କେବେ ସରିବ ଫନି କ୍ଷତିଗ୍ରସ୍ତଙ୍କ ଚୂଡ଼ାନ୍ତ ତାଲିକା : କଂଗ୍ରେସ

ଭୁବନେଶ୍ବର : ୨୦୧୯ ମେ’ ୩ରେ ବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାର ଦିନକ ପରେ ରାଜ୍ୟ ସରକାର ବାତ୍ୟା କ୍ଷତିଗ୍ରସ୍ତ ଚିହ୍ନଟ ଆରମ୍ଭ କରିଥିଲେ। ବାତ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ହେଁ କ୍ଷତିଗ୍ରସ୍ତଙ୍କ ତାଲିକା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରୁନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ଫନି ‌କ୍ଷତିଗ୍ରସ୍ତଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବା ଲାଗି କଂଗ୍ରେସ ଦାବି କରିଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଲେ, ରାଜ୍ୟ ସରକାର ୧୪ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ଦୁଇବର୍ଷ ହେଲା ପ୍ରୟାସ ଜାରି ରଖିଛନ୍ତି। ପଞ୍ଚାୟତିରାଜ, ରାଜସ୍ବ ବିଭାଗ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକ୍ ଅଧିକାରୀଙ୍କ ଭିତରେ ସମନ୍ବୟର ଅଭାବ ହେଉ ବା କେହି କାହାରିକୁ ବିଶ୍ବାସକୁ ନ ନେବା କାରଣରୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇପାରୁ ନାହିଁ। ଚଳିତ ଜୁଲାଇ ମାସରେ ପଞ୍ଚାୟତିରାଜ ବିଭାଗ ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ଓ ବିଡିଓମାନଙ୍କୁ ପତ୍ର ମାଧ୍ୟମରେ ପକ୍କାଘର ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି ବୋଲି ଅନୁଭବ କରି ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେବା ଲାଗି ଉ‌ଲ୍ଲେଖ କରିଥିଲେ। ମାତ୍ର ଏହାର ୭ ଦିନ ପରେ ବିଭାଗ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଚିଠିକୁ ଅକାମି କରି ନୂତନ ନିର୍ଦେଶନାମା ଜାରି କରାଗଲା। ଜିଲ୍ଲା ଅଧିକାରୀ, ବ୍ଲକସ୍ତରର ଅଧିକାରୀମା‌ନେ କେବଳ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେବା ଓ ପୂର୍ବ ଚିଠିରେ କୁହାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ‌‌ଯୋଡ଼ିବା କଥା କୁହାଗଲା ନାହିଁ। କିଛି ନିର୍ଦ୍ଦିଷ୍ଟ ଅଧିକାରୀ, ରାଜନେତାଙ୍କ କଳା କାରନାମା ଯୋଗୁଁ ଲକ୍ଷ ଲକ୍ଷ ବାସହରା ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ଫନି କ୍ଷତିଗ୍ରସ୍ତଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବା ସହ ପକ୍କାଘର ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ କାଟିବାକୁ ଦଳ ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଂଜନ ଦାଶ, ରଜନୀ କୁମାର ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର