ପୁରୀ : ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର। ରାତି ଗଡ଼ିଲେ ଆଲୋକମାଳା(ଫେକେଡ୍ ଇଲୁମିନେସନ୍)ରେ ଝଲସିବ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପାଚେରି। ଚାରିଆଡ଼େ ଦାମୀ ଥ୍ରି-ଡି ଲାଇଟ୍ ସଂଯୋଗ କରାଯିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟକୁ ଘନ ଅନ୍ଧକାରରେ ବି ବହୁ ଦୂରରୁ ସ୍ପଷ୍ଟ ଦେଖିପାରିବେ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏଥିପାଇଁ ‘ଫେକେଡ୍ ଇଲୁମିନସେନ୍ ପ୍ରୋଜେକ୍ଟ’ର ଶୁଭାରମ୍ଭ କରିଥିଲା। ଏହାର ପୂ୍ର୍ଣ୍ଣାଙ୍ଗ ନକ୍ସା ପ୍ରସ୍ତୁତ କରିବା ପରେ ଗତବର୍ଷ ଜୁନ ମାସରେ କାମ ଆରମ୍ଭ ହୋଇଥିଲା। କିନ୍ତୁ ଇତିମଧ୍ୟରେ ଦେଢ଼ ବର୍ଷ ବିତିଥିଲେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଛି। ଇତିମଧ୍ୟରେ କୋଣାର୍କ ମନ୍ଦିର ପାଇଁ ପ୍ରସ୍ତାବିତ ସମାନ ଆଲୋକୀକରଣ ବ୍ୟବସ୍ଥା ୬ ମାସ ତଳୁ ଶେଷ ହେଲାଣି।
ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦେଢ଼କୋଟି ଟଙ୍କାର ବ୍ୟୟବରାଦ କରିଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍କୋସ୍’କୁ ଏହି କାମର ଟେଣ୍ଡର ଦିଆଯାଇଥିଲା। ପ୍ରକଳ୍ପ ଜରିଆରେ ଦାମୀ ଲାଇଟ୍ ସବୁ ଶ୍ରୀମନ୍ଦିର ଅଁଳାବେଢ଼ା, ଭୋଗମଣ୍ଡପ, କୁରୁମବେଢ଼ା, ଭିତର ଗୁମୁଟ, ବାଇଶି ପାହାଚ ଆଦି ସ୍ଥାନରେ ଲାଗିବାକୁ ଯୋଜନା କରାଯାଇଥିଲା। ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାର ଆଲୋକୀକରଣ କରାଯିବାର ଥିଲା।
ପ୍ରକଳ୍ପ ଅନୁଯାୟୀ, ଚାରିଦ୍ବାରରେ ଶ୍ରୀମନ୍ଦିର ଭିତରୁ ଲାଇଟ୍ ସବୁ ପାହାଚ ଦେଇ ବାହାରକୁ ଫୋକସ୍ କରିବ। ଯାହା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଆହୁରି ବଢ଼ାଇଦେବ। ମନ୍ଦିର ଉପରି ଭାଗରେ ଥ୍ରି-ଡି ଲାଇଟ୍ ଲାଗିବା ଦ୍ବାରା ଶ୍ରୀମନ୍ଦିର ଆହୁରି ଉଜ୍ଜ୍ବଳ ଦିଶିବ। ଏହି କାମ ଆରମ୍ଭ କରିବା ପୂର୍ବରୁ ‘ୱାପକୋସ’ର ଅଧିକାରୀମାନେ ବି ଶ୍ରୀମନ୍ଦିରର ଭିତର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ପୂର୍ବରୁ କୋଣାର୍କରେ ଏହି କାମ ଆରମ୍ଭ ହୋଇ ସାରିଥିବା ବେଳେ ଶ୍ରୀମନ୍ଦିର ପରେ ଭୁବନେଶ୍ବର ରାଜାରାଣୀ ମନ୍ଦିରରେ ବି ଏଭଳି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଥିଲା ପ୍ରତ୍ନତତ୍ତ୍ବ ବିଭାଗ। ଶ୍ରୀମନ୍ଦିର ଆଲୋକୀକରଣ ପ୍ରକଳ୍ପର ନକ୍ସା ଚୂଡ଼ାନ୍ତ ହେବାପରେ କାମ ଆରମ୍ଭ ହେଲା। ଶ୍ରୀମନ୍ଦିର ଉପରି ଭାଗର ବିଭିନ୍ନ ସ୍ଥାନରେ ଦାମୀ ଏଲ୍ଇଡି ଲାଇଟ୍ ଲାଗିଥିଲା। କାଳେ ମାଙ୍କଡ଼ ଏହାକୁ ଭାଙ୍ଗିଦେବେ, ସେଥିପାଇଁ ଜାଲି ବ୍ୟବସ୍ଥା ମଧ୍ୟ କରାଗଲା। ସେହି ଅନୁଯାୟୀ ତାର ବିଛାଗଲା। ବିଜୁଳି ସଂଯୋଗ ପାଇଁ କୁରୁମବେଢ଼ାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ଥାନରେ ତାର ବୁଲାଗଲା। ସିଂହଦ୍ବାର ସହ ଅନ୍ୟାନ୍ୟ ସ୍ଥାନରେ ଏହି ଦାମୀ ଲାଇଟ୍ ଲାଗିଲା। ତଥାପି ଆହୁରି ଅନେକ କାମ ବାକି ରହିଛି।
ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ କହିଛନ୍ତି, ଅନ୍ୟ ମନ୍ଦିରଠାରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭିନ୍ନ। ଯେହେତୁ ଏହା ଲିଭିଂ ଟେମ୍ପୁଲ୍, ଏଣୁ ଏଠାରେ ଦୈନିକ ବହୁ ନୀତିକାନ୍ତି ଚାଲିଛି। ସେ ଦୃଷ୍ଟିରୁ ଆମକୁ ନୀତିକାନ୍ତିକୁ ଦେଖି ସମୟ ଅନୁସାରେ ଧୀରେ ଧୀରେ କାମ କରିବାକୁ ପଡ଼ୁଛି। ଇତିମଧ୍ୟରେ କାମ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଗଲାଣି। କେବଳ କେଉଁଠାରୁ ବିଜୁଳି ସଂଯୋଗ ଦିଆଯିବ, ତାର ଅନୁଧ୍ୟାନ ଚାଲିଛି। ତଥାପି ଖୁବଶୀଘ୍ର ଆମେ କାମ ସାରିଦେବାକୁ ଲକ୍ଷ୍ୟ ରଖିଛୁ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି।