ଗଞ୍ଜାମ: ଗଞ୍ଜାମ ବ୍ଲକ୍ରେ ଏଯାଏ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର କାମ ଶେଷ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରକଳ୍ପର କାର୍ଯ୍ୟ ୨୦୧୮ ମସିହା ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିଲା। ୧୯୧ କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ବାରା ଗଞ୍ଜାମ ବ୍ଲକ୍ ଅଧୀନ ମଲାଡ଼, ହୁମ୍ମା, ପାଳିବନ୍ଧ, ସାନରାମଚନ୍ଦ୍ରପୁର, ସନ୍ତୋଷପୁର, ଯୁଡିଏସପୁର ଓ ଜେଆରଜେପୁର ପଞ୍ଚାୟତର ୭୪ଟି ଗ୍ରାମ ସମେତ ସୀମାନ୍ତ ପୁରୀ ଜିଲ୍ଲା ଡେଲାଙ୍ଗ, କୃଷ୍ଣପ୍ରସାଦ ଏବଂ ବ୍ରହ୍ମଗିରି ବ୍ଲକ୍ର କିଛି ପଞ୍ଚାୟତବାସୀ ଉପକୃତ ହୋଇପାରିବେ।
୨୦୨୨ ଅଗଷ୍ଟ ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ କରିବାକୁ ଠିକା ସଂସ୍ଥା ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିଲେ। କିନ୍ତୁ କରୋନା ମହାମାରୀର ପ୍ରାଦୁର୍ଭାବ ହେତୁ ପ୍ରକଳ୍ପ କାମ ତ୍ବରାନ୍ବିତ ହୋଇପାରି ନଥିଲା। ଫଳରେ ଚଳିତବର୍ଷ ଜୁନ୍ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ତେବେ କାର୍ଯ୍ୟ ବାସ୍ତବରେ ଶେଷ ହେବ କି ନାହିଁ, ଏହାକୁ ନେଇ ଏବବେି ଦ୍ବନ୍ଦ୍ବ ଲାଗି ରହିଛି। ମାତ୍ର ଗୋଟିଏ ପଞ୍ଚାୟତ ମଲାଡ଼କୁ ତିନିମାସ ହେଲା ସମ୍ପୂର୍ଣ୍ଣ ପାଣି ଯୋଗାଣ ହେଉଛି। ଅନ୍ୟ ପଞ୍ଚାୟତ ଗୁଡ଼ିକରେ ପାଇପଲାଇନ୍ ବିଛା ଯାଇଥିବା ସହ ଜଳଯୋଗାଣ ପରୀକ୍ଷଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। କିନ୍ତୁ ପ୍ରକଳ୍ପ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏହାକୁ ଗ୍ରାମବାସୀ ଅପେକ୍ଷା କରି ରହିଛନ୍ତି।
ଅନ୍ୟପକ୍ଷରେ ଆଜି ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଗଞ୍ଜାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବହୁ ଗ୍ରାମର ଜନସାଧାରଣ ପିଇବା ପାଣି ସଂକଟ ନେଇ ଅଭିଯୋଗ ଉପସ୍ଥାପନ କରିଥିଲେ। ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ସହ ବୁଲି ଶ୍ରୀ ପଣ୍ଡା ତଦାରଖ କରିଥିଲେ। ରାମଗଡ଼, ସାନରାମଚନ୍ଦ୍ରପୁର, ଜେଆରଜିପୁର, ହୁମ୍ମା ଗ୍ରାମକୁ ଯାଇ ପ୍ରକଳ୍ପ ନିର୍ମାଣ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ।