କୋରାପୁଟ: ନୂତନ କୋଠାକୁ କେବେ ସ୍ଥାନାନ୍ତର ହେବ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ?

ଅବ୍ୟବହୃତ ହୋଇ ପଡ଼ିଥିବା କୋଠା ପରିସର ପାଲଟିଛି ମଦ୍ୟପଙ୍କ ଆଡ଼ାସ୍ଥଳୀ

କୋରାପୁଟ:  ଚକଚକ ନୂଆ କୋଠା। ସମ୍ମୁଖରେ କାଚ ଲାଗିବା ସହ ତଳେ ମାର୍ବଲ ପଡ଼ିଛି। କିନ୍ତୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠା କାର୍ଯ୍ୟରେ ଲାଗିପାରୁନି। ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇନଥିବାରୁ ୩ ବର୍ଷ ପରେ ମଧ୍ୟ ପୁରୁଣା କୋଠାରୁ ନୂତନ କୋଠାକୁ ସ୍ଥାନାନ୍ତର ହୋଇପାରୁନି କୋରାପୁଟ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ। ଓଟିଡିସି ଏହି କୋଠାକୁ ହସ୍ତାନ୍ତର କରିନଥିବା ବେ‌ଳେ ବ୍ୟବହାର ନହେବା କାରଣରୁ ନୂତନ କୋଠାରୁ ବର୍ଷାଦିନେ ପାଣି ଗଳୁଛି। ବର୍ତ୍ତମାନ ପୁଣି ଥରେ ୧ଲକ୍ଷ ଟଙ୍କା ବ୍ୟୟରେ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ଓ ଆନୁଷଙ୍ଗିକ ବ୍ୟବସ୍ଥା ହେବା ପରେ ପୁରୁଣା କୋଠାରୁ ନୂତନ କୋଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ପାଣି ଗଳୁଥିବା ତଥା ଦଦରା ପୁରୁଣା କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ।

କୋରାପୁଟ ଜିଲ୍ଲା ସଦର ମହକୁମାର ଗାନ୍ଧୀ ନଗରରେ ଥିବା ପ୍ରାୟ ୧ ଏକର ଜମିରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ପର୍ଯ୍ୟଟନ ନୂତନ କାର୍ଯ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭକୁ ୨୦୧୭ ମସିହାରେ ଯୋଜନା ହୋଇଥିଲା। ଓଟିଡିସି ପକ୍ଷରୁ ଏକ ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ବ ଦିଆଯାଇଥିବା ବେଳେ ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହୋଇଥିଲା। ୨୦୧୯ ଡିସେମ୍ବରରେ କାର୍ଯ୍ୟ ଶେଷ ହୋଇଥିଲେ ବର୍ତ୍ତମାନ ସୁଦ୍ଧା ଆନୁଷଙ୍ଗିକ ବ୍ୟବସ୍ଥା ହୋଇନଥିବାରୁ ଦୁଇ ମହଲା ବିଶିଷ୍ଟ ନୂତନ କୋଠା ହସ୍ତାନ୍ତର ହୋଇପାରିନି। ଫଳରେ ନୂତନ କୋଠାକୁ ସ୍ଥାନାନ୍ତର ହୋଇପାରୁନି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ। ଅନ୍ୟପଟେ ଅବ୍ୟବହୃତ ହୋଇ ପଡ଼ିଥିବା ଏହି କୋଠା ପରିସର ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟିଛି। ଏପରିକି କୋଠା ଚାରିପଟେ କିଛି ଜଣ ରହୁଥିବା ଦେଖିବାକୁ ମିଳିଛି। ଜବରଦଖଲକାରୀଙ୍କୁ ପଚାରିବାରୁ ମାସିକ ଭଡ଼ା ସୂତ୍ରରେ ଏଠାରେ ରହୁଥିବା ବେଳେ ଜଣେ ଅଣଓଡ଼ିଆ ବ୍ୟକ୍ତି ଆମଠାରୁ ଟଙ୍କା ନେଉଥିବା କହିଛନ୍ତି।

ସେହିପରି ନୂତନ କୋଠାର କାନ୍ଥରେ ଗଛ ଉଠିବା ସହିତ ଅସାମାଜିକଙ୍କ ଯାତାୟାତ ଯୋଗୁ ଏକାଧିକ କାଚ ଭାଙ୍ଗି ଗଲାଣି। ଏପରିକି ନୂତନ କୋଠାରୁ ପାଣି ମଧ୍ୟ ଗଳୁଥିବା ବେଳେ କିଛି ସାମଗ୍ରୀ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ନୂତନ କୋଠାରେ ୧ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଚାଲିଛି। କୋଠାରେ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ ବିଦ୍ୟୁତୀକରଣ କାର୍ଯ୍ୟ ଚାଲିଛି। ପ୍ରଶାସନିକ ଅବହେଳା ଯୋଗୁଁ ୩ବର୍ଷ ପରେ ମଧ୍ୟ ନୂତନ କୋଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇପାରୁନି। ଏଥିଯୋଗୁଁ ଦଦରା ଅବସ୍ଥାରେ ଥିବା ପୁରୁଣା କୋଠାରେ ହିଁ ଚାଲିଛି କାର୍ଯ୍ୟାଳୟ। ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତର୍ଲିନା ପଧାନଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ନିର୍ମିତ ନୂତନ କୋଠା ବର୍ତ୍ତମାନ ସୁଦ୍ଧା ବିଭାଗକୁ ହସ୍ତାନ୍ତର ହୋଇପାରିନଥିବା କହିଛନ୍ତି। ଓଟିଡିସି ପକ୍ଷରୁ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କରାଯାଇଥିଲେ ହେଁ ତାହା ସମ୍ପୂର୍ଣ୍ଣ ହୋଇପାରିନି। ପାଣି, ବିଦ୍ୟୁତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ବାକି ରହିଥିବାରୁ ନୂତନ କୋଠାରେ କାର୍ଯ୍ୟାଳୟ ଆରମ୍ଭ ହୋଇପାରି ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର