ବର ମାସରେ ୨୦୦୭ ଜଣ ମଧ୍ୟରୁ ୨୮ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ।
ସେହିପରି ଟାଇଫାଏଡ଼ ଜ୍ଵର ନିମନ୍ତେ ଜୁଲାଇ ମାସରେ ୧୨୨, ଅଗଷ୍ଟ ମାସରେ ୧୭୮ , ସେପ୍ଟେମ୍ବର ମାସରେ ୨୦୭ ,ଅକ୍ଟୋବର ମାସରେ ୨୦୯ , ନଭେମ୍ବର୍ ମାସରେ ୧୮୮ ଓ ଡିସେମ୍ବର ମାସରେ ୨୧୧ ଜଣ ରକ୍ତ ପରୀକ୍ଷା କରିଥିଲେ । ମାତ୍ର ସୌଭାଗ୍ୟ ବଶତଃ ମାତ୍ର ୭ ଜଣ ଉକ୍ତ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ।
ଏହା ବ୍ୟତୀତ ସରକାରୀ ତଥ୍ୟ ମାତ୍ର ବେସରକାରୀ ତଥ୍ୟ ଅଧାରରେ ବିଭିନ୍ନ ବେସରକାରୀ ପ୍ୟାଥୋଲୋଜିରେ ଶତାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି ଯାହାକି ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଗତ ୨୦୨୪ ମସିହାରେ ଜିଲ୍ଲାରେ ସର୍ବମୋଟ ୨୬୯୩ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜାନୁୟାରୀ ମାସ ସୁଦ୍ଧା ୫୨ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି।
ଏଠାରେ ପ୍ରକାଶ ଥାଉ କି ଗତ ୨୦୧୯-୨୦ ମସିହାରେ ସରକାରଙ୍କ ପକ୍ଷରୁ ଔଷଧ ବୋଳା ମଶାରୀ ବଣ୍ଟନ କରାଯାଇଥିଲା । ତେବେ ୪ ବର୍ଷ ହେବାକୁ ବସିଲାଣି ମଶାରୀ ବଣ୍ଟନ ହୋଇଥିଲା ଏବଂ ୪ ବର୍ଷ ତଳର ମଶାରୀ ନଷ୍ଟ ହୋଇଯିବା ଫଳରେ ମ୍ୟାଲେରିଆ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଆଶଙ୍କା ପ୍ରକାଶ ପାଇଛି।
ପଡୋଶୀ ଜିଲ୍ଲା କେନ୍ଦୁଝରର ଅନେକ ସ୍ଥାନରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ମାତ୍ର ବର୍ତ୍ତମାନ ସୁଦ୍ଧା ବାମନଘାଟି ଉପଖଣ୍ଡର କୌଣସି ବ୍ଳକରେ ଏ ପର୍ଯ୍ୟନ୍ତ ମଶାରୀ ବଣ୍ଟନ ନ ହେବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଜିଲ୍ଲାରେ ରାଜ୍ୟ ଔଷଧ ନିଗମ (ଓଏସଏମସି )ପକ୍ଷରୁ ମଶାରୀ ବଣ୍ଟନ କରାଯାଇଥାଏ।
ଅଧିକ ପଢ଼ନ୍ତୁ: ସମେଇଗାଡ଼ିଆ ହତ୍ୟାକାଣ୍ଡ: ୪ ଅଭିଯୁକ୍ତ ଗିରଫ
ତେବେ ବର୍ତମାନ ପର୍ଯ୍ୟନ୍ତ ମଶାରୀ ବଣ୍ଟନ ନ ହେବା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଏ ସମ୍ବନ୍ଧରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡ. ରବୀନ୍ଦ୍ର ମାରାଣ୍ଡିଙ୍କ ସହିତ ଯୋଗାଯୋଗ କରିବାରୁ ପ୍ରାୟ ୪ ମାସ ହେଲାଣି ମଶାରୀ ହସ୍ପିଟାଲ ଗୁଡ଼ିକୁ ଯୋଗାଇ ଦିଆଯାଇଛି କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅନୁମତି ନ ମିଳିଥିବାରୁ ମଶାରୀ ବଣ୍ଟନ କାର୍ଯ ଆରମ୍ଭ ହୋଇପାରିନାହିଁ । ଅନୁମତି ମିଳିଲେ ଖୁବଶିଘ୍ର ମଶାରୀ ବଣ୍ଟନ କରାଯିବ ଏବଂ ଯେତିକି ମଶାରୀର ଆବଶ୍ୟକତା ଅଛି ତାଠାରୁ କମ୍ ମଶାରୀ ଆସିଛି ।
ଜନ ସଂଖ୍ୟା ତୁଳନାରେ ଅଧିକ ମଶାରୀ ଆବଶ୍ୟକ ବୋଲି ନିଜ ମତ ରଖିଛନ୍ତି । ତେବେ ଆଦିବାସୀ ବହୁଳ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ବସବାସ କରୁଥିବା ଅଧିବାସୀମାନଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ଦୃଷ୍ଟି କୋଣରୁ ତୁରନ୍ତ ଔଷଧ ବୋଳା ମଶାରୀ ବଣ୍ଟନ କରିବା ନିମନ୍ତେ ଜନସାଧାରଣରେ ଦାବି ହେଉଛି ।
ଅଧିକ ପଢ଼ନ୍ତୁ: କନ୍ଧମାଳ ମହୋତ୍ସବ: ଘୁ.ଉଦୟଗିରିରେ ମଶାଲ-ମାସ୍କଟକୁ ସ୍ବାଗତ