ରାଜ୍ୟ ଜନସ୍ୱାସ୍ଥ୍ୟ ଲାବୋରୋଟୋରିର ଭାଗ୍ୟ ଖୋଲିବ କେବେ?

ବଜେଟ୍ ପାଇଁ ଗଡ଼ି ଚାଲିଛି ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ବର : ପ୍ରଥମେ ଜାଗା ପାଇଁ ବର୍ଷବର୍ଷ ଗଡ଼ିଲା। ହେଲେ ଏବେ ବଜେଟ୍‌ ପାଇଁ ଗଡ଼ୁଛି ରାଜ୍ୟ ଜନସ୍ବାସ୍ଥ୍ୟ ଲାବୋରୋଟୋରିର ଭାଗ୍ୟ। ଲାବୋରେଟାରି ପ୍ରସ୍ତୁତ ପାଇଁ ଆବଶ୍ୟକ ଅର୍ଥ ଏ ପର୍ଯ୍ୟନ୍ତ ଅର୍ଥ ବିଭାଗ ଯୋଗାଇବାରେ ବିଫଳ ହୋଇଛି। କୋଭିଡ ବାହାନାରେ ସବୁକିଛି ପଛେଇ ଯାଇଛି। ଯାହାଫଳରେ ଲାବୋରେଟାରି ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି।

ରାଜଧାନୀରେ ଏକ ଅତ୍ୟାଧୁନିକ ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ରାଜ୍ୟ ଜନସ୍ବାସ୍ଥ୍ୟ ଲାବୋରେଟାରି ପ୍ରତିଷ୍ଠା କରିବା ଲାଗି ପ୍ରାୟ ୬ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ଏହି ଲାବୋରେଟାରିକୁ ପ୍ରଥେମ ୟୁନିଟ୍‌-୪ସ୍ଥିତ ସିଏଚ୍‌ସିରେ ନିର୍ମାଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହି ଲାବୋରେଟାରି ପ୍ରତିଷ୍ଠା ପାଇଁ ୭/୮ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ଆବଶ୍ୟକ ଥିବାରୁ ୟୁନିଟ୍‌-୪ ସିଏଚ୍‌ସିରେ ଏହାର ନିର୍ମାଣ ପ୍ରସ୍ତାବରୁ ସ୍ବାସ୍ଥ୍ୟ ବିଭାଗ ଓହରି ଯାଇଥିଲା। ପରବର୍ତୀ ସମୟରେ ଏହାକୁ ଚନ୍ଦକା ଅଞ୍ଚଳରେ ନିର୍ମାଣ ପାଇଁ ଯୋଜନା କରାଗଲା। ହେଲେ ଏ ପ୍ରସ୍ତାବ ମଧ୍ୟ ବିଭିନ୍ନ କାରଣରୁ କାଟ୍ ଖାଇଥିଲା। ଶେଷରେ କ୍ୟାପିଟାଲ ହସ୍ପିଟାଲରେ ଏହାର ନିର୍ମାଣ କରିବା ଲାଗି ବିଧିବଦ୍ଧ ନିଷ୍ପତ୍ତି ନିଆଗଲା। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସମେତ ଆରଏମ୍‌ଆରସିର ୩ଜଣିଆ ଟିମ୍ କ୍ଷେତ୍ର ପରିଦର୍ଶନ କରି ଏ ସଂପର୍କିତ ରିପୋର୍ଟ ପ୍ରଦାନ କରିଥିଲେ। ଲାବୋରେଟାରିକୁ ହସ୍ପିଟାଲର କେଉଁ ସ୍ଥାନରେ ପ୍ରତିଷ୍ଠା କରାଯିବ ସେ ଜାଗା ମଧ୍ୟ ଚିହ୍ନଟ କରଗଲା। ହେଲେ ଲାବୋରେଟାରିରେ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ବି ଯୋଡ଼ି ହୋଇପାରିନି।

ରାଜ୍ୟର ପ୍ରତ୍ୟେକ ଜିଲ୍ଲା‌ରେ ଜନସ୍ବାସ୍ଥ୍ୟ ଲାବୋରେଟାରି ରହିଛି। ସେଠାରେ ବିଭିନ୍ନ ରୋଗର ପରୀକ୍ଷା କରାଯାଉଛି। ହେଲେ ରାଜ୍ୟସ୍ତରରେ ଏକ ଅତ୍ୟାଧୁନିକ ଲାବୋରେଟାରିର ଅଭାବ ରହିଛି। ଅଧିକାଂଶ ସମୟରେ ଅତ୍ୟାଧୁନିକ ପରୀକ୍ଷା ପାଇଁ ଆରଏମ୍‌ଆରସି ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଆରଏମ୍‌ଆରସି ଉପରୁ ଚାପ କମାଇବା ଲାଗି ଅତ୍ୟାଧୁନିକ ଲାବୋରେଟାରି ପ୍ରତିଷ୍ଠା କରିବା ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା। ଏଥିରେ ଭାଇରୋ‌ଲୋଜି, ପାଥୋଲୋଜି, ବାଇଓକେମିଷ୍ଟ୍ରି ଓ ଆଇଡିନ୍ ଭଳି ବିଭିନ୍ନ ପରୀକ୍ଷାର ସୁବିଧା ରହିବ। ଯେହେତୁ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି ଓ ରୋଗୀମାନଙ୍କ ବିଭିନ୍ନ ପରୀକ୍ଷାର ଆବଶ୍ୟକତା ପଡ଼ୁଛି। ଏ ଦୃଷ୍ଟିରୁ ଲାବୋରେଟାରି ପାଇଁ ନମୁନା ପରୀକ୍ଷ‌ଣରେ କୌଣସି ସମସ୍ୟା ରହିବ ନାହିଁ। ସେମାନଙ୍କ ନମୁନାକୁ ମଧ୍ୟ ସଂରକ୍ଷଣ କରାଯାଇ ପାରିବ। ଏହାସହ ଜିଲ୍ଲାସ୍ତରରୁ ମଧ୍ୟ ଆବଶ୍ୟକ ପଡ଼ିଲେ ବିଭିନ୍ନ ନମୁନାକୁ ରାଜ୍ୟସ୍ତରୀୟ ଲାବୋରେଟାରିରେ ପରୀକ୍ଷା କରାଯାଇ ପାରିବ। ଏହି ଲାବୋରେଟାରି ପ୍ରତିଷ୍ଠା ପାଇଁ ସମୁଦାୟ ୨୩ କୋଟି ଟଙ୍କା ଖର୍ଚ କରାଯିବ। ମାତ୍ର ଅର୍ଥ ଏ ପର୍ଯ୍ୟନ୍ତ ମଞ୍ଜୁର ହୋଇପାରି ନ ଥିବାରୁ ଟେଣ୍ଡର ପ୍ରକ୍ରିୟା ଆଗେଇ ପାରୁନାହିଁ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ଆଗେଇ ପାଇଁ ଅତିକମ୍‌ରେ ସମୁଦାୟ ବଜେଟ୍‌ର ୧୦/୧୫ ପ୍ରତିଶତ ଅର୍ଥର ଆବଶ୍ୟକତା ରହିଛି। ‌ଅର୍ଥ ମଞ୍ଜୁର ପରେ ଟେଣ୍ଡର କରାଯିବ। କୋଭିଡ ପାଇଁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଛି। ଏ ସଂପର୍କରେ ନିକଟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଛି। ତେଣୁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର