ଅଶ୍ବିନୀ କୁମାର ପାଣିଗ୍ରାହୀ
ନୂଆପଡ଼ା: ଅବିଭକ୍ତ କଳାହାଣ୍ଡି ଜିଲ୍ଲା (ବର୍ତ୍ତମାନ ନୂଆପଡ଼ା ଜିଲ୍ଲା)ର ଚର୍ଚ୍ଚିତ ଚେହେରା ଫାନସ୍ ପୁଞ୍ଜି। ନିଜ ଭୋକିଲା ୨ ଛୁଆଙ୍କୁ ଦାନା ଦେବା ପାଇଁ ନଣନ୍ଦଙ୍କୁ ୪୦ ଟଙ୍କାରେ ବିକ୍ରି  କରି ଦେଇଥିଲେ। ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ସେତେବେଳେ ଚହଳ ପକାଇ ଦେଇଥିଲା। ଏହାପରେ ଆରମ୍ଭ ହୋଇଥିଲା ‘କେବିକେ’ ଯୋଜନା। ହେଲେ ଏହି ଘଟଣାକୁ ୩୯ ବର୍ଷ ବିତି ଯାଇଥିଲେ ହେଁ ବଦଳିନି ଫାନସ୍ ପୁଞ୍ଜିଙ୍କ ଭାଗ୍ୟ। ସେଇ ମାଟି କୁଡ଼ିଆ ଘରେ ରହୁଛନ୍ତି।
୧୯୮୫ ମସିହାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅମଲାପାଲି ଗ୍ରାମରେ ନିଜର ୨ ଭୋକିଲା ଛୁଆ ଜଗବନ୍ଧୁ ଓ ଚନ୍ଦ୍ରକାନ୍ତିଙ୍କ ମୁହଁରେ ଦାନା ଦେବା ପାଇଁ ଫାନସ୍‌ ନିଜର ନଣନ୍ଦକୁ ମାତ୍ର ୪୦ ଟଙ୍କାରେ ବିକ୍ରି କରି ବିଶ୍ୱବ୍ୟାପୀ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ନିକଟସ୍ଥ ହାତିମୁଣ୍ଡା ଗାଁର ପତି ପୋଢ଼ ନିଜ ଦୃଷ୍ଟିହୀନ ପୁଅ ବିଦ୍ୟାଧର ପୋଢ଼କୁ ବାହା କରିବା ପାଇଁ ଫାନସ୍‌ଙ୍କ ନଣନ୍ଦ ବନିତାକୁ କିଣି ନେଇଥିଲେ। ନଣନ୍ଦ ବିକ୍ରି କରି ପାଇଥିବା ୪୦ ଟଙ୍କାରୁ କୋଡ଼ିଏ ଟଙ୍କାରେ ଫାନସ୍‌ ପୋଷାକ ପତ୍ର କିଣିଥିଲେ ଓ ବାକି ଟଙ୍କାରେ ଖାଦ୍ୟ ସାମଗ୍ରୀ କିଣିଥିଲେ। ତାଙ୍କର ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ
ସେ ପରିବାର ପୋଷଣ କରୁଥିଲେ ଏବଂ ପରିସ୍ଥିତିରେ ପଡ଼ି ନଣନ୍ଦକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ବୋଲି ଆମ ‘ସମ୍ବାଦ’ ପ୍ରତିନିଧିଙ୍କୁ କହିଛନ୍ତି ଫାନସ୍‌।

Advertisment

ଏହି ଖବର ପ୍ରଚାରିତ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ପତ୍ନୀ ସୋନିଆଙ୍କ ସହ ତାଙ୍କ ଘରକୁ ଆସିଥିଲେ। ସେ ରାନ୍ଧିଥିବା ଶାଗ ମଧ୍ୟ ଦେଖିଥିଲେ। ତାଙ୍କୁ ଘର, ଜମି ସହ ତାଙ୍କ ପୁଅକୁ ଭବିଷ୍ୟତରେ ପାଠ ପଢ଼ାଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅଫିସର ଓ ନେତାଙ୍କ ପାଇଁ ତାଙ୍କ ପରିବାର ଏସବୁରୁ ବଞ୍ଚିତ ହୋଇଥିବା ଅଭିଯୋଗ କରନ୍ତି ଫାନସ୍‌ । ତିନି ବର୍ଷ ତଳେ ତାଙ୍କୁ ‘ମୋ’ କୁଡ଼ିଆଜ୍’ ଘର ମିଳିଛି। ତାଙ୍କ ପୁଅ, ବୋହୂ ଓ ନାତି ନାତୁଣୀ ପାଇଁ ସ୍ଥାନଅଭାବ ହେତୁ ସେ ଘର ବାହାରେ କିମ୍ବା ପର ଘରେ ଶୋଉଥିବା କହନ୍ତି। ମାସିକ ଭତ୍ତା ୫ ଶହ ଓ ଅନ୍ତ୍ୟୋଦୟ କାର୍ଡ ମିଳିଛି। ତାଙ୍କ ପୁଅବୋହୂ ପରଘରକୁ ମୂଲ ଲାଗି ଯାଆନ୍ତି। ଫାନସ୍‌ ପୁଞ୍ଜି ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ରଷୋଇ କରୁଥିଲେ ହେଲେ ହେଲେ ଏବେ ଆଉ ପାରୁ ନାହାନ୍ତି।

ତାଙ୍କ ବୋହୂକୁ ଏହି ପଦବିରେ ରଖିବା ପାଇଁ ନେହୁରା ହେଉଛନ୍ତି। ପୁଅକୁ ଘର ଖଣ୍ଡେ ଦେବା ପାଇଁ ଗୁହାରି କରୁଛନ୍ତି। ଫାନସ୍‌ଙ୍କ ପାଇଁ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଉନ୍ନତି ପାଇଁ କେବିକେ ଯୋଜନା ଆରମ୍ଭ ହେଲା। ପର୍ଯ୍ୟାପ୍ତ ପୁଞ୍ଜି ଆସିଲା, ହେଲେ ଫାନସ୍‌ ପୁଞ୍ଜିଙ୍କ ପାଖକୁ ପୁଞ୍ଜି ଆସିଲା ନାହିଁ। ଏତେ ବଡ଼ ଚର୍ଚ୍ଚିତ ଚେହେରା ଯଦି କିଛି ସୁବିଧା ପାଇଲେ ନାହିଁ ତାହା ହେଲେ ଅନ୍ୟମାନଙ୍କ କଥା କିଏ ପଚାରେ? ଏବେ ନିର୍ବାଚନ ସମୟ ଆସିଥିବା ବେଳେ ତାଙ୍କ ସମସ୍ୟା ବୁଝିବାକୁ ଲୋକେ ଦାବି କରିଛନ୍ତି। ଏହା ଉପରେ ଖଡ଼ିଆଳ ବିଡିଓ ବୀରସେନ ବେହେରା କହିଛନ୍ତି ଯେ ଫାନସ୍‌ ପୁଞ୍ଜିଙ୍କୁ ଭତ୍ତା ଓ ମୋ’ କୁଡ଼ିଆ ମିଳିଥିବା ବେଳେ ପରିବାରର ସଦସ୍ୟ ସଂଖ୍ୟା ବଢ଼ିଥିବାରୁ ତାଙ୍କ ପୁଅକୁ ମଧ୍ୟ ସରକାରଙ୍କ ପକ୍ଷରୁ ଏକ ଘର ଦେବା ବ୍ୟବସ୍ଥା କରାଯିବ। ସରକାରଙ୍କ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସୁବିଧା ଦିଆଯାଇଛି ବୋଲି କହିଛନ୍ତି।