ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପର ଭାଗ୍ୟ ଖୋଲିବ କେବେ? ଜଳସେଚନ ବିଭାଗରେ ଧୂଳି ଚାଟୁଛି ୯୪ କୋଟିର ୧୬ ପ୍ରକଳ୍ପ

ରାୟଗଡ଼ା: ବଂଶଧାରା, ନାଗାବଳୀ ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ୨୦୧୬ ମସିହାରେ ହୋଇଥିଲା ଯୋଜନା। ପ୍ରାୟ ୯୪କୋଟି ଟଙ୍କାର ୧୬ଟି ପ୍ରକଳ୍ପ ନିମନ୍ତେ ଡିପିଆର ପ୍ରସ୍ତୁତ କରି ଅନୁମୋଦନ ପାଇଁ ଜଳସେଚନ ବିଭାଗ ନିକଟକୁ ପଠାଯାଇଥିଲା। କିନ୍ତୁ ୫ବର୍ଷ ହେଲା ବିଭାଗୀୟ ଅନୁମୋଦନ ଅପେକ୍ଷା ରହିଛି ପ୍ରସ୍ତାବିତ ପ୍ରକଳ୍ପ। ଅପରପକ୍ଷରେ ବର୍ଷା ଦିନ ଆସିଲେ ଦୁର୍ଦ୍ଦଶା ଭୋଗୁଛନ୍ତି ତଳି ଅଞ୍ଚଳବାସୀ। ବାରମ୍ବାର ଦାବି ସତ୍ତ୍ବେ ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପକୁ ଅନୁଦାନ ମିଳୁନଥିବାରୁ କିଛିଦିନ ତଳେ ଆୟୋଜିତ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ ଜନପ୍ରତିନିଧି।

ବଂଶଧାରା ନଦୀରେ ବନ୍ୟା ଜଳ ପ୍ରବେଶ କଲେ ଗୁଣପୁର, ଗୁଡ଼ାରି, ରାମନାଗୁଡ଼ା, ପଦ୍ମପୁର ବ୍ଲକ୍ ସମେତ ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ପ୍ରଭାବିତ ହେଉଛି। ତେଣୁ ଏହାର ସ୍ଥାୟୀ ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହିକ୍ରମରେ ବଂଶଧାରା ଅବବାହିକାରେ ଥିବା ସାନହୁମ୍ମା, ଲୋକନାଥପୁର, କରାଇଗୁଡ଼ା, ନାଇରା, କର୍ଣ୍ଣପାଡ଼ୁ, ଡେରିଗାଁରେ ପ୍ରୋଟେକ୍ସନ୍ ୱାଲ୍ ନିର୍ମାଣ ପାଇଁ ୫୨୩.୧୯ ଲକ୍ଷ ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଥିଲା। ସେହିପରି ଗୁମୁଡା ପୋଲ ନିକଟରେ ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପ ପାଇଁ ୪୧୨୭ ଲକ୍ଷ, ଗୁଡାରି ବଇନାଗୁଡା ପ୍ରକଳ୍ପ ପାଇଁ ୩୮୭.୭୦ ଲକ୍ଷ, ଗୁଡାରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ପ୍ରକଳ୍ପ ପାଇଁ ୩୩୦ ଲକ୍ଷ, ଗୁଣପୁର ବ୍ଲକର ଚାଲକମ୍ବା ପ୍ରକଳ୍ପ ପାଇଁ ୨୦୧.୬୦ ଲକ୍ଷ, ଲିମାପଦର ପ୍ରକଳ୍ପ ପାଇଁ ୪୨୪.୩୦ ଲକ୍ଷ, ଗୁଣପୁର ସହର ନିକଟ ପ୍ରକଳ୍ପ ପାଇଁ ୩୫୩.୩୦ ଲକ୍ଷ, ରାମନାଗୁଡା ବ୍ଲକ ଗୁଲୁମୁଣ୍ଡା, ପଣସଗୁଡା ପ୍ରକଳ୍ପ ପାଇଁ ୨୩୮.୩୦ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ଏହାବ୍ୟତୀତ ବନ୍ୟାରେ ନାଗାବଳୀ ଗତିପଥ ବଦଳାଇବା ସହ କୂଳ ଖାଉଥିବାରୁ ରାୟଗଡ଼ା ବ୍ଲକର ୧୦ରୁ ଊର୍ଦ୍ଧ୍ବ ଗାଁ ନଦୀଗର୍ଭରେ ଲୀନ ହେବାକୁ ବସିଲାଣି। ଏହାକୁ ଦୃଷ୍ଟିରେ ରଖି ଉଭୟ ନଦୀର ବନ୍ୟା ସୁପରିଚାଳନା ପାଇଁ ୯୪ କୋଟି ୨୬ ଲକ୍ଷ ୧୭ ହଜାର ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଁ ଜଳସଂପଦ ବିଭାଗକୁ ପ୍ରସ୍ତାବ ଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଅନୁମୋଦନ ମିଳିପାରିନି।

ସୂଚନାଯୋଗ୍ୟ, ନାଗାବଳୀ ଓ ବଂଶଧାରା ନଦୀ ଅବବାହିକାରେ ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପ ନିର୍ମାଣ ପାଇଁ ୨୦ ଜୁଲାଇ ୨୦୧୬ରେ ପାରଳାଖେମୁଣ୍ଡି ଜଳସେଚନ ନିର୍ବାହୀ ଯନ୍ତ୍ରୀ ରାୟଗଡ଼ା ଜିଲ୍ଲାପାଳଙ୍କୁ ୬୦ କୋଟି ୧୮ ଲକ୍ଷ ୩୭ ହଜାର ଟଙ୍କାର ବ୍ୟୟ ଅଟକଳ ପ୍ରଦାନ କରିଥିଲେ। ହେଲେ ଆଜି ସୁଦ୍ଧା କାମ ଆରମ୍ଭ ହୋଇପାରିନି। ଏ ସଂପର୍କରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସେନାପତିଙ୍କୁ ପଚାରିବାରୁ ୨୫ କୋଟି ୭୮ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ୬ଟି ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିବା ପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିକଟକୁ ପଠାଯାଇଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ଶ୍ରୀ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର