ଧା‌ମରା ଏୟାରପୋର୍ଟରୁ କେବେ ଉଡ଼ିବ ବିମାନ?

ଜମି ଅଧିଗ୍ରହଣରେ ଆଣ୍ଠେଇଛି ଜିଲ୍ଲା ପ୍ରଶାସନ

ଭଦ୍ରକ : ଭଦ୍ରକ ଜିଲ୍ଲାର ବିକାଶଠାରୁ ଦୂରେଇ ଯାଉଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି। ବଡ଼ ପ୍ରକଳ୍ପ ଦୂରେ ଥାଉ, ଜିଲ୍ଲାରେ ଯାହା ବି ସାଧନ ଅଛି ତାର ବିକାଶ ପାଇଁ କେହି ଆନ୍ତରିକତା ଦେଖାଉନାହାନ୍ତି। ୨୦୧୧ରେ ଧାମରା ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏଠାରେ ବନ୍ଦରଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀସ୍ତରରେ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା ଏବେ ଫାଇଲରେ ବନ୍ଧା ପଡ଼ିଛି। କେବଳ ସେତିକି ନୁହେଁ, ଧାମରାରେ ଏକ ଅତ୍ୟାଧୁନିକ ଏୟାରପୋର୍ଟ ନିର୍ମାଣ ପାଇଁ ସରକାରଙ୍କ ଘୋଷଣା ମଧ୍ୟ ଜମି ଅଧିଗ୍ରହଣରେ ସୀମିତ ରହିଛି।

ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ୨୦୧୯ ମସିହାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଧାମରାଠାରେ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଥିଲେ। ବାସୁଦେବପୁର ତହସିଲ ଅନ୍ତର୍ଗତ ନାୟକାଣିଡିହି ରାଜସ୍ବ ସର୍କଲ ବାଲିମୁଣ୍ଡା ମୌଜାରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜମି ଚିହ୍ନଟ ହେବା ପରେ ୨୦୧୯ ଜୁନ୍ ୨୯ ତାରିଖରେ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରଠା‌ରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସେହିବର୍ଷ ଡିସେମ୍ବର ୨୭ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚିଠି ନମ୍ବର/୯୩୦୭ରେ ଧାମରା ଏୟାର‌ପୋର୍ଟକୁ ରାଜ୍ୟ ସରକାର ବିଧିବଦ୍ଧ ଅନୁମୋଦନ ଦେଇଥିଲେ। ଏ ନେଇ ବାସୁଦେବପୁର ତହସିଲର ବାଲିମୁଣ୍ଡା, ନନ୍ଦପାଟଣା ଓ ବଡହାବେଳିସାହି ମୌଜାର ୩ଟି ଗାଁରେ ମୋଟ ୨୭୪.୪୧ ଏକର ସରକାରୀ, ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଅଧିଗୃହୀତ ଜମି ମଧ୍ୟରେ ରହିଛି ୨୪୦.୩ ହେକ୍ଟର ସରକାରୀ ଜମି। ସରକାରୀ ଜମିକୁ ଲିଜ୍‌ସୂତ୍ରରେ ଦେବା ପାଇଁ ସ୍ତରକାରୀସ୍ତରରେ ନି‌ଷ୍ପତ୍ତି ହୋଇଥିବା ବେଳେ ଅବଶିଷ୍ଟ ୨୨.୩୬ ଏକର ଘରୋଇ ଜମିକୁ ଅଧିଗ୍ରହଣ କରିବା ଲାଗି ଜମି ମାଲିକଙ୍କୁ ନୋଟିସ୍ ଦିଆଯାଇଛି।

ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳର ୭.୪୪ ଏକର ଜମିରେ ଜଳାଶୟ, ଜୋର, ପାଣିନାଳ, ବନ୍ଧ ଓ ରାସ୍ତା ରହିଛି। ଚିହ୍ନଟ ଜମି ମଧ୍ୟରୁ ବଡହାବେଳିସାହି ମୌଜାରେ ୨.୭୪ ଏକର ଘରୋଇ ଜମି ରହିଥିବା ବେଳେ ୯୩.୯୩ ଏକର ସରକାରୀ ଜମି ରହିଛି। ସେଥିମଧ୍ୟରୁ ୧.୨୮ ଏକର ଜମି ନାଳ, ୦.୭ ଏକର ଜଳାଶୟ ଏବଂ ୭.୪୪ ଏକର ଗୋଚର କିସମ ଜମି ରହିଛି। ସେହିପରି ବାଲିମୁଣ୍ଡା ରାଜସ୍ବ ମୌଜାରେ ୧୧୨.୬୧ ଏକର ସରକାରୀ ଜମି ରହିଥିବା ବେଳେ ୫ ଏକର ପାଣିନାଳ, ୪ ଏକର ଜମିରେ ରାସ୍ତା, ନନ୍ଦପାଟଣା ରାଜସ୍ବ ମୌଜାରେ ୧୯.୬୪ ଏକର ବେସରକାରୀ ଜମି, ୪୮ ଏକର ଜୋର କିସମ ଜମି, ୧.୬୨ ଏକର ବନ୍ଧ ଓ ୨୧ ଏକର ରାସ୍ତା କିସମ ଜମି ରହିଛି। ଏସବୁ ଜମିର କିସମ ପରିବର୍ତ୍ତନ ପରେ ଏହାକୁ ଅଧିଗ୍ରହଣ କରାଯିବ। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରୁ ନଥିବାରୁ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ବି ଶିଥିଳ ହୋଇଯାଇଛି। ସବୁଠୁ ବଡ଼ କଥା ହେଲା, ଏ ସଂପର୍କରେ ଜିଲ୍ଲାର କୌଣସି ନିର୍ବାଚିତ ପ୍ରତିନିଧିମାନେ ମୁଣ୍ଡ ଖେଳାଉନାହାନ୍ତି। ସେମାନଙ୍କ ଦେଖାଦେଖି ପ୍ରଶାସନ ବି ଆଉ ଏ ଦିଗରେ ତତ୍ପରତା ଦେଖାଉନି।

ସମ୍ବନ୍ଧିତ ଖବର