ସୀତାସାଗରର ପୁନରୁଦ୍ଧାର ପାଇଁ ଜଳସେଚନ ବିଭାଗର ନିଦ ଭାଙ୍ଗିବ କେବେ ?

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ଅନ୍ୟତମ ଜଳଭଣ୍ଡାର ହେଉଛି ପାରଳା ରେଳ ଷ୍ଟେସନ ନିକଟସ୍ଥ ତଥା ଆନ୍ଧ୍ର ସୀମାନ୍ତରେ ଅବସ୍ଥାପିତ ସୀତାସାଗର। ଗଜପତି ରାଜପ୍ରାସାଦର ପଛପଟ ଅବସ୍ଥାପିତ ଏହି ସାଗର ପ୍ରାୟ ୧୦ ଏକରରୁ ଅଧିକ ଜମିରେ ପରିବ୍ୟାପ୍ତ। ୧୫୦ ବର୍ଷ ପୂର୍ବେ ଏହା ଖନନ କରାଯାଇଥିଲା। ସାଗରରେ ଜଳ ସ˚ରକ୍ଷଣ ସହ ଅଞ୍ଚଳରେ ଥିବା ୧୦୦ ହେକ୍ଟରରୁ ଅଧିକ ଚାଷ ଜମିକୁ ଏହା ଜଳ ଯୋଗାଉଥିଲା। ସାଗରରେ ରାଜପ୍ରାସାଦର ଘୋଡ଼ା, ହାତୀ ଗାଧୁଆ ଯାଉଥିବା ବେଳେ ପ୍ରାସାଦର କର୍ମଚାରୀମାନେ ମଧ୍ୟ ଗାଧୋଇବା ଓ ଶୌଚ ପାଇଁ ବ୍ୟବହାର କରୁଥିଲେ। ହେଲେ, ବର୍ତ୍ତମାନ ଜଳସେଚନ ବିଭାଗ ଅଧିନରେ ଥିବା ଏହି ସାଗରକୁ ଏଠିକାର ଅଧିକାରୀମାନେ ସତେ ଯେମିତି ଭୁଲି ଗଲେଣି। ।

ବର୍ତ୍ତମାନ ସୀତାସାଗର ଗଛଲତା, ଦଳ ଏବ˚ ପଙ୍କରେ ପରିପୂର୍ଣ୍ଣ। ପାରଳାଖେମୁଣ୍ତି ରେଳଷ୍ଟେସନ ନିକଟରେ ସାଗରଟି ରହିଛି। ଟ୍ରେନ ଯାତ୍ରୀମାନେ ଜଳ ଭଣ୍ତାରର ଦୂରବସ୍ଥା ଦେଖି ପାରୁଛନ୍ତି। ରାଜ୍ୟ ସରକାର ଜଳ ସଚେତନତା ଉପରେ ଅଧିକ ଗୁରୁତ୍ବ ଦେଉଥିବା ବେଳେ ସୀତା ସାଗରକୁ କାହିଁକି ଅଣଦେଖା କରୁଛନ୍ତି। ତାହା ଜଣାପଡ଼ୁନାହିଁ। ଏଣୁ, ସାଗର ସମ୍ବନ୍ଧରେ ବାରମ୍ବାର ଜଳସେଚନ ବିଭାଗର ଯନ୍ତ୍ରୀମାନଙ୍କର ମତାମତ ଲୋଡ଼ିବା ପାଇଁ ପାରଳାଖେମୁଣ୍ତି ସ୍ଥିତ କାର୍ଯ୍ୟାଳୟକୁ ପହଞ୍ଚିଲେ, କେତେବେଳେ ବି କୌଣସି ଅଧିକାରୀ ନଥିବା ନଜରକୁ ଆସନ୍ତି। ଜଣେ ଯନ୍ତ୍ରୀ ଭାରପ୍ରାପ୍ତ ଭାବେ କାର୍ଯ୍ୟାଳୟ ଦାୟିତ୍ବ ତୁଲାଇ ଆସୁଛନ୍ତି। ସୀତାସାଗରର ପୁନରୁଦ୍ଧାର ହୋଇପାରିଲେ ଚାଷୀମାନଙ୍କୁ ୧୨ ମାସଯାକ ଜମିକୁ ଜଳ ମିଳିବ ବୋଲି ଅଞ୍ଚଳରେ ଧାନଚାଷ କରୁଥିବା କୃଷକମାନେ ମତ ରଖିଛନ୍ତି। ସୀତାସାଗରରେ ଜଳ ସ˚ରକ୍ଷଣ କରାଯାଇ ପାରିଲେ ପାରଳା ପୌରପାଳିକା ମଧ୍ୟରେ ଥିବା ବିଭିନ୍ନ ଵାର୍ଡ ଗୁଡ଼ିକରେ ଖରା ଦିନରେ ସୃଷ୍ଟି ହେଉଥିବା ଉତ୍କଟ ଜଳ ସମସ୍ୟାର ସମାଧାନ ବାଟ ବାହାରି ପାରିବ ବୋଲି ଜିଲ୍ଲା ଯୁବ କ˚ଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର