କେବେ ବିକଶିତ ହେବ କୋରାପୁଟ ହକି ଭିତ୍ତିଭୂମି?

ଡମ୍ପିଂ ୟାର୍ଡ ପାଲଟିଛି ‌ହକି ପାଇଁ ଉଦ୍ଦିଷ୍ଟ ପଡ଼ିଆ, ଜବତ ଗାଡ଼ି ରଖୁଛି ପୁଲିସ

କୋରାପୁଟ : କୋରାପୁଟ ଜିଲ୍ଲାରେ ହକି ଭୂତ୍ତିଭୂମି ରହିଛି। କିନ୍ତୁ ବିକଶିତ ହୋଇପାରୁନି। ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ଏବେ ଡମ୍ପିଂ ୟାର୍ଡ ପାଲଟିଛି ‌ହକି ପାଇଁ ଉଦ୍ଦିଷ୍ଟ ପଡ଼ିଆ। କୋରାପୁଟ ପୁଲିସ ପକ୍ଷରୁ ଏଠାରେ ଜବତ ହୋଇଥିବା ଗାଡ଼ିକୁ ରଖିବା ପାଇଁ ବ୍ୟବହାର କରାଯାଉଛି। ସେହିପରି କିଛି ଲୋକ ଅଦରକାରୀ ଜିନିଷ ଆଣି ରଖୁଥିବା ଦେଖିବାକୁ ମିଳିଛି।

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ବିଭାଗ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା କରି ବିଶ୍ବସ୍ତରରେ ନିଜର ପରିଚୟ ସୃଷ୍ଟି କରିସାରିଥିବା ବେଳେ ସୁନ୍ଦରଗଡ଼ ସହ ଅନ୍ୟ ଜିଲ୍ଲା ମଧ୍ୟ ପଛରେ ପଡ଼ିନି। ଅନ୍ୟ ଜିଲ୍ଲା ଗୁଡ଼ିକରେ ଭିତ୍ତିଭୂମିକୁ ବିକଶିତ କରାଯାଉଥିବା ବେଳେ କୋରାପୁଟ ସହରରେ ଥିବା ହକି ପଡ଼ିଆ ଏବେ ଅନ୍ୟ କାମ ପାଇଁ ବ୍ୟବହାର ହେଉଛି। ଯେଉଁ କାର୍ଯ୍ୟ ପାଇଁ ଏହି ସ୍ଥାନକୁ ବଛା ଯାଇଥିଲା ତାହା ଏଠାରେ ହୋଇପାରୁନି।

କୋରାପୁଟ ବସ୍‌ଷ୍ଟାଣ୍ଡକୁ ଲାଗି ରହିଛି ପ୍ରାୟ ଗୋଟିଏ ଏକରରୁ ଅଧିକ ଖାଲି ପଡ଼ିଆ। ଏହି ପଡ଼ିଆ ୫୦ବର୍ଷ ହେବ ହକି ଷ୍ଟାଡିୟମ ଭାବେ ପରିଚିତ। ଏହାକୁ ପୁଲିସ ରିଜର୍ଭ ଅଫିସ କରିବାକୁ ଯୋଜନା ରହିଥିଲା। କିନ୍ତୁ ବିରୋଧ ହେବାରୁ ଏହା ବନ୍ଦ ରହିଛି। ପରବର୍ତ୍ତୀ ସମୟରେ ଏହାକୁ ଜିଲ୍ଲା ପୁଲିସ ପକ୍ଷରୁ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ଧରାପଡ଼ୁଥିବା ଗାଡ଼ିକୁ ଏଠାରେ ରଖାଯାଉଛି। ଏହି ଜମି ସ୍ଥାନୀୟ ପୌରପାଳିକାର ସମ୍ପତ୍ତି  ଥିଲା। ଏହାପରେ ଜିଲ୍ଲା ପୁଲିସ ନିଜ ଅକ୍ତିଆରକୁ ନେଇ ଏଠାରେ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଚାହୁଥିଲା। ବିରୋଧ ହେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଯଦିଓ ଏହି ପଡ଼ିଆକୁ ହକି ଗ୍ରାଉଣ୍ଡ ନାମରେ ନାମିତ କରାଯାଇଛି, ସେଠାରେ ଫୁଟ୍‌ବଲ୍‌ ଏବଂ ଭଲିବଲ୍‌ ମଧ୍ୟ ଖେଳା ଯାଉଥିଲା

ଦିନ ଥିଲା କୋରାପୁଟ ଜିଲ୍ଲାରୁ ହେମା ରାଓଙ୍କ ପରି ବହୁ ଖେଳାଳି ଏହି ପଡିଆରେ ଫୁ‌ଟ୍‌ବଲ୍‌ ଓ ହକି ଖେଳି ସୁନାମ ଅର୍ଜନ କରିଥିଲେ। ଜିଲ୍ଲାରେ ପ୍ରତିଭାଶାଳୀ ଖେଳାଳିଙ୍କ ଅଭାବ ନ ଥିବା ବେଳେ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷର ନେବା ପାଇଁ ଭଲ ପଡ଼ିଆ ନାହିଁ। ଏହି ପଡ଼ିଆ ଏବେ ପୁଲିସ ଅକ୍ତିଆରରେ ରହିଥିବା ବେଳେ ଏହାକୁ ବ୍ୟବହାର ପାଇଁ ସାଧାରଣ ଲୋକ ବ୍ୟକ୍ତିଗତ ବ୍ୟବହାର କରିବାକୁ ନାନା ପ୍ରଶ୍ନ ଉଠିଛି। ଯେଉଁଥି ପାଇଁ ଏହି ଷ୍ଟାଡିୟମ ନାମିତ ହୋଇଥିଲା ତାହା ଏବେ ସାଧିତ ହୋଇପାରୁନି।

ଏ ନେଇ ପି.ମନ୍ମଥ ରାଓ କହିଛନ୍ତି, ପିଲାଟି ଦିନରୁ ହକି ପଡ଼ିଆ ଭାବେ ଜାଣିଛନ୍ତି। ୫ ବର୍ଷ ହେବ ଏହାକୁ ପୁଲିସ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର କରୁଛି। ଏଠାରେ ପୂର୍ବରୁ ସବୁ ଖେଳ ହେଉଥିଲା। କିନ୍ତୁ ଏହାକୁ ପୁଲିସ ବନ୍ଦ କରି ବିକଶିତ କରିବାକୁ ଦେଉନାହିଁ। ଆଉ କିଛି ଲୋକ ଅନ୍ୟକାମରେ ବ୍ୟବହାର କରି ଖେଳାଳିଙ୍କୁ ସୁଯୋଗ ଦେଉନାହାନ୍ତି।

ସମ୍ବନ୍ଧିତ ଖବର