ଏସଟିଏଫ୍ ନାର୍କୋଟିକ ଉଇଙ୍ଗକୁ ମିଳିଲାନି ବଳ
୨୭ ନୂଆ ପଦବି ଘୋଷଣାକୁ ପୂରିଲାଣି ୮ ମାସ
ଭୁବନେଶ୍ବର,(ଶୁଭକାନ୍ତ ପଢ଼ିଆରୀ): ଅବସର ସରୁ ସରୁ ନିଯୁକ୍ତି ମିଳିଲା। ପୁଣି ମୁଖ୍ୟ ଶାସନ ସଚିବ ପାହ୍ୟାରେ। ରାଜ୍ୟ ଡ୍ରଗ୍ ଟାସ୍କ ଫୋର୍ସ ନୂତନ ଭାବେ ଗଠନ କରାଗଲା। ଅଧ୍ୟକ୍ଷ ପଦରେ ପୂର୍ବତନ ଡିଜିପି ଅଭୟଙ୍କୁ ଅବସର ଦିନ ମିଳିଲା ନୂଆ ନିଯୁକ୍ତି। ତୁରନ୍ତ ସମନ୍ବୟ କମିଟି ଗଠନ କରାଗଲା। ଯାହାର ଅଧ୍ୟକ୍ଷ ରହିଲେ ମୁଖ୍ୟ ଶାସନ ସଚିବ। ଡ୍ରଗ୍ ଟାସ୍କ ଫୋର୍ସ କାର୍ଯ୍ୟକ୍ଷମ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା। ଆଉ ସପ୍ତାହେ ପରେ ଏହାକୁ ମାସେ ପୂରିବ। ନା ଏଯାଏ ଅଫିସ ତିଆରି ହେଲା ନା କାମ ଆରମ୍ଭ ହେଲା। କେଉଁଠି ଅଫିସ ହେବ? କେଉଁଠୁ ଏହା କାମ କରିବ? ସେ ନେଇ କିଛି ସ୍ପଷ୍ଟ ମଧ୍ୟ ହେଲାନି। ଶ୍ରୀ ଅଭୟଙ୍କୁ ମଧ୍ୟ ଅଫିସ ମିଳିଲାନି। ଏସବୁ ଏବେ ପୁଲିସ ମହଲରେ ଆଲୋଚନାର ବିଷୟ ପାଲଟିଛି। ନିଶା ନିବାରଣ ଲକ୍ଷ୍ୟ କେତେ ଦୂର ପୂରଣ ହେବ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୨୧ ଡିସେମ୍ବର ୩୧ ତାରିଖରେ ଶ୍ରୀ ଅଭୟ ଅବସର ନେବା ପରେ ସେହିଦିନ ତାଙ୍କୁ ନୂଆ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଜାନୁଆରି ଦ୍ବିତୀୟ ସପ୍ତାହରେ ସମନ୍ବୟ କମିଟି ଗଠନ ସହ ନୀତି ନିର୍ଦ୍ଧାରଣ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସମନ୍ବୟ କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବା ବେଳେ ପୁଲିସ ଡିଜି, ଗୃହ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅବକାରୀ, ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ, ଉଚ୍ଚଶିକ୍ଷା ସଚିବ, ସୂଚନା ଓ ଲୋକସମ୍ପର୍କ ସଚିବ, ଆଇଟି ସଚିବ ଏହାର ସଦସ୍ୟ ଥିବା ବେଳେ ଅଭୟ ସହ ଅଧ୍ୟକ୍ଷ ରହିଛନ୍ତି। ଡ୍ରଗ୍ ଟାସ୍କ ଫୋର୍ସ ପୁଲିସ ଓ କମିଟିରେ ଥିବା ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ନିଶା ଚାଲାଣ ଉପରେ ନଜର ରଖିବା ସହ ଏହାକୁ ରୋକିବା, ନିଶା ସେବନକାରୀଙ୍କୁ ଚିହ୍ନଟ, ଦୁର୍ବଳ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ହସ୍ତକ୍ଷେପ, ଶିକ୍ଷାନୁଷ୍ଠାନ, ଯୁବକ ଓ ଯୁବତୀଙ୍କୁ ନିଶା ନିବାରଣ ଅଭିଯାନରେ ସାମିଲ, ଚିକିତ୍ସା, ପୁନର୍ବାସ, ସଚେତନତା କ୍ଷେତ୍ରରେ କାମ କରିବାର ନୀତି ପ୍ରସ୍ତୁତ ହୋଇଥିଲା। ମାସେ ହେବାକୁ ଯାଉଥିବା ବେଳେ ଅଫିସ ହୋଇପାରି ନାହିଁ କିମ୍ବା କୌଣସି ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ କରିପାରି ନାହିଁ ଟାସ୍କ ଫୋର୍ସ।
ଅନ୍ୟପକ୍ଷରେ ନିଶା କ୍ଷେତ୍ରରେ ଗତ ଦୁଇ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର୍ ଚଢ଼ଉ କରି କ୍ରାଇମବ୍ରାଞ୍ଚ ଏସଟିଏଫ୍(ସ୍ପେଶାଲ ଟାସ୍କ ଫୋର୍ସ) ୪୭ କେଜି ବ୍ରାଉନସୁଗାର ଜବତ କରି ରେକର୍ଡ କରିଛି। ଆନ୍ତରାଜ୍ୟ ମାଫିଆଙ୍କୁ ଗିରଫ ସହ ଏକାଧିକ ଅଭିଯୁକ୍ତଙ୍କର ସମ୍ପତ୍ତି ବାଜ୍ୟାପ୍ତ ପ୍ରକ୍ରିୟା ମଧ୍ୟ ଚାଲୁ ରଖିଛି। ଏସଟିଏଫର ଉଲ୍ଲେଖନୀୟ ସଫଳତା ପାଇଁ ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ନାର୍କୋଟିକ୍ ଉଇଙ୍ଗ ଖୋଲାଗଲା। ଏହି ଉଇଙ୍ଗକୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ୨୭ଟି ପଦବିକୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ କରିଥିବା ଗତ ଜୁନରେ ତତ୍କାଳୀନ ଡିଜିପି ଶ୍ରୀ ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଜଣେ ଏସପି, ୩ ଜଣ ଡିଏସପି ପାହ୍ୟାର ଅଧିକାରୀ ରହିବେ ବୋଲି କୁହା ଯାଇଥିଲା। ଘୋଷଣାକୁ ୮ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ଜଣେ ହେଲେ କର୍ମଚାରୀ ନିଯୁକ୍ତି ନ ହେବା ରାଜ୍ୟ ପୁଲିସର ପାରିବାର ପଣିଆ ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟର ଯେଉଁ ଭଳି ଭାବରେ ବ୍ରାଉନସୁଗାର କାରବାର ବଢ଼ି ଚାଲିଛି ଗୋଟିଏ ଉଇଙ୍ଗକୁ ସଶକ୍ତ କରାଯାଇ ପାରି ନ ଥିବା ବେଳେ ଡ୍ରଗ୍ସ ଟାସ୍କ ଫୋର୍ସର ପରିକଳ୍ପନା ଚର୍ଚ୍ଚାର ବିଷୟ ପାଲଟିଛି।
ଏଠାରେ ପ୍ରଶ୍ନ ଉଠୁଛି, ବିନା ପ୍ରସ୍ତୁତିରେ ସରକାର କାହିଁକି ଏଭଳି ତରବରିଆ ନିଷ୍ପତ୍ତି ନେଉଛନ୍ତି? କାହିଁକି ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରିବା ପାଇଁ ସରକାର ଏତେ ବ୍ୟସ୍ତ ହୋଇ ପଡ଼ୁଛନ୍ତି? ଯେଉଁ ନୀତି ପ୍ରସ୍ତୁତ କରାଯାଇଛି ତାହା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। କିନ୍ତୁ ଏହି ଟାସ୍କ ଫୋର୍ସ କେତେଦୂର ସଫଳ ହୋଇପାରିବ ତାହା ସମୟ କହିବ। ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏମିତି ଅନେକ ପ୍ରଶାସନିକ ଅଧିକାରୀଙ୍କୁ ଅବସର ପରେ ଥଇଥାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଡ୍ରଗ୍ ଟାସ୍କ ଫୋର୍ସ ଆବଶ୍ୟକ ସ୍ଥଳେ ମୁଖ୍ୟ ସମନ୍ବୟ କମିଟି ବାଦ୍ ଉପକମିଟି ତିଆରି କରିପାରିବ। ଯେଉଁଥିରେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇପାରିବ। ସେହିପରି ଗୃହ ମନ୍ତ୍ରଣାଳୟ, ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନସିବି), ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ନାର୍କୋଟିକ୍ସ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦି ମନ୍ତ୍ରଣାଳୟର ସହାୟତା ନେଇ ପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/abhya.jpg)
