କୋଟିଆକୁ କେବେ ଯିବ ଗୃହ କମିଟି?

ଚୁପ୍‌ ବସିଛି ରାଜସ୍ବ ବିଭାଗ

ଭୁବନେଶ୍ବର : କୋଟିଆରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଲାଗି ରହିଛି। କେତେବେଳେ ଆନ୍ଧ୍ରର ରାଜନୈତିକ ନେତା ଧସେଇ ପଶୁଛନ୍ତି ତ କେତେବେଳେ ପ୍ରଶାସନିକ ଅଧିକାରୀ ଚକ୍କର କାଟି ପ୍ରଲୋଭନ ଦେଖାଉଛନ୍ତି। ସେଠାରେ ଏକ ପ୍ରକାର ଅରାଜକତା ମାଡ଼ି ଚାଲିଲାଣି। ବିଧାୟକ ଓ ଓଡ଼ିଶାର କିଛି ପ୍ରଶାସନିକ ଅଧିକାରୀ ଚଉକି ପକାଇ ସୀମା ଜଗୁଛନ୍ତି ସତ। କିନ୍ତୁ ସମାଧାନର ବାଟ ବାହାର କରିବାକୁ ଓ ସ୍ଥାନୀୟ ଲୋକଙ୍କ ମନରେ ବିଶ୍ବାସ ସୃଷ୍ଟି କରାଇବାକୁ ଭୁବନେଶ୍ବରରେ ଦାୟିତ୍ବରେ ଥିବା କ୍ଷମତାସମ୍ପନ୍ନ ବ୍ୟକ୍ତିମାନେ ଉଚିତ ମଣୁ ନାହାନ୍ତି। ଆନ୍ଧ୍ରର ନେତା, ଅଫିସର୍‌ଙ୍କ ବାଟ ଓଗାଳିବାକୁ ରଣନୀତି ପ୍ରସ୍ତୁତ କରିବାକୁ ସାମାନ୍ୟ ଆଗ୍ରହ ପ୍ରକାଶ ପାଉନାହିଁ। ଯେମିତି କୋଟିଆ ଆଉ ସେମାନଙ୍କ ପାଇଁ ଏକ ପ୍ରସଙ୍ଗ ନୁହେଁ। ବିଧାନସଭାର ଗୃହ କମିଟି, ରାଜସ୍ବ ବିଭାଗ ‌ସମସ୍ତେ ହାତ ଟେକି ଦେଇଛନ୍ତି। ଫଳରେ ଏହାର ସୁଯୋଗ ନେଇ ଭାଷା ଭିତ୍ତିରେ କୋଟିଆକୁ ବିଭାଜନ କରିବା ପାଇଁ ଆନ୍ଧ୍ର ସରକାର ଆସ୍ପର୍ଦ୍ଧା କଲେଣି।

କୋଟିଆକୁ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲେ ବି ଆନ୍ଧ୍ର ସରକାର କିଛି ମାନିବାକୁ ପ୍ରସ୍ତୁତ ନାହାନ୍ତି। ଜବରଦସ୍ତି ପଞ୍ଚାୟତ ନିର୍ବାଚନ କରାଇବା ଠାରୁ ଆରମ୍ଭ କରି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ଯାଏ ସବୁବେଳେ କିଛି ନା କିଛି କାର୍ଯ୍ୟ ଜାରି ରଖିଛି। ନିକଟରେ ଆନ୍ଧ୍ର ପ୍ରଶାସନ କୋଟିଆରେ ପୁଣି ସକ୍ରିୟ ‌ହୋଇ ଉଠିଛି। ଗତକାଲି ଆନ୍ଧ୍ରର ଜମିପଟ୍ଟା ବାଣ୍ଟିବା କାର୍ଯ୍ୟକ୍ରମ ଥିବାରୁ ପଟାଙ୍ଗି ବିଧାୟକ ଓ ସ୍ଥାନୀୟ କିଛି ପ୍ରଶାସନିକ ଅଧିକାରୀ ସୀମାରେ ପ୍ରହରା ଦେଲେ। ଫଳରେ ଆନ୍ଧ୍ରର ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ସତ। କିନ୍ତୁ ଏମିତି ବିଧାୟକ କେତେ ଦିନ ସୀମା ଜଗିବେ ବୋଲି ପ୍ରଶ୍ନ ଉଠୁଛି ? ଏହା କ’ଣ ସ୍ଥାୟୀ ସମାଧାନର ବାଟ ? ଏ ଦିଗରେ ରାଜ୍ୟ ପ୍ରଶାସନ ପକ୍ଷରୁ କ’ଣ ଠୋସ୍‌ ପଦ‌କ୍ଷେପ ନିଆଯାଉଛି?

କୋଟିଆରେ ଯେତେବେଳେ କିଛି ସୀମା ବିବାଦ ଉଗ୍ର ହୁଏ, ସେତେବେଳେ ରାଜଧାନୀରେ ତମ୍ବିତୋଫାନ ହୁଏ। କିନ୍ତୁ ତାହା ପରେ ସମସ୍ତେ କୋଟିଆକୁ ଭୁଲି ଯାଆନ୍ତି। ଏହା ହିଁ କୋଟିଆବା‌ସୀଙ୍କ ଦୁଃଖର ବଡ଼ କାରଣ। ରାଜ୍ୟର ସୀମା ସମସ୍ୟା ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇଛି। ଗତ ଜାନୁଆରି ମାସରେ କମିଟିର ବୈଠକ ବସିଥିଲା। ଏଥିରେ କୁହାଗଲା ଯେ କମିଟିର ସଦସ୍ୟମାନେ ପର୍ଯ୍ୟାୟକ୍ରମେ ସବୁ ସୀମାକୁ ଯିବେ। ପ୍ରଥମେ କୋଟିଆ ଯିବା ପାଇଁ ସ୍ଥିର ହୋଇଥିଲା। ସେହି ସମୟରେ ଆନ୍ଧ୍ରପ୍ରଦେଶ ସରକାର ସେଠାରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି କରୁଥିବାରୁ ଏହି ଗୃହ କମିଟି ବୈଠକରେ କୋଟିଆକୁ ଫୋକସ୍ କରାଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ବୈଠକରେ ପରେ କମିଟି ସେଠାକୁ ଯିବା ପାଇଁ ଭୁଲିଗଲା। ଆଉ ତାରିଖ ସ୍ଥିର ହେଲା ନାହିଁ କି କମିଟି ସଦସ୍ୟମାନେ ସେଠାକୁ ଗଲେ ନାହିଁ। କରୋନାର ଦ୍ବିତୀୟ ଲହର ପୂର୍ବରୁ ଯଥେଷ୍ଟ ସମୟ ଥିଲେ ମଧ୍ୟ ଏହାକୁ ଏକ ଜରୁରୀ କାମ ବୋଲି କେହି ଭାବିଲେ ନାହିଁ। ଏବେ କୋଟିଆ ଅଶାନ୍ତ ଥିଲେ ମଧ୍ୟ ଗୃହ କମିଟି ସେ ବାବଦରେ ନିରବ ରହିଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମ ‌ଜାରି ରହିଥିବାରୁ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିବାରେ କୌଣସି ବାଧା ନାହିଁ। ଏହା ରାଜ୍ୟ ସ୍ବାର୍ଥ ସମ୍ବଳିତ ଏକ ଗୁରୁତ୍ବପୂର୍ଣ୍ଣ ମାମଲା ହୋଇଥିବାରୁ ଗୃହ କମିଟି ସେହି ସ୍ଥାନକୁ ଯାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ସହ ପ୍ରଶାସନର ମନୋବଳ ବଢ଼ାଇବାର ଆବଶ୍ୟକତା ଅଛି।

ସେହିପରି ରାଜସ୍ବ ବିଭାଗ କୋଟିଆ ପାଇଁ କି ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛି, ସେ ସମ୍ପର୍କରେ ରାଜ୍ୟବାସୀ ଅନ୍ଧାରରେ। କେବଳ କୋରାପୁଟ ଜିଲ୍ଲା ପ୍ରଶାସନ ଉପରେ ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗକୁ ଛାଡ଼ିଦେବା ଆଦୌ ଗ୍ରହଣୀ ନୁହେଁ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି। ଲୋକସେବା ଭବନରେ କୋଟିଆ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସ୍ଥିତିର ସମୀକ୍ଷା ବି ଏ ଯାଏ କରାଯାଇନି। ନା ରାଜନୈତିକ ସ୍ତରରେ ତତ୍ପରତା ପ୍ରକାଶ ପାଉଛି ନା ପ୍ରଶାସନିକ ସ୍ତରରେ। କୋଟିଆରେ କେବଳ କିଛି ଭିତ୍ତିଭୂମି ନିର୍ମାଣ ଯୋଜନା କରି ସରକାର ନିରବ ବସିଯାଇଛନ୍ତି। ସରକାର ଓ ରାଜ୍ୟ ପ୍ରଶାସନର ଏପରି ଆଭିମୁଖ୍ୟ ଓଡ଼ିଶାକୁ ପୁଣି ବିକଳାଙ୍ଗ କରିଦେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର